ବେଜିଂ: ସାମ୍ନାକୁ ଆସିଲେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ। ଉଜବେକିସ୍ତାନର ସମରକନ୍ଦରୁ ଫେରିବା ପରେ ଜିନପିଙ୍ଗକୁ ଗୃହବନ୍ଦୀ କରି ରଖାଯାଇଥିବା ଖବର ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ହେଲେ ଜିନପିଙ୍ଗ ମଙ୍ଗଳବାର ଗୋଟିଏ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।
ସେପ୍ଟେମ୍ବର ୧୬ରେ ଏସ୍ସିଓ ସମ୍ମିଳନୀରୁ ଫେରିବା ପରଠାରୁ ଜିନପିଙ୍ଗଙ୍କୁ ଦେଖିବାକୁ ମିଳି ନଥିଲା। ତାଙ୍କୁ ଚାଇନା ସେନା ଗୃହବନ୍ଦୀ କରିଛି ଓ ପୂରା ଦେଶ ସେନା ଅଧୀନରେ ଥିବା ଖବର ପ୍ରକାଶ ପାଇଥିଲା। ବିବାଦ ବଡ଼ିବା ସତ୍ତ୍ୱେ ଚାଇନିଜ ଗଣମାଧ୍ୟମ କିମ୍ବା କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ କୌଣସି ବିବୃତି ଜାରି କରାଯାଇ ନଥିଲା। ଫଳରେ ଜିନପିଙ୍ଗ ଗୃହବନ୍ଦୀ ହୋଇ ରହିଥିବା ଆଶଙ୍କା ବଢ଼ିଥିଲା।
ତେବେ ମଙ୍ଗଳବାର ଜିନପିଙ୍ଗ ଅନ୍ୟ ବରିଷ୍ଠ ଅଧିକାରୀ ଓ ସହଯୋଗୀଙ୍କ ସହ ଗୋଟିଏ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ବୁଲୁଥିବା ଚିତ୍ର ସାମ୍ନାକୁ ଆସିଛି। ନିଜ ସରକାରର ସଫଳତା ବଖାଣିବାକୁ ଏହି ପ୍ରଦର୍ଶନୀ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏଥିରେ ଯୋଗଦେଇ ଜିନପିଙ୍ଗ ଲୋକମାନଙ୍କୁ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର ସଫଳତା ସମ୍ପର୍କରେ ମଧ୍ୟ କହିଛନ୍ତି। ଏଥିସହ ଅଧିକାରୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
ବିଦେଶ ନୀତି ଉପରେ ନଜର ରଖିଥିବା ବିଶେଷଜ୍ଞଙ୍କ ମତରେ ଜିନପିଙ୍ଗ କୌଣସି ପ୍ରକାରର ଗୃହବନ୍ଦୀ ହୋଇ ନଥିଲେ। ଚାଇନାରେ ବର୍ତ୍ତମାନ କରୋନା ପାଇଁ କଠୋର କଟକଣା ଲଗାଯାଇଛି। ସମସ୍ତ ବିଦେଶ ଫେରନ୍ତାଙ୍କୁ ବାଧ୍ୟତାମୂଳକ ୭ ଦିନ ହୋଟେଲ କ୍ୱାରେଣ୍ଟିନ ଓ ଏହା ପରେ ୩ ଦିନ ଘରେ ଏକାନ୍ତବାସରେ ରହିବାର ପ୍ରାବଧାନ ରହିଛି। ତେଣୁ ଦେଶବାସୀଙ୍କୁ ଗୋଟିଏ ସକାରାତ୍ମକ ବାର୍ତ୍ତା ଦେବା ପାଇଁ ଜିନପିଙ୍ଗ ମଧ୍ୟ ବିଦେଶରୁ ଫେରି କ୍ୱାରେଣ୍ଟିନରେ ରହିଥିଲେ। ଏଥିପାଇଁ ସେ ସମ୍ଭବତଃ ସର୍ବସାଧାରଣରେ ଦେଖାଯାଉ ନଥିଲେ। ଏବେ ସେ ସାମ୍ନାକୁ ଆସି ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।
ଆସନ୍ତା ଅକ୍ଟୋବର ୧୬ରେ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର ସବୁଠାରୁ ବଡ଼ ବୈଠକ ବସିବ। ପ୍ରତି ୫ ବର୍ଷ ଥରେ ଏପରି ବୈଠକ ଦଳ ପକ୍ଷରୁ କରାଯାଏ। ଏହି ବୈଠକରେ ଜିନପିଙ୍ଗ ଯୋଗଦେବେ। ଏଥିରେ ତାଙ୍କୁ ପୁଣିଥରେ ସୁପ୍ରିମ ଲିଡର ଭାବେ ରେକର୍ଡ ତୃତୀୟ ଥର ପାଇଁ ଚୟନ କରାଯିବ ବୋଲି ଜଣାପଡ଼ିଛି।
The post ଗୃହବନ୍ଦୀ ଗୁଜବ ଭିତରେ ପ୍ରଥମଥର ସାମ୍ନାକୁ ଆସିଲେ ଜିନପିଙ୍ଗ appeared first on Odisha Reporter.
from Odisha Reporter https://ift.tt/vMHXim5
No comments:
Post a Comment