ବରଗଡ଼(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି। ନଭେମ୍ବର ୧୭ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ୧୮ ତାରିଖରେ ଯାଞ୍ଚ ଆଉ ୨୧ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିହେବ। ଡିସେମ୍ବର ୫ ତାରିଖରେ ଭୋଟ ଗ୍ରହଣ ପରେ ଡିସେମ୍ବର ୮ ତାରିଖରେ ଭୋଟ୍ ଗଣତି ହୋଇ ସେହିଦିନ ଫଳାଫଳ ପ୍ରକାଶ ପାଇବ। ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡି ନିଜ ନିଜ ପ୍ରାର୍ଥୀଙ୍କୁ ଚୟନ କରିବା ପାଇଁ ଲାଗି ପଡ଼ିଲେଣି। ବିଜେଡିରୁ ପ୍ରାର୍ଥୀ ହେବା ନେଇ ଦିବଂଗତ ବିଜୟ ରଂଜନ ସିଂ ବରିହାଙ୍କ ପରିବାରରୁ ସାମ୍ନାକୁ ଆସୁଛି ଦୁଇଟି ଚେହେରା। ଜଣେ ବିଜୟ ରଂଜନଙ୍କ ଧର୍ମପତ୍ନୀ ତିଳୋତ୍ତମା ସିଂ ବରିହା ଓ ଅନ୍ୟ ଜଣେ ହେଲେ ତାଙ୍କ ପୁତୁରା ବୋହୂ ମାଧବୀ ସିଂ ବରିହା।
ଧାମନଗର ଫଳାଫଳ ପରେ ବିଜେପି କ୍ୟାମ୍ପ ପୂରା ଉତ୍ସାହିତ ରହିଛି। ଧାମନଗର ଭଳି ପଦ୍ମପୁର ଉପନିର୍ବାନ ଲାଗି ତୟାର ହୋଇଛି ଷ୍ଟ୍ରାଟେଜି। ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏଠାରୁ ଦଳୀୟ ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। ଧାମନଗର ବାଇ ଇଲେକ୍ସନରେ ବିଜେଡିକୁ ମାତ୍ ଦେଇ ଚର୍ଚ୍ଚାରେ ଥିବା ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଏଠାକୁ ପ୍ରଚାର ପାଇଁ ଆଣିବାକୁ ଯୋଜନା କରୁଛି ଦଳ।
ସେହିପରି କଂଗ୍ରେସ୍ ପର୍ଯ୍ୟବେକ୍ଷକ ଟିମ୍ ୪ ଜଣଙ୍କ ନାଁ ହାଇକମାଣ୍ଡକୁ ସୁପାରିଶ କରିଛି। ସେମାନଙ୍କ ମଧ୍ୟରୁ ରେସରେ ଆଗରେ ଅଛନ୍ତି ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ।
The post ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ୫ରେ ଭୋଟ୍ appeared first on Odisha Reporter.
from Odisha Reporter https://ift.tt/n8rw0Ng
No comments:
Post a Comment