ନୂଆଦିଲ୍ଲୀ: ରୁଷ ସୁରକ୍ଷାକର୍ମୀଙ୍କ ହାବୁଡ଼ରେ ପଡ଼ିଥିବା ଆଇଏସ ଆତଙ୍କୀଙ୍କ ଟାର୍ଗେଟରେ କିଏ ଥିଲେ ତାହାର ଖୁଲାସା ହୋଇଯାଇଛି। ନିଲମ୍ବିତ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ନୁପୁର ଶର୍ମାଙ୍କୁ ଆତ୍ମଘାତୀ ହମଲା କରି ସମାପ୍ତ କରିବା ହିଁ ଏକମାତ୍ର ଲକ୍ଷ୍ୟ ଥିଲା ବୋଲି କହିଛି ଗିରଫ ଆତଙ୍କବାଦୀ। ରୁଷ ହାବୁଡ଼ରେ ପଡ଼ିଥିବା ଆଇଏସ୍ ଆତଙ୍କୀଜଣକ ହେଉଛନ୍ତି ୩୦ ବର୍ଷୀୟ ଆଜାମୋଭ ।
ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦେଇଥିବା ବିବାଦୀୟ ବୟାନ ପାଇଁ ତାଙ୍କୁ ଦେଶ ଭିତରେ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଥିବା ବେଳେ ଦେଶ ବାହାରେ ବି ସମାନ ପରିସ୍ଥିତି ଥିଲା। ନୂପୁର ଶର୍ମା ମହମ୍ମଦଙ୍କୁ ଅପମାନିତ କରିଥିବାରୁ ତାଙ୍କୁ ଶେଷ କରିବା ଉଚିତ ବୋଲି ରୁଷ ସମ୍ମୁଖରେ ପ୍ରକାଶ କରିଛି ଆଜାମୋଭ।
ସୂଚନା ଅନୁଯାୟୀ, ୧୯୯୨ ମସିହାରେ ଜନ୍ମିତ ଆଜାମୋଭକୁ ତୁର୍କୀରେ ଆଇଏସ୍ ଦ୍ୱାରା ନିଯୁକ୍ତି ଦିଆଯାଇଥିଲା ଏବଂ ତାଲିମ ଦିଆଯାଇଥିଲା। ଆଜାମୋଭ ବିଶ୍ୱାସ କରୁଥିଲା ଯେ ନୁପୁର ଶର୍ମା ମହମ୍ମଦଙ୍କୁ ଘୋର ଅପମାନିତ କରିଛନ୍ତି, ତେଣୁ ତାଙ୍କର ବଞ୍ଚିବାର ଅଧିକାର ନାହିଁ। ଏଥିନିମନ୍ତେ ନୂପୁରଙ୍କୁ ରାସ୍ତାରୁ ସଫା କରିବା ଦାୟିତ୍ୱ ଆଜାମୋଭଙ୍କ କାନ୍ଧ ଉପରେ ନ୍ୟସ୍ତ ଥିବା ବେଳେ ଏଥିନିମନ୍ତେ ରୋଡ ମ୍ୟାପ୍ ପ୍ରସ୍ତୁତ ହୋଇଥିଲା। ଏହି ଯୋଜନା ଅଧୀନରେ ତାକୁ ଭାରତୀୟ ଭିସା ପ୍ରଦାନ ନିମନ୍ତେ ରୁଷିଆ ପଠାଯାଇଥିଲା।
ରୁଷର ଫେଡରାଲ ସିକ୍ୟୁରିଟି ସର୍ଭିସ(ଏଫଏସ୍ବି) ପ୍ରଥମେ ଉକ୍ତ ଆତଙ୍କୀକୁ ଚିହ୍ନଟ କରିଥିଲା ଓ ଏହାପରେ ତା’କୁ ଗିରଫ କରାଯାଇଛି। ରୁଷ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗିରଫ ଆତଙ୍କୀ ଏପ୍ରିଲରୁ ଜୁନ୍ ମାସ ଯାଏ ତୁର୍କୀରେ ହମଲା ପାଇଁ ତାଲିମ ନେଇଥିଲା । ସେ ଆଇଏସ୍ ସଂଗଠନର ଆତ୍ମଘାତୀ ହମଲା ସ୍କ୍ୱାଡରେ ସାମିଲ ହୋଇଥିଲା। ସେଠାରେ କେମିତି ଆତ୍ମଘାତୀ ହମଲା କରିବାକୁ ହୁଏ, ସେ ବାବଦରେ ତାକୁ ବିସ୍ତୃତ ତାଲିମ ଦିଆଯାଇଥିଲା। ସେ ଟେଲିଗ୍ରାମ ଜରିଆରେ ହିଁ ଆଇଏସ୍ ସହ ଯୋଡ଼ି ହୋଇଥିଲା। ପଚରାଉଚରା ବେଳେ ଆଜାମୋଭ ପ୍ରକାଶ କରିଛି ଯେ ସେ ଏ ପର୍ଯ୍ୟନ୍ତ କୌଣସି ଆଇଏସ୍ଆଇଏସ୍ ନେତାଙ୍କୁ ଭେଟି ନାହିଁ, କେବଳ ଅନଲାଇନରେ ଟ୍ରେନିଂ ନେଇଛି।
ତୁର୍କୀରୁ ତାଲିମ ପାଇବା ପରେ ଆଇଏସ ପକ୍ଷରୁ ରୁଷରେ ତା’ର ପ୍ରବେଶ ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରାଯାଇଥିଲା। ଅପରେସନର ଦ୍ୱିତୀୟ ପର୍ଯ୍ୟାୟରେ ତାକୁ ରୁଷିଆକୁ ପଠାଯାଇଥିଲା। ରୁଷରେ ସେ କିଛି ଦିନ ରହିବା ପରେ ସେଠାରୁ ଭାରତ ଆସିବାକୁ ଯୋଜନା କରିଥିଲା। ଏଥିପାଇଁ ଆବଶ୍ୟକ କାଗଜପତ୍ର ମଧ୍ୟ ପ୍ରସ୍ତୁତ ହୋଇ ସାରିଥିଲା। ଏପରିକି ନୂଆଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ସ୍ଥାନୀୟ ସ୍ତରରେ ସହାୟତା ଯୋଗାଇଦେବାକୁ ମଧ୍ୟ ନିଶ୍ଚିତ କରାଯାଇଥିଲା। କିନ୍ତୁ ସେ ଭାରତକୁ ଆସିବା ପୂର୍ବରୁ ହିଁ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଛି।
ଭାରତଠାରୁ ଗୁଇନ୍ଦା ସୂଚନା ମିଳିବା ପରେ ରୁଷ ଏଜେନ୍ସି ପକ୍ଷରୁ ପ୍ରାୟ ୩୫ଟି ଜାଗାରେ ଚଢ଼ାଉ କରାଯାଇ ବହୁ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ ପଚରାଉଚରା ପରେ ଆଜାମୋଭକୁ ଏହି କାମରେ ନିୟୋଜିତ କରାଯାଇଥିଲା ବୋଲି ସୂଚନା ମିଳିଥିଲା।
The post ଟାର୍ଗେଟରେ ଥିଲେ କେଉଁ ଭାରତୀୟ? ଆଇଏସ୍ ଆତଙ୍କୀ କଲା ଖୁଲାସା appeared first on Odisha Reporter.
from Odisha Reporter https://ift.tt/UqZB1AH
No comments:
Post a Comment