ମାଣବସା ଗୁରୁବାର ସମ୍ପୂର୍ଣ୍ଣ ପୂଜା ବିଧି, ଜାଣନ୍ତୁ କେମିତି କରିବେ ପୂଜା  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 16, 2022

ମାଣବସା ଗୁରୁବାର ସମ୍ପୂର୍ଣ୍ଣ ପୂଜା ବିଧି, ଜାଣନ୍ତୁ କେମିତି କରିବେ ପୂଜା 

  • ତପସ୍ୱିନୀ ନାୟକ

ଓଡ଼ିଶା ହେଉଛି ଜଗନ୍ନାଥଙ୍କ ରାଜ୍ୟ। ଏଠି ବାର ମାସରେ ତେର ପର୍ବ ପାଳନ କରିଥାନ୍ତି ଓଡ଼ିଶାବାସୀ । ଆଉ ସେଥିରୁ ଅନ୍ୟତମ ହେଉଛି ମାର୍ଗଶୀର ମାସ ମାଣବସା ଗୁରୁବାର। ଧନଦାତ୍ରି ମା‘ ଲକ୍ଷ୍ମୀଙ୍କୁ ମାର୍ଗଶିର ମାସ ଗୁରବାର ଦିନ ସଧବା ନାରୀ ମାନେ ଅଗଣାରେ ରଙ୍ଗବିରଙ୍ଗ ଝୋଟି ପକାଇ ନୂଆ ଲୁଗା ପରିଧାନ କରି ଘରେ ଧାନ ଖଟୁଲିକୁ ସୁସଜ୍ଜିତ କରି ମା’ଙ୍କୁ ଆବାହନ କରିଥାନ୍ତି। ଏଥିପାଇଁ ଗାଁଠୁ ସହର ଶଙ୍ଖ ହୁଳହୁଳି ଭାଟିପଡ଼ିଥାଏ।

ପୁରାଣରେ ବର୍ଣ୍ଣିତ ଅଛି ମା’ଙ୍କର ଟିକେ କୃପା ମିଳିଲେ ଗରିବ ଧନୀ ହୋଇଯାଏ। ଏଥିପାଇ ସଧବା ନାରୀ ନିଷ୍ଠାର ସହ ଏହି ବ୍ରତ କରିଥାନ୍ତି। ଏ ପୂଜାରେ ଜାତି,ଅଜାତି ନାହିଁ । ବ୍ରାହ୍ମଣ ଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ସବୁ ଓଡ଼ିଆଙ୍କ ଘରେ ଏ ପର୍ବ ପାଳନ କରାଯାଏ । ମାର୍ଗଶୀର ମାସ ମାଣବସା ଗୁରୁବାର ୪ ବା ୫ ପାଳି ପଡ଼ିଥାଏ। ପ୍ରତିପାଳିରେ ମା’ଙ୍କୁ ପୂଜା କରାଯାଇ ତାଙ୍କୁ ଆବାହାନ କରାଯାଇଥାଏ।

ମାଣବସା ଗୁରୁବାର ଓଷା ପୂର୍ବ ଦିନ ରାତିରେ ଗୃହିଣୀମାନେ ଘରଦ୍ୱାର ଲିପାପୋଛା କରିଥାନ୍ତି। ଗୁରୁବାର ଦିନ ବଡ଼ିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ଘରର ପ୍ରତ୍ୟେକ ଦୁଆର ଓ ଅଗଣା କାନ୍ଥ ଚାରିପାଖେ ଝୋଟିରେ ଲକ୍ଷ୍ମୀପାଦରେ ଆଙ୍କି ଥାନ୍ତି। ପରେ ମା’ ଲକ୍ଷ୍ମୀଙ୍କର ପୂଜା ଆରମ୍ଭ କରିଥାନ୍ତି। ହଳଦୀ ପାଣିରେ ଧୋଇ ରଖିଥିବା ମାଣକୁ  ଖଟୁଲି ଉପରେ ରଖି ଧଳାଧାନ ଭରାଯାଇଥାଏ। ପରେ ତା’ ନିକଟରେ ଧାନର କେଣ୍ଡାକୁ ରଖାଯାଇଥାଏ। ମା’ଲକ୍ଷ୍ମୀଙ୍କର ଖଟୁଲି ବା ଆସ୍ଥାନ ଚାରିପଟେ ଷୋଳ ପାଖୁଡା ବିଶିଷ୍ଟ ଦିବ୍ୟ, ପଦ୍ମ ଅଙ୍କନ କରାଯାଇଥାଏ। ସେଥିରେ ନାଲିଛିଟ, ସିନ୍ଦୁର ଓ  ପାଟକନାରେ ଓଢଣୀ ଦେଇ ମା’ଙ୍କ ନବବଧୂ ରୁପରେ ସଜାଯାଇଥାଏ। ମାଣ ପାଖରେ ଗୁଆ, କଉଡି, ନଡ଼ିଆ, ଦୁବ, ବରକୋଳି ପତ୍ର, ସିନ୍ଦୂର, କାଠରେ ନିର୍ମିତ ପ୍ରତିମା, ପାନିଆଁ, ଆଇନା  କଜ୍ଜଳ, ଆଖୁ, ମୂଳା ରଖାଯାଇଥାଏ। ପରେ ଫୁଲ ଓ ଚନ୍ଦନ ଧୂପଦୀପ ଓ ନୈବେଦ୍ୟ ଦିଆଯାଇ  ମା’ଙ୍କୁ ଆବାହନ କରାଯାଇଥାଏ।

ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ। ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ। ଲକ୍ଷ୍ମୀଙ୍କୁ ଧୂପ, ଦୀପ, ନୈବେଦ୍ୟ ସହ ବାଳଭୋଗରେ ଛେନା, ଗୁଡ଼, ନଡ଼ିଆ ଓ କଦଳୀକୁ ଚକଟି ଭୋଗ ଲଗାଯାଏ । ଏହାପରେ ମଧ୍ୟାହ୍ନ ଧୂପପାଇଁ ପ୍ରସ୍ତୁତି ଆରମ୍ଭ ହୁଏ। ମଧ୍ୟାହ୍ନରେ ଭୋଗ ଲାଗି କରାଯାଇଥାଏ। ଏଥିରେ ଖିରି ବା ତରଣ, ଚକୁଳିପିଠା, ତରକାରି ଇତ୍ୟାଦି ପ୍ରସ୍ତୁତ କରାଯାଇ ଶ୍ରଦ୍ଧାର ସହ ଭୋଗ ଲଗାଯାଏ । ମଧ୍ୟାହ୍ନ ଭୋଗପରେ ମା’ଙ୍କ ସମ୍ମୁଖରେ ଲକ୍ଷ୍ମୀ ପୁରାଣ ବୋଲାଯାଏ । ଏହି ଭୋଗ ଘରର ପ୍ରତ୍ୟେକ ସଦସ୍ୟ ଖାଇଥାନ୍ତି । ଏହିଭୋଗକୁ ପରିବାର ଛଡ଼ା ଅନ୍ୟ କାହାକୁ ନ ଦେବାର ନିୟମ ଅଛି। ସେହିପରି ଦ୍ୱିତୀୟ ଗୁରୁବାରରେ ଚିତଉପିଠା ଓ ଦହି କାଲୁଆ ଭୋଗ ଲଗାଯାଇଥାଏ। ତୃତୀୟ ଗୁରୁବାରରେ ଖେଚୁଡ଼ି ଓ ତରଣ ଓ  ୪ର୍ଥ ପାଳିରେ ମଣ୍ଡା ଭୋଗ ଲାଗି ହୋଇଥାଏ।

ମାର୍ଗଶିର ମାସର ଶେଷ ଗୁରୁବାର ଦିନ ବ୍ରତ ସାରି ଉଝା ଯାଏ । ଏହି ଦିନ ପୂର୍ବଭଳି ସମସ୍ତ ନୀତିରେ ମାଣ ବସାଇ ମଣ୍ଡା ପିଠା ଓ ଖିରି ଭୋଗ କରାଯାଏ। ସଞ୍ଜ ଭୋଗ ପରେ ସେହି ମାଣରେ ଥିବା ଧାନକୁ ଆଉ ଏକ ଜାଗାରେ ଅଜାଡ଼ି ରଖାଯାଏ । ପୂଜାର ଅନ୍ୟ ସମସ୍ତ ସଜକୁ ନେଇ ପୋଖରୀ ଆଦି ଜଳାଶୟରେ ବିସର୍ଜନ କରାଯାଏ । ପୂଜାରେ ବ୍ୟବହୃତ ଧାନକୁ କୁଟି ସେହି ଚାଉଳରେ ଖିରି ବା ଜାଉ ରାନ୍ଧି କେବଳ ଘର ଲୋକଙ୍କ ମଧ୍ୟରେ ଖିଆଯାଏ । ଏହିପରି ଲକ୍ଷ୍ମୀଙ୍କୁ ଆବାହନ କରିବାଠାରୁ ବିସର୍ଜନ କରାଯିବା ପର୍ଯ୍ୟନ୍ତ ସମସ୍ତ ବିଧି ବିଧାନକୁ ପାଳନ କରି ଘରର ବିବିଧ ଉନ୍ନତି କାମନା କରାଯାଏ ।

ପୌରାଣିକ କଥାବସ୍ତୁ ଅନୁଯାୟୀ, ଏକଦା ମାଣବସା ଗୁରୁବାର ଦିନ ମା’ ଲକ୍ଷ୍ମୀ ସ୍ୱାମୀ ଜଗନ୍ନାଥଙ୍କ ଠାରୁ ଅନୁମତି ନେଇ ନଗର ପରିଭ୍ରମଣରେ ବାହାରି ଗଲେ। ବ୍ରାହ୍ମଣୀ ରୂପରେ ସେ ଘର ଘର ବୁଲିଲେ । ଅନେକ ସ୍ଥାନ ବୁଲିବା ପରେ ସେ ଶ୍ରୀୟା ନାମକ ଜଣେ ଚଣ୍ଡାଳୁଣୀ ଘରେ ପହଞ୍ଚିଥିଲେ। ଘରଦ୍ୱାର ପରିଷ୍କାର କରି ଲିପାପୋଛା କରି ଶ୍ରୀୟା ତାଙ୍କ ପୂଜା ପାଇଁ ଭୋଗ-ନୈବେଦ୍ୟ ଆଦି ସଜାଡ଼ି ରଖୁଥିଲା। ଲକ୍ଷ୍ମୀ ତାଙ୍କ ଭକ୍ତିରେ ମନ୍ତ୍ରମୁଗ୍ଧ ହୋଇ ସେଠାରେ ହିଁ ରହିଗଲେ। ସେ କାଳରେ ସମାଜରେ ଛୁଆଁ ଅଛୁଆଁ ଭେଦଭାବ ରହିଥିଲା। ଏହା ଦେଖି ପ୍ରଭୁ ବଳରାମ କୋପ ପ୍ରକାଶ କଲେ। ଲକ୍ଷ୍ମୀ ବଡ଼ ଦେଉଳକୁ ଜାତି ନହେଲେ ପଶିପାରିବ ନାହିଁ ବୋଲି ଜଗନ୍ନାଥଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଚଣ୍ଡାଳୁଣୀର ଘରେ ପାଦ ଦେଇଥିବାରୁ ବଡ଼ଦେଉଳ ଦ୍ୱାର ଲକ୍ଷ୍ମୀଙ୍କ ପାଇଁ ବନ୍ଦ ହୋଇଥିଲା। ପରେ ଅପମାନିତ ହୋଇ ମାଆ ମଧ୍ୟ ମନ୍ଦିରରୁ ବାହାରି ଯାଇଥିଲେ। ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ସମୁଦ୍ର କୂଳରେ ବିଶ୍ୱକର୍ମା ଆଉ ଏକ ପ୍ରାସାଦ ଗଢ଼ିଦେଇଥିଲେ। ପରେ ମାଆ ତାଳ ବେତାଳଙ୍କୁ ଡକାଇ ବଡ଼ଦେଉଳରୁ ସବୁ ଜିନିଷ ଲୁଟିନେଇ ଶ୍ରୀମନ୍ଦିରକୁ ଶ୍ରୀହୀନ କରିଦେଲେ। ଖାଇବାକୁ ନପାଇ ଦୁଇଭାଇ ଜଗନ୍ନାଥ ଓ ବଳଭଦ୍ର ବାର ଦୁଆର ହେଲେ। ଶେଷରେ ସୁମଦ୍ରକୂଳରେ ତୋଳିଥିବା ପ୍ରସାଦକୁ ଯାଇ ପହଞ୍ଚିଥିଲେ। ସେଠାରେ ଯାଇ କିଛି ଖାଇବାକୁ ଦିଅ ବୋଲି ମାଗିଥିଲେ। ପରେ ମା’ ଲକ୍ଷ୍ମୀଙ୍କର ଦାସୀମାନେ ଏଇଟା ଚଣ୍ଡାଳର ଘର ବୋଲି କହିଥିଲେ। ପରେ ଦୁଇ ଭାଇ ସେଠାରେ ଭୋଜନ କରିବାକୁ ମନା କରି ଦେଇଥିଲେ। ପରେ ସେମାନେ ନିଜେ ରୋଷେଇ କରି ଖାଇବାକୁ ଚିନ୍ତା କରିଥିଲେ। ଦାସୀମାନଙ୍କୁ କିଛି ଜିନିଷ ଦିଅ, ଆମେ ରୋଷେଇ କରି ଖାଇବୁ ବୋଲି କହିଥିଲେ। ଦାସୀମାନେ ରୋଷେଇ ପାଇଁ ସବୁ  ଜିନିଷ ଆଣି ଦେଇଥିଲେ।

ପରେ ଦୁଇ ଭାଇ ଜଗନ୍ନାଥ ଓ ବଳଭଦ୍ର ରୋଷେଇ କରିବାକୁ  ପ୍ରସ୍ତୁତ ହୋଇଥିଲେ। ଅନ୍ୟ ପଟେ ମା’ ଲକ୍ଷ୍ମୀ ଅଗ୍ନି ଦେବତାଙ୍କୁ ସୁମରଣା କରି ନିଆଁ ନ ଜଳୁ, ଧୁଆଁ ହେଉ ବୋଲି ଆଜ୍ଞା ଦେଇଥିଲେ।  ଅଗ୍ନି ଦେବତା ମା’ଙ୍କ ଆଜ୍ଞା ମାନିଥିଲେ। ଦୁଇ ଭାଇ ରୋଷେଇ କରିବାକୁ ନିଆଁ ଜଳାଇଥିଲେ ମଧ୍ୟ ତାହା ଲାଗି ନଥିଲା। ଖାଲି ଧୁଆଁ ହୋଇଥିଲା। ପରେ ଦୁଇ ଭାଇ ହାଣ୍ଡି ପିଟି ଭାଙ୍ଗି ମା’ଙ୍କ ପ୍ରସାଦକୁ ପୁଣି ଥରେ ଫେରି ଆସିଥିଲେ। ଆମକୁ ଭୋଜନ ଦିଅ ବୋଲି କହିଥିଲେ। ଲକ୍ଷ୍ମୀ ଏହା ଶୁଣି ପ୍ରଭୁଙ୍କ ପାଇଁ ଭୋଜନ ପ୍ରସ୍ତୁତ କରିଥିଲେ।  ଦୁଇ ଭାଇଙ୍କୁ  ଭୋଜନ ପରସି ଦେବାକୁ ନିଜ ଦାସୀମାନଙ୍କୁ ଆଜ୍ଞା ଦେଇଥିଲେ।  ଦୁଇ ଭାଇ ମହା ଆନନ୍ଦରେ ଭୋଜନ ଗ୍ରହଣ କରିଥିଲେ। ପରେ ମହାଲକ୍ଷ୍ମୀଙ୍କୁ ଭେଟି ଥିଲେ ଜଗନ୍ନାଥ। ଆମର ଭୁଲ ହୋଇଯାଇଛି ,ଆମକୁ କ୍ଷମା କର ବୋଲି ମାଲକ୍ଷ୍ମୀଙ୍କ ହାତ ଧରି କହିଥିଲେ। ବଡ଼ ଦେଉଳକୁ ଫେରିଯିବାକୁ ଅନୁରୋଧ କରିଥିଲେ।  ମହାଲକ୍ଷ୍ମୀ ବଡ଼ ଦେଉଳ ଯିବାକୁ ପ୍ରଭୁଙ୍କ ନିକଟରେ ସର୍ତ୍ତ ରଖିଥିଲେ। ମୋ ବାରରେ ନଗ୍ର ବୁଲିବି  ଓ ଏଥିରେ ଛୁଆଁ ଅଛୁଆଁ ଭେଦଭାବ ରହିବ ନାହିଁ  ସେ କହିଥିଲେ। ଜଗନ୍ନାଥ ମହାପ୍ରଭୁ ଏନେଇ ପ୍ରତିଶ୍ରୁତି ଦେବାପରେ  ମହାଲକ୍ଷ୍ମୀ ବଡ଼ ଦେଉଳକୁ ଫେରିଥିଲେ।

 

The post ମାଣବସା ଗୁରୁବାର ସମ୍ପୂର୍ଣ୍ଣ ପୂଜା ବିଧି, ଜାଣନ୍ତୁ କେମିତି କରିବେ ପୂଜା  appeared first on Odisha Reporter.



from Odisha Reporter https://ift.tt/3QF6A25

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages