ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ‘ନିଜ ଦୁଃଖ, ଗୁହାରୀ ନିଜ ଜିଲ୍ଲାର ମୁଖିଆଙ୍କୁ ଜଣାଇବେ, ସେ ଦୁଃଖ ବୁଝିବେ, ସମସ୍ୟାର ସମାଧାନ କରିବେ। ଏପରି ଆଶା ନେଇ ଶହ ଶହ ଆଦିବାସୀ ଦୀର୍ଘ ୬୫ କିମି ବଣ ଜଙ୍ଗଲଘେରା ବାଟ ଚାଲି ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଲେ। ହେଲେ ଜିଲ୍ଲାପାଳ ନା ଦେଖାଦେଲେ, ନା ସମସ୍ୟା ବୁଝିଲେ। ଶେଷରେ ନିଜ ଜିଦ୍ରେ ଅଟଳ ଶହ ଶହ ଆଦିବାସୀ ଥଣ୍ଡା, କାକରରେ ରାଜରାସ୍ତାରେ ରାତି କାଟିଲେ। ତଥାପି ତରଳୁନି ଜିଲ୍ଲାପାଳଙ୍କ ହୃଦୟ । ଗତକାଲି ରାତିରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାଜରାସ୍ତାରେ ଏପରି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି।
ସୂଚନା ମୁତାବକ, ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକର କେଶ୍ରାମାଲ, ଝଗରପୁର, ଅଲଣ୍ଡା, କୁକୁଡ଼ା ଏବଂ କୂତ୍ରା ବ୍ଲକ ଖଟଙ୍ଗ ପଞ୍ଚାୟତର ୭୧୭ ଏକର ଜମି ଅଧିଗ୍ରହଣ କରିବ ଓସିଏଲ୍। ଏହାକୁ ସ୍ଥାନୀୟ ଆଦିବାସୀମାନେ ପ୍ରବଳ ବିରୋଧ କରିଆସୁଛନ୍ତି। ହେଲେ ବିରୋଧ ସତ୍ତ୍ୱେ ପ୍ରଶାସନ ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଥିବାରୁ ଏହାର ପ୍ରତିବାଦ କରିଛନ୍ତି ସ୍ଥାନୀୟ ବାସିନ୍ଦା।
ଗତ ୧୮ ତାରିଖରୁ ସେମାନେ ରାଜଗାଙ୍ଗପୁର କେଶ୍ରାମାଲରୁ ପଦଯାତ୍ରାରେ ବାହାରି ୬୫ କିମି ଚାଲି ଚାଲି ଆସି ଗତକାଲି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ପହଞ୍ଚିଥିଲେ। ଦୀର୍ଘ ସମୟ ଅପେକ୍ଷା କରିବା ପରେ ସନ୍ଧ୍ୟା ୬ଟାରେ ଜିଲ୍ଲାପାଳ ବାହାରକୁ ଆସି ଆଦିବାସୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଆଲୋଚନା ପାଇଁ ଆଦିବାସୀଙ୍କ ଏକ ଟିମ୍କୁ ନିଜ କାର୍ଯ୍ୟାଳୟକୁ ଡାକିଥିଲେ। ମାତ୍ର ସର୍ବସମ୍ମୁଖରେ ଆଲୋଚନା ପାଇଁ ନିଜ ଜିଦ୍ରେ ଅଟଳ ରହିଲେ ଆଦିବାସୀ।
ଏହାପରେ ସବକଲେକ୍ଟର ଓ ଆଡିସନାଲ କଲେକ୍ଟର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଧାରଣା ପ୍ରତ୍ୟାହୃତ କରିବାକୁ କହିଥିଲେ। ମାତ୍ର ଆନ୍ଦୋଳନକାରୀ ଲିଖିତ ପ୍ରତିଶ୍ରୁତି ଦାବି କରିଥିଲେ। ତେଣୁ ଘଟଣାର ସମାଧାନ ହୋଇ ନ ଥିବା ବେଳେ ଆନ୍ଦୋଳନକାରୀ ଗତ ରାତିରେ ରାଜରାସ୍ତାରେ ଶୋଇ ରହିଥିଲେ। ଆଜି ସକାଳେ ମଧ୍ୟ ସବକଲେକ୍ଟର ଓ ଆଡିସନାଲ କଲେକ୍ଟର ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଥିବା ବେଳେ ସମାଧାନର କୌଣସି ସୂତ୍ର ବାହାରି ପାରିନି। ତେଣୁ ଆନ୍ଦୋଳନକାରୀ ରାଜରାସ୍ତାରେ ଥିବା ବେଳେ ବହୁ ସଂଖ୍ୟାରେ ପୁଲିସ୍ ମୁତୟନ ହୋଇଛନ୍ତି।
ଆଦିବାସୀଙ୍କ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା। ସରକାର ନ ଶୁଣିଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଆଦିବାସୀମାନେ ଚେତାବନୀ ଦେଇଛନ୍ତି।
The post ଗୁହାରୀ ଶୁଣିଲେନି ଜିଲ୍ଲାପାଳ, ରାଜରାସ୍ତାରେ ରାତି କାଟିଲେ ଆଦିବାସୀ appeared first on Odisha Reporter.
from Odisha Reporter https://ift.tt/hJvDZVH
No comments:
Post a Comment