ନୂଆଦିଲ୍ଲୀ: ଆଜି ହେଉଛି ୯୦ ତମ ବାୟୁସେନା ଦିବସ। ପରାକ୍ରମ ଦେଖାଇବ ଭାରତୀୟ ବାୟୁସେନା । ଏହି ଅବସରରେ ୮୦ରୁ ଅଧିକ ବାୟୁସେନା ଲଢ଼ୁଆ ବିମାନ ଓ ହେଲିକପ୍ଟର ଫ୍ଲାଏପାଷ୍ଟ କରିବେ। ଅନେକ କିଛି ପ୍ରଥମ ଥର ହେବାକୁ ଯାଉଛି। ପ୍ରଥମ ଥର ପାଇଁ ବାୟୁସେନା ଦିବସ ସମାରୋହ ଦିଲ୍ଲୀରୁ ବାହାରି ଚଣ୍ଡିଗଡ଼ରେ ଆୟୋଜିତ ହେବାକୁ ଯାଉଛି । ତେବେ ଏହା କେତେ ବିଶାଳ, କେତେ ଚିତାକର୍ଷକ ଓ କେତେ ଭବ୍ୟ ତାହା ଆଜି ପ୍ରଦର୍ଶିତ ହେବ। ଚଣ୍ଡିଗଡ଼ର ସୁଖ୍ନା ଲେକରେ ବିଶାଳ ହ୍ରଦର ସୁନୀଳ ଜଳରାଶି ଉପରେ ଫ୍ଲାଏପାଷ୍ଟ କରିବେ ବାୟୁସେନାର ୮୩ଟି ଏୟାର୍କ୍ରାଫ୍ଟ । ପ୍ରଥମ ଥର ପାଇଁ ଏଥର ବାୟୁସେନା ପ୍ରତିଷ୍ଠା ଦିବସ ହିନ୍ଦୋନ୍ ବାୟୁସେନା ଘାଟି ବାହାରେ ହେବାକୁ ଯାଉଛି। ଗୋଟିଏ C-17 ଓ ୯ଟି ହକ୍-132ର ଗ୍ଲୋବ୍ ଫର୍ମେସନ୍, ରାଫେଲ୍, ସୁଖୋଇ-39 ଓ ତେଜସର ଟ୍ରାନ୍ସଫର୍ମର୍ ଫର୍ମେସନ୍, ସୂର୍ଯ୍ୟକିରଣ ଏରୋବେଟିକ୍ ଓ ଆକାଶଗଙ୍ଗା ସ୍କାଏଡାଇଭିଂ ଟିମର ନିପୁଣତା, ପାରାଟ୍ରୁପର୍ଙ୍କ କରିସ୍ମା ଦେଖିବାକୁ ମିଳିବ। ଆଉ ଏସବୁ ସହିତ ଚିନୁକ୍, ଆପାଚେ, ମିରାଜ୍, ତେଜସ୍, ଜାଗୁଆର୍, ଡାକୋଟା, ଧ୍ରୁବ୍, MI-17, C-130J ଆଦିର ଜଲ୍ଓ୍ୱା ଅଦର୍ଶକଙ୍କୁ ଭାରତୀୟ ବାୟୁସେନାର ଶକ୍ତି ଓ ସାମର୍ଥ୍ୟ ସହିତ ପରିଚିତ କରାଇବ । ଏକଲବ୍ୟ, ତ୍ରିଶୁଳ, ମେହର୍, ବଜ୍ର, ସାରଙ୍ଗ ଆଦି ଫର୍ମେସନ ସହିତ ଦୁଇ ଜଣ ପୂର୍ବତନ ବାୟୁସେନା ଅଧିକାରୀଙ୍କ ସ୍ମୃତିରେ ଏବର୍ଷ ୨ଟି ନୂଆ ଫର୍ମେସନ୍ ସେଖୋନ୍ ଓ ଅର୍ଜନ ବି ପ୍ରଦର୍ଶିତ ହେବ। ପରମବୀରଚକ୍ର ବିଜେତା ଫ୍ଲାଇଟ୍ ଲେଫ୍ଟନାଣ୍ଟ ନିର୍ମଳଜିତ ସିଂ ସେଖୋନ୍ ଏବଂ ବାୟୁସେନାର ପ୍ରଥମ ଫାଇଭ୍ ଷ୍ଟାର୍ ଅଧିକାରୀ ମାର୍ଶଲ୍ ଅର୍ଜନ ସିଂଙ୍କ ନାମରେ ନାମିତ କରାଯାଇଛି।
ଚଳିତବର୍ଷ ଏୟାଫୋର୍ସ ଡେ’ ରେ ଆଉ ୨ଟି ନୂଆ କଥା ମଧ୍ୟ ହେବାକୁ ଯାଉଛି। ପ୍ରଥମ ଥର ପାଇଁ ଜନସାଧାରଣଙ୍କ ଆଗରେ ନିଜ ବଳ ପ୍ରଦର୍ଶନ କରିବ ନୂଆ ସ୍ୱଦେଶୀ ହାଲୁକା ଲଢ଼ୁଆ ହେଲିକପ୍ଟର ‘ପ୍ରଚଣ୍ଡ’ । ଏହାକୁ ଗତ ୩ ତାରିଖରେ ଯୋଧପୁରରେ ବିଧିବଦ୍ଧ ଭାବେ ବାୟୁସେନାରେ ସାମିଲ କରାଯାଇଛି । ୩ଟି ପ୍ରଚଣ୍ଡ ଫ୍ଲାଏପାଷ୍ଟରେ ସାମିଲ ହେବ। ଏଥିସହ ବାୟୁସେନାର ନୂଆ ୟୁନିଫର୍ମ ଉନ୍ମୋଚନ କରିବେ ବାୟୁସେନା ମୁଖ୍ୟ ଏୟାର୍ ଚିଫ୍ ମାର୍ଶଲ ଭି.ଆର୍. ଚୌଧୁରୀ। ୧୯୩୨ ଅକ୍ଟୋବର ୮ରେ ବ୍ରିଟିଶ୍ ରୟାଲ୍ ଏୟାଫୋର୍ସର ସହାୟକ ଭାବେ ପ୍ରତିଷ୍ଠା ହୋଇଥିଲା ପରାଧୀନ ଭାରତର ବାୟୁସେନା। ୧୯୩୩ ଏପ୍ରିଲରେ ପ୍ରଥମ ଅପରେସନାଲ୍ ସ୍କ୍ବାଡ୍ରନ୍ ଆରମ୍ଭ ହୋଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାମିଲ ହେବା ପରେ ଏହାକୁ ରୟାଲ୍ ଇଣ୍ଡିଆନ୍ ଏୟାର୍ଫୋର୍ସ ବୋଲି କୁହାଗଲା।
ତେବେ ୧୯୫୦ରେ ଏହାକୁ ଇଣ୍ଡିଆନ୍ ଏୟାର୍ ଫୋର୍ସ ବା ଭାରତୀୟ ବାୟୁସେନାର ପରିଚୟ ମିଳିଲା । ୧୯୫୯ ଏପ୍ରିଲ୍ ୨୧ରେ ଭାରତୀୟ ବାୟୁସେନାର ଆଦର୍ଶ ବାକ୍ୟ ବା ମୋଟୋ ନଭଃ ସ୍ପୃଶମ୍ ଦୀପ୍ତମକୁ ଅନୁମୋଦନ କରିଥିଲେ ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ । ଭଗବତ୍ ଗୀତାର ଏକାଦଶ ଅଧ୍ୟାୟରୁ ଏହା ଉଦ୍ଧୃତ ହୋଇଛି, ଯାହାର ଅର୍ଥ ଗୌରବର ସହ ଆକାଶକୁ ଛୁଅଁ।
The post ୯୦ ବର୍ଷରେ ପଦାର୍ପଣ କଲା ଭାରତୀୟ ବାୟୁ ସେନା, ଆଜି ଦେଖାଇବ ପରାକ୍ରମ appeared first on Odisha Reporter.
from Odisha Reporter https://ift.tt/XeMNyl1
No comments:
Post a Comment