ନୂଆଦିଲ୍ଲୀ: ଦୀର୍ଘ ୨୦ ବର୍ଷ ପରେ ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ ଗାନ୍ଧି ପରିବାରକୁ ବାଦ ଦେଇ ନିର୍ବାଚିନ ଜରିଆରେ ନିଜର ଅଧ୍ୟକ୍ଷ ଚୟନ କରିବାକୁ ଯାଉଛି। ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ନିର୍ବାଚନ ପ୍ରକ୍ରିୟାରେ କୌଣସି ପ୍ରକାରର ହସ୍ତକ୍ଷେପ କରୁନାହାନ୍ତି। ଆରମ୍ଭରୁ ହିଁ ସେମାନେ ନିରପେକ୍ଷ ନିର୍ବାଚନ ସପକ୍ଷରେ ମତ ରଖି ଆସିଛନ୍ତି।
ଆଶା କରାଯାଉଥିଲା ଯେ ଗାନ୍ଧି ପରିବାରର କୌଣସି ସଦସ୍ୟ ନିର୍ବାଚନ ପ୍ରକ୍ରିୟା ସହ ଜଡ଼ିତ ନାହାନ୍ତି। ହେଲେ ସୋନିଆଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା ଦଳର ଆଭ୍ୟନ୍ତରୀଣ ନିର୍ବାଚନ ପ୍ରକ୍ରିୟାରେ ବେଶ ସକ୍ରିୟ ଭୂମିକାରେ ରହିଥିବା ଖବର ମିଳିଛି। ସେ ନିର୍ବାଚନ ପ୍ରକ୍ରିୟା ଉପରେ ନଜର ରଖିବା ସହ ପ୍ରସ୍ତୁତି ମଧ୍ୟ କରୁଛନ୍ତି।
୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଲଜ୍ଜାଜନକ ପ୍ରଦର୍ଶନ ପରେ ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କୁ ଏବେ ପୁଣି ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ କୁହାଯାଇଥିଲେ ମଧ୍ୟ ସେ ରାଜି ହୋଇ ନଥିଲେ। ରାହୁଲ ଅଧ୍ୟକ୍ଷ ନ ହେବାରୁ ନିର୍ବାଚନ ଦ୍ୱାରା ଅଧ୍ୟକ୍ଷ ବାଛିବାକୁ ଦଳ ନିଷ୍ପତ୍ତି ନେଇଛି। ରାହୁଲ ନିଜେ ନିର୍ବାଚନ ଲଢ଼ିବାକୁ ମନା କରିଥିବା ବେଳେ ସୋନିଆ ଓ ପ୍ରିୟଙ୍କାଙ୍କୁ ମଧ୍ୟ ଏଥିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ପ୍ରିୟଙ୍କ ଗାନ୍ଧି ବେଶ ସକ୍ରିୟତାର ସହ ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବା ଜଣେ ବରିଷ୍ଠ ନେତାଙ୍କ ସୂତ୍ରରୁ ଜଣାପଡ଼ିଛି।
୫୦ ବର୍ଷୀୟ ପ୍ରିୟଙ୍କା ଗାନ୍ଧି ୨୦୧୯ ଜାନୁଆରୀ ମାସରେ କଂଗ୍ରେସ ରାଜନୀତିରେ ପାଦ ରଖିଥିଲେ। ତାଙ୍କୁ ଉତ୍ତର ପ୍ରଦେଶରେ କଂଗ୍ରେସ ମହାସଚିବ କରାଯାଇଥିଲା। ଏବେ ସେ ଅଧ୍ୟକ୍ଷ ନିର୍ବାଚନରେ ହସ୍ତକ୍ଷେପ କରି ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରିବାରେ ସହାୟତା କରୁଛନ୍ତି। ନିର୍ବାଚନ କେମିତି ନିରପେକ୍ଷ ଭାବେ ଅନୁଷ୍ଠିତ ହେବ ଓ ନିର୍ବାଚନ ପରେ ନୂଆ ଅଧ୍ୟକ୍ଷଙ୍କ ସହ ମିଶି କେମିତି ସମସ୍ତେ କାମ କରିବେ, ତା’ ଉପରେ ପ୍ରିୟଙ୍କା ବେଶୀ ଗୁରୁତ୍ୱ ଦେଉଛନ୍ତି।
ମିଳିଥିବା ସୂଚନା ଅନୁସାରେ, କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ସବୁଠାରୁ ଆଗରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରହିଥିଲେ। ସେ ଅଧ୍ୟକ୍ଷ ହୋଇଥିଲେ ସଚିନ ପାଇଲଟ ରାଜସ୍ଥାନ ମୁଖ୍ୟ ଭାବେ ଶପଥ ନେଇଥାଆନ୍ତେ। ହେଲେ ଗେହଲଟ ଓ ତାଙ୍କ ସମର୍ଥିତ ବିଧାୟକମାନେ ସଚିନଙ୍କ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପଦକୁ ଗ୍ରହଣ କରିବାକୁ ରାଜି ହୋଇ ନଥିଲେ।
ଏଥିସହ ସେମାନେ ସଚିନଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ ଇସ୍ତଫା ଦେବାର ଧମକ ଦେଇଥିଲେ। ଏହାକୁ ନେଇ ବେଶ ବିବାଦ ହୋଇଥିଲା। ଶେଷରେ ଗେହଲଟ ଗୁରୁବାର ସୋନିଆଙ୍କୁ ଭେଟି ବିଧାୟକଙ୍କ ବିଦ୍ରୋହ ପାଇଁ କ୍ଷମା ମାଗିଛନ୍ତି। ଏଥିସହ ସେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢ଼ିବେ ନାହିଁ ବୋଲି ମଧ୍ୟ କହିଛନ୍ତି।
ତେବେ ରାଜସ୍ଥାନ ରାଜନୀତିରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ହସ୍ତକ୍ଷେପ କରିଥିଲେ। ସେ ହିଁ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବାକୁ କହିବାରୁ ରାଜ୍ୟରେ ସଙ୍କଟ ଦେଖାଯାଇଥିବା କୁହାଯାଉଛି। ୨ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସଚିନ ପାଇଲଟ ବିଦ୍ରୋହ କରିଥିଲେ। ଏହି ସମୟ ମଧ୍ୟ ପ୍ରିୟଙ୍କା ଗାନ୍ଧି ହସ୍ତକ୍ଷେପ କରି ସଚିନଙ୍କୁ ବୁଝାଇବାରୁ ବିବାଦ ସମାଧାନ ହୋଇଥିଲେ।
ଏବେ ସେ ହିଁ ସଚିନ ପାଇଲଟଙ୍କୁ ବର୍ଷକ ପାଇଁ ମୁଖ୍ୟମନ୍ତ୍ରୀ କରିବା ଓ ତାଙ୍କ ନେତୃତ୍ୱରେ ଦଳ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଲଢ଼ିବା ସପକ୍ଷରେ ରହିଛନ୍ତି। ଗୁରୁବାର ରାତିରେ ମଧ୍ୟ ସୋନିଆଙ୍କୁ ଭେଟିବାକୁ ଯାଇଥିବା ସଚିନ ପାଇଲଟ ଏ ସମ୍ପର୍କରେ ପ୍ରିୟଙ୍କା ସହ କଥା ହୋଇଥିବା ଜଣାପଡ଼ିଛି। ତେଣୁ ଗେହଲଟ ଅଧ୍ୟକ୍ଷ ନିର୍ବାଚନ ରେସରୁ ବାଦ ପଡ଼ିଥିବା ବେଳେ ଏବେ ତାଙ୍କ ପାଖରୁ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଚାଲିଯିବାର ଆଶଙ୍କା ପ୍ରକାଶ ପାଇଛି।
The post କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ: ସକ୍ରିୟ ଭୂମିକାରେ ପ୍ରିୟଙ୍କା ଗାନ୍ଧି ଭଦ୍ରା appeared first on Odisha Reporter.
from Odisha Reporter https://ift.tt/P2NnFwG
No comments:
Post a Comment