କୋଝିକୋଡେ: ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ)କୁ କେନ୍ଦ୍ର ସରକାର ବ୍ୟାନ କରିଥିବା ବେଳେ ଏବେ ଆରଏସଏସ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ତେଜିଛି। ବିଭିନ୍ନ ସଂଗଠନ ଓ ରାଜନେତା ଆରଏସଏସ୍ ବିରୋଧରେ ମଧ୍ୟ କେନ୍ଦ୍ର ସରକାର ସମାନ ପଦକ୍ଷେପ ଗ୍ରହଣ କରିବା ଦରକାର ବୋଲି ଦାବି କରିଛନ୍ତି।
ସେମାନେ ପିଏଫଆଇର ବ୍ୟାନକୁ ବିରୋଧ କରି ନାହାନ୍ତି। କିନ୍ତୁ ସମାନ ସମୟରେ ସେମାନେ କେନ୍ଦ୍ର ସରକାରଙ୍କୁ ଆରଏସଏସ ସଂଖ୍ୟାଲଘୁଙ୍କ ବିରୋଧରେ ଚଳାଇଥିବା ଘୃଣାର ପ୍ରଚାରକୁ ଚେକ୍ କରିବା ପାଇଁ କହିଛନ୍ତି। ଆଇୟୁଏମଏଲର ଜାତୀୟ ସାଧାରଣ ସାମ୍ପାଦକ ପିକେ କୁନହାଲିକୁଟ୍ଟୀ କହିଛନ୍ତି ଆମ ଦଳ ପିଏଫଆଇ ଚଳାଇଥିବା କାର୍ଯ୍ୟକଳାପକୁ ଘୋର ବିରୋଧ କରୁଛି। କିନ୍ତୁ ବିଜେପି ଓ କେନ୍ଦ୍ର ସରକାର ଆରଏସଏସ୍ ଏବଂ ଏହା ସହ ଜଡ଼ିତ ସଂଗଠନଗୁଡ଼ିକ ବିରୋଧରେ ମଧ୍ୟ ପଦକ୍ଷେପ ନେବା ଦରକାର। ସେମାନଙ୍କ କାର୍ଯ୍ୟକଳାପର ଯାଞ୍ଚ ହେବା ଉଚିତ। ଗୋଟିଏ ସଂଗଠନକୁ ବ୍ୟାନ କରିବା ଦ୍ୱାରା ସମସ୍ୟାର ସମାଧାନ ହୋଇପାରିବ କି ନାହିଁ, ସେ ବିଷୟରେ ମଧ୍ୟ ଆଲୋଚନା କରିବା କଥା ବୋଲି ସେ କହିଛନ୍ତି।
କଂଗ୍ରେସ କହିଛି ଯେ ଦଳ ସବୁବେଳେ ସମସ୍ତ ପ୍ରକାରର ସାଂପ୍ରଦାୟିକ କାର୍ଯ୍ୟକଳାପକୁ ବିରୋଧ କରି ଆସିଛି ଓ ଆଗକୁ ମଧ୍ୟ ଦଳ ତା’ର ନୀତିରେ କାଏମ ରହିବ। ସଂଖ୍ୟାଲଘୁ ହୁଅନ୍ତୁ କି ସଂଖ୍ୟାଗରିଷ୍ଠ, କଂଗ୍ରେସ ସବୁବେଳେ ସାଂପ୍ରଦାୟିକ ଘଟଣାକୁ ବିରୋଧ କରୁଛି।
ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ ମଧ୍ୟ ଦକ୍ଷିଣପନ୍ଥୀ ମୌଳବାଦୀ ଚିନ୍ତାଧାରା ରଖିଥିବା ସଂଗଠନ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଆରଏସଏସ୍କୁ ମଧ୍ୟ ବ୍ୟାନ କରାଯିବା ସପକ୍ଷରେ ମତ ରଖିଛନ୍ତି। ଏଥିସହ ପିଏଫଆଇ ଠାରୁ ଆରଏସଏସ ଆହୁରି ଖରାପ ବୋଲି ସେ କହିଛନ୍ତି।
ସିପଏମ ନେତା ସୀତାରାମ ୟେଚୁରୀ କହିଛନ୍ତି, “ବ୍ୟାନ କୌଣସି ସମସ୍ୟାର ସମାଧାନ ନୁହେଁ। ମହାତ୍ମା ଗାନ୍ଧିଙ୍କ ହତ୍ୟା ପରେ ଆରଏସଏସକୁ ୩ଥର ବ୍ୟାନ କରାଯାଇଥିଲା। କ’ଣ କିଛି ବି ବନ୍ଦ ହେଲା? ଆମେ ସିପିଆଇ(ମାଓବାଦୀ) ଉପରେ ବ୍ୟାନକୁ ମଧ୍ୟ ଦେଖିଛୁ।”
କେଏନଏମର ରାଜ୍ୟ ମୁଖ୍ୟ ଟିପି ଅବଦୁଲ୍ଲା କୋୟା ମଦାନୀ ପିଏଫଆଇ ଉପରେ ଲଗାଯାଇଥିବା ବ୍ୟାନକୁ ଠିକ୍ ବୋଲି କହିଛନ୍ତି। ସେ କହିଛନ୍ତି, “ନିଜର କାର୍ଯ୍ୟକଳାପ ପାଇଁ ପିଏଫଆଇ ଆଜି ନିଷିଦ୍ଧ ହୋଇଛି। ଆରଏସଏସ ଓ ଅନ୍ୟ ସଂଘ ପରିବାର ସଂଗଠନ ମଧ୍ୟ ସମାନଧରଣର ଧ୍ରୁବୀକରଣରେ ସାମିଲ ଅଛନ୍ତି। ତେଣୁ ସେମାନଙ୍କ ବିରୋଧରେ ମଧ୍ୟ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣୁ କରିବା ଦରକାର।”
The post ପିଏଫଆଇ ବ୍ୟାନ: ଆରଏସଏସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ତେଜିଲା appeared first on Odisha Reporter.
from Odisha Reporter https://ift.tt/lUJVX0H
No comments:
Post a Comment