ମୁମ୍ବାଇ: ଏନସିପି ଭିତରେ ଉଠିଲା ଝଡ଼। ଦଳର ରାଷ୍ଟ୍ରୀୟ ଅଧିବେଶନ ସମୟରେ ଦେଖାଦେଲା ଭିତର କନ୍ଦଳ। ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ରବିବାର ଦଳର ରାଷ୍ଟ୍ରୀୟ ଅଧିବେଶନ ବୈଠକ ଅଧାରୁ ଛାଡ଼ି ଚାଲି ଯାଇଥିବା ଦେଖିବାକୁ ମିଳିଥିଲା। ଶରଦ ପାୱାର ମଞ୍ଚରେ ଉପସ୍ଥିତ ଥିବାବେଳେ ଦଳର ଅନ୍ୟତମ ବରିଷ୍ଠ ନେତା ଅଜିତ ପାୱାର ହଠାତ୍ ଗାଏବ ହୋଇ ଯାଇଥିଲେ। ଏପରି କାର୍ଯ୍ୟକଳାପ ଯୋଗୁ ଅଜିତ ପାୱାରଙ୍କ ନିକଟରୁ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିବାର ସୁଯୋଗ ମଧ୍ୟ ହାତଛଡ଼ା ହୋଇଥିବା ଜଣାଯାଇଛି।
ଗତକାଲି ଦଳର ରାଷ୍ଟ୍ରୀୟ ଅଧିବେଶନରେ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏହି ସମୟରେ ଦଳର ଆଗ ଧାଡ଼ିର ନେତା ଜୟନ୍ତ ପାଟିଲଙ୍କୁ ଭାଷଣ ଦେବାର ସୁଯୋଗ ମିଳିଥିଲା। ଏହା ଦେଖି ଅଜିତ ପାୱାର କିଛି ସମୟ ପରେ ମଞ୍ଚରୁ ଉଠି ଚାଲିଗଲେ। ତାଙ୍କ ପଦକ୍ଷେପ ଯୋଗୁଁ ପାର୍ଟିରେ ନାନା ଗୁଜବ ଓ କଳ୍ପନାଜଳ୍ପନା ଚାଲିଛି।
ଶରଦ ପାୱାରଙ୍କ ଶେଷ ମନ୍ତବ୍ୟ ପୂର୍ବରୁ ଅଜିତ ପାୱାର ନିଜ ମନ୍ତବ୍ୟ ଦେବେ ବୋଲି ଏନସିପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଫୁଲ୍ଲ ପଟେଲ ମଞ୍ଚରେ ଘୋଷଣା କରିଥିଲେ। କିନ୍ତୁ ସେତେବେଳକୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ନିଜ ସିଟ୍ରୁ ଉଠି କେଉଁଆଡ଼େ ଚାଲିଯାଇଥିବା ଦେଖିବାକୁ ମିଳିଥିଲା।
ଏହାଦେଖି ସ୍ଥିତିକୁ ସମ୍ଭାଳିବାକୁ ଯାଇ ପ୍ରଫୁଲ୍ଲ ପଟେଲ ଘୋଷଣା କରିଥିଲେ ଯେ ଅଜିତ ପାୱାର ୱାଶରୁମରୁ ଫେରିବା ପରେ ତାଙ୍କ ଅଭିଭାଷଣ ପ୍ରଦାନ କରିବେ। ତା’ପରେ ଶ୍ରମିକମାନେ ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ସମର୍ଥନରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହି ସମୟରେ ଏନସିପି ସାଂସଦ ସୁପ୍ରିୟା ସୁଲେ ଅଜିତ ପାୱାରଙ୍କୁ ମଞ୍ଚକୁ ଆଣିବାକୁ ପ୍ରୟାସ କରିଥିବା ଦେଖିବାକୁ ମିଳିଥିଲା।
ଏହାର କିଛି ସମୟ ପରେ ଯେତେବେଳେ ଅଜିତ ପାୱାର ମଞ୍ଚ ସ୍ଥଳକୁ ପ୍ରବେଶ କରିଥିଲେ, ପାର୍ଟି ସୁପ୍ରିମୋ ଶରଦ ପାୱାର ତାଙ୍କର ଉଦ୍ଯାପନୀ ଭାଷଣ ଦେବା ଆରମ୍ଭ କରିଥିଲେ। ତେଣୁ ଅଜିତ ପାୱାର କିଛି କହିବାର ସୁଯୋଗ ପାଇଲେ ନାହିଁ। ତେବେ ପରେ ଅଜିତ ପାୱାର ସ୍ପଷ୍ଟ କରିଛନ୍ତି ଯେ ତାହା ଏକ ଜାତୀୟ ସ୍ତରର ମିଟିଙ୍ଗ ହୋଇଥିବାରୁ ସେ ଏହି ସଭାରେ କିଛି କହିବାକୁ ଉଚିତ ମଣି ନ ଥିଲେ।
The post ଏନସିପି ଅଧିବେଶନରେ ଫାଟ; ଦାଦା ଭାଷଣ ଦେବା ବେଳେ ପୁତୁରା ଗାଏବ appeared first on Odisha Reporter.
from Odisha Reporter https://ift.tt/DYpxNQt
No comments:
Post a Comment