ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରୁ ଟିମ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ବଡ଼ ପରିବର୍ତ୍ତନ କରିବା ମୁଡରେ ବିସିସିଆଇ। ଆସନ୍ତା ୨୪ ମାସ ମଧ୍ୟରେ ଭାରତୀୟ ଟି-୨୦ ସ୍କ୍ୱାଡରୁ ଅନେକ ବରିଷ୍ଠ ଖେଳାଳିଙ୍କୁ ବାଦ ଦିଆଯିବ। ରୋହିତ ଶର୍ମା, ବିରାଟ କୋହଲି, ରବି ଅଶ୍ୱିନ ଓ ଦୀନେଶ କାର୍ତ୍ତିକଙ୍କ ଭଳି ଷ୍ଟାର କ୍ରିକେଟରଙ୍କ ବିନା ୨୦୨୪ ଟି-୨୦ ବିଶ୍ୱକପ ପାଇଁ ବିସିସିଆଇ ଖେଳାଳିଙ୍କୁ ପ୍ରସ୍ତୁତ କରିବ ବୋଲି ଜଣାପଡ଼ିଛି।
ଦୀନେଶ କାର୍ତ୍ତିକ ଓ ରବି ଅଶ୍ୱିନ ସମ୍ଭବତଃ ଟି-୨୦ରେ ସେମାନଙ୍କ ଶେଷ ମ୍ୟାଚ୍ ଚଳିତ ବିଶ୍ୱକପରେ ଖେଳିଛନ୍ତି। ଉଭୟଙ୍କୁ ଆଉ ଟି-୨୦ ଫର୍ମାଟରେ ସୁଯୋଗ ଦେବନି ବିସିସିଆଇ। ସେହିପରି ବିରାଟ ଓ ରୋହିତଙ୍କ ଟି-୨୦ ଭବିଷ୍ୟତ ନିଷ୍ପତ୍ତି ବିସିସିଆଇ ସେମାନଙ୍କ ଉପରେ ଛାଡ଼ି ଦେଇଥିବା ପିଟିଆଇ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି।
ଗୁରୁବାର ଟି-୨୦ ବିଶ୍ୱକପ ସେମି ଫାଇନାଲରେ ହାରିବା ପରେ ଅଧିନାୟକ ରୋହିତ ଶର୍ମା କାନ୍ଦି ପକାଇଥିଲେ। ତାଙ୍କୁ ରାହୁଲ ଡ୍ରାଡିଭ ବୁଝାଉଥିବା ବେଳର ଦୃଶ୍ୟ ପୂରା ବିଶ୍ୱ ଦେଖିଥିଲା। ଏସବୁ ଭିତରେ ବିସିସିଆଇ ବଡ଼ ପରବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି।
ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ୨ ବର୍ଷ ସମୟ ରହିଛି। ଯଦି ବିସିସିଆଇ ସୂତ୍ରରୁ ମିଳିଥିବା କଥା ସତ, ତା’ହେଲେ ୨୦୨୪ରେ ଟିମ ଇଣ୍ଡିଆ ସଂପୂର୍ଣ୍ଣ ନୂଆ ରୂପରେ ମୈଦାନକୁ ଓହ୍ଲାଇବ। ସେହିପରି ଟି-୨୦ର ସ୍ଥାୟୀ କ୍ୟାପ୍ଟେନ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିସିସିଆଇ ମଧ୍ୟ ଚୟନ କରିପାରେ। ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦଳ ୨୦୨୪ ଟି-୨୦ ବିଶ୍ୱକପ ଖେଳିବାର ଯଥେଷ୍ଟ ସମ୍ଭାବନା ଥିବା ବିସିସିଆଇ ସୂତ୍ରରେ କୁହାଯାଇଛି।
ଏହି ସୂତ୍ରକୁ ଆଧାର କରି ପିଟିଆଇ ଖବର ପ୍ରକାଶ କରିଛି। ପିଟିଆଇକୁ ବିସିସିଆଇର ଜଣେ ଅଧିକାରୀ କହିଛନ୍ତ, “ବିସିସିଆଇ କେବେ ହେଲେ କାହାକୁ ଅବସର ନେବାକୁ କହେ ନାହିଁ। ଏହି ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ଖେଳାଳିଙ୍କ ଉପରେ ନର୍ଭର କରେ। କିନ୍ତୁ ଏହା ସତ ଯେ ୨୦୨୩ରେ ବହୁତ କମ ସଂଖ୍ୟା ଟି-୨୦ ମ୍ୟାଚ୍ ଖେଳାଯିବାର ରହିଛି।
ଦଳର ଅଧିକାଂଶ ବରିଷ୍ଠ ଖେଳାଳିଙ୍କୁ ଟେଷ୍ଟ ଓ ଦିନିକିଆ ମ୍ୟାଚ୍ ପାଇଁ ଚୟନ କରାଯିବ। ଯଦି କେହି ଅବସର ଘୋଷଣା କରିବାକୁ ଚାହୁଁ ନାହାନ୍ତି, ତା’ହେଲେ ସେ ଏ ସମ୍ପର୍କରେ ଘୋଷଣା ନ କରନ୍ତୁ। ହେଲେ ଆସନ୍ତା ବର୍ଷ ଆପଣମାନେ ଟି-୨୦ ସ୍କ୍ୱାଡରେ ଅନେକ ବରିଷ୍ଠ ଖେଳାଳିଙ୍କୁ ଦେଖିବାକୁ ପାଇବେ ନାହିଁ।”
ବିରାଟ କୋହଲି ଓ ରୋହିତଙ୍କ ଶର୍ମାଙ୍କ ଟି-୨୦ କ୍ୟାରିୟର ସମ୍ପର୍କରେ କୋଚ୍ ରାହୁଲ ଡ୍ରାଭିଡଙ୍କୁ ମଧ୍ୟ ପିଟିଆଇ ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ଏହାର ଉତ୍ତରେ ସେ କହିଛନ୍ତି, ଗୋଟିଏ ସେମି ଫାଇନାଲ ମ୍ୟାଚ୍ ପରେ ଏ ସମ୍ପର୍କରେ କଥାବାର୍ତ୍ତା କରିବା ଆଦୌ ଉଚିତ ନୁହେଁ।
ବରିଷ୍ଠ ଖେଳାଳିମାନେ ଆମ ପାଇଁ ଅନେକ ଭଲ ପ୍ରଦର୍ଶନ କରିଛନ୍ତି। ପରିବର୍ତ୍ତନ ଉପରେ ବିଚାର କରିବା ପାଇଁ ଆମ ପାଖରେ ୨ ବର୍ଷ ସମୟ ରହିଛି। ଭାରତ ପାଖରେ ଅନେକ ଦକ୍ଷ ଖେଳାଳି ରହିଛନ୍ତି। ତେଣୁ ଠିକଣା ସମୟରେ ଉଚିତ ପଦକ୍ଷେପ ନିଆଯିବ। ଆସନ୍ତା ବିଶ୍ୱକପ ପୂର୍ବରୁ ଅନେକ ମ୍ୟାଚ୍ ଖେଳାଯିବ। ସେତିକି ବେଳେ ଟିମ ଚୟନ ହେବ ବୋଲି ଡ୍ରାଭିଡ କହିଛନ୍ତି।
ରୋହିତ ଓ ବିରାଟ ହେଉଛନ୍ତି ଭାରତର ଷ୍ଟାର କ୍ରିକେଟର। ତେଣୁ ବିସିସିଆଇ ଉଭୟଙ୍କ ଉପରେ ସେମାନଙ୍କ ଆଗାମୀ ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଛାଡ଼ିଦେଇଛି। ରୋହିତଙ୍କୁ ବର୍ତ୍ତମାନ ୩୫ ବର୍ଷ। ୨୦୨୪ ଟି-୨୦ ବିଶ୍ୱକପ ବେଳକୁ ତାଙ୍କୁ ୩୭ ବର୍ଷ ବୟସ ହୋଇସାରିଥିବ। ସେହିପରି ବିରାଟ ମଧ୍ୟ ୩୬ ବର୍ଷରେ ପର୍ଦ୍ଦାପଣ କରି ସାରିଥିବେ।
ଆସନ୍ତା ବର୍ଷ ଭାରତରେ ଦିନିକିଆ ବିଶ୍ୱକପ ହେବ। ବିଶ୍ୱକପ ଥିବାରୁ ଟି-୨୦ ମ୍ୟାଚ୍ ଅଧିକ ମାତ୍ରାରେ ଖେଳାଯିବନି। କିନ୍ତୁ ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆ ପ୍ରାୟ ୨୫ଟି ଦିନିକିଆ ମ୍ୟାଚ ଖେଳିବାର ସମ୍ଭାବନା ରହିଛି।
The post ବିଦା ହେବେ ଟିମ ଇଣ୍ଡିଆର ଅନେକ ବରିଷ୍ଠ ଖେଳାଳି, ପାଣ୍ଡ୍ୟାଙ୍କୁ ମିଳିବ କମାଣ! appeared first on Odisha Reporter.
from Odisha Reporter https://ift.tt/qnyw48a
No comments:
Post a Comment