ନୂଆଦିଲ୍ଲୀ: ସବର୍ଣ୍ଣ ବର୍ଗର ଆର୍ଥିକ ଅନଗ୍ରସରଙ୍କ ଲାଗି କେନ୍ଦ୍ର ସରକାର କରିଥିବା ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଆଜି ଏହାର ରାୟ ଆସିପାରେ। ୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ରର ମୋଦି ସକରାର ସବର୍ଣ୍ଣ ବର୍ଗର ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କ ପାଇଁ ୧୦ ପ୍ରତିଣତ ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରିଥିଲେ। ପୂର୍ବରୁ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ଗରିବ ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ନିଷ୍ପତ୍ତିରେ ରୋକ ଲଗାଇବା ନେଇ ଆବେଦନକୁ ରଦ୍ଦ କରିଦେଇଥିଲେ ସୁପ୍ରିମକୋର୍ଟ । ତେବେ କଂଗ୍ରେସ ସମର୍ଥକ ଏବଂ ଏକାଧିକ ବ୍ୟକ୍ତିଙ୍କ ପକ୍ଷରୁ ପୁନର୍ବିଚାର ଲାଗି କରାଯାଇଥିବା ଆବେଦନକୁ କୋର୍ଟ ଗ୍ରହଣ କରିଥିଲେ। ପୂର୍ବରୁ ଏହି ମାମଲାରେ ସୁପ୍ରିମକୋର୍ଟ ଲଗାତାର ଶୁଣାଣି କରିଥିବା ବେଳେ ରାୟ ସଂରକ୍ଷିତ ରଖିଥିଲେ। ଏହାର ଆଜି ଚୂଡ଼ାନ୍ତ ରାୟ ଆସିପାରେ। ପ୍ରଧାନ ବିଚାରପତି ୟୁ ୟୁ ଲଳିତଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ଏହି ସଂରକ୍ଷଣ ବ୍ୟବସ୍ଥାର ବୈଧତା ନେଇ ରାୟ ଦେଇପାରନ୍ତି। ପୂର୍ବରୁ ସମ୍ବିଧାନର ୧୦୩ ତମ ସଂଶୋଧନର ବୈଧତାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ୟୁ ୟୁ ଲଳିତ, ଜଷ୍ଟିସ ଦିନେଶ ମାହେଶ୍ୱରୀ,ଜଷ୍ଟିସ ଏସ ରବୀନ୍ଦ୍ର ଭଟ୍ଟ, ଜଷ୍ଟିସ ବେଲା ଏମ ତ୍ରବେଦୀ ଓ ଜଷ୍ଟିସ ଜେବି ପାରଦିବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିଲେ।
ସମ୍ବିଧାନର ଏହି ସଂଶୋଧନ ଅନୁଯାୟୀ, କଲେଜ ଆଡମିଶନ ଏବଂ ସରକାରୀ ଚାକିରିରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ (ଇଡବ୍ଲୁଏସ୍) ପାଇଁ କେନ୍ଦ୍ର ସରକାର ୧୦ ପ୍ରତିଶତ ସଂରକ୍ଷଣ ନିଶ୍ଚିତ କରିଛନ୍ତି। ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ପୀଠ ଗତ କିଛି ଦିନ ଧରି ଇଡବ୍ଲୁଏସ କୋଟା ସମ୍ବିଧାନର ମୌଳିକ ଢାଞ୍ଚାର ଉଲ୍ଲଂଘନ କରିଛି କି ନାହିଁ ତାହାର ଶୁଣାଣି କରିଥିଲେ । ଏହି ମାମଲାର ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସରକାରଙ୍କ ପ୍ରତିନିଧିତ୍ୱ କରିଥିବା ବେଳେ ଶିକ୍ଷାବିତ ମୋହନ ଗୋପାଳ ଏବଂ ଅନ୍ୟ ବରିଷ୍ଠ ଓକିଲମାନେ ଇଡବ୍ଲୁଏସ କୋଟା ବିରୋଧରେ ପକ୍ଷ ରଖିଥିଲେ। ଶିକ୍ଷାବିତ୍ ମୋହନ ଗୋପାଳ ପ୍ରଥମେ ସେପ୍ଟେମ୍ବର ୧୩ରେ ସୁପ୍ରିମକୋର୍ଟ ପୀଠ ସମ୍ମୁଖରେ ଏହି ମାମଲାରେ ଯୁକ୍ତି ଉପସ୍ଥାପନ କରିଥିଲେ।
ଇଡବ୍ଲୁଏସ କୋଟା ସଂଶୋଧନକୁ ବିରୋଧ କରି ଗୋପାଳ ଏହାକୁ ପଛ ଦ୍ୱାର ଦେଇ ସଂରକ୍ଷଣ ଅବଧାରଣାକୁ ନଷ୍ଟ କରିବାର ପ୍ରୟାସ ବୋଲି ଯୁକ୍ତି କରିଥିଲେ ।ରବିବର୍ମା କୁମାର, ପି ୱିଲସନ, ମୀନାକ୍ଷୀ ଆରୋରା, ସଞ୍ଜୟ ପାରିକ, କେ.ଏସ୍ ଚୌହାନ ଏବଂ ଓକିଲ ଶାଦନ ଫରାସତଙ୍କ ସମେତ ବରିଷ୍ଠ ଓକିଲମାନେ ମଧ୍ୟ ଇଡବ୍ଲୁଏସ ସଂରକ୍ଷଣକୁ ସମାଲୋଚନା କରି କହିଥିଲେ ଯେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିର ଗରିବ ଲୋକଙ୍କୁ ଏଥିରେ ସାମିଲ କରାଯାଇ ନାହିଁ। ଏହି ସଂଶୋଧନକୁ ସମର୍ଥନ କରି ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ ସାଧାରଣ ବର୍ଗର ଗରିବ ପରିବାର ପାଇଁ ଏହି ଇଡବ୍ଲୁଏସ କୋଟା ଜରୁରୀ।ଏହି ମାମଲାରେ ଅତି କମରେ ୪୦ଟି ପିଟିସନର ଶୁଣାଣି କରାଯାଇଥିଲା। ଏଥିମଧ୍ୟରୁ ୨୦୧୯ରେ ‘ଜନହିତ ଅଭିଯାନ’ ତରଫରୁ ଦାଖଲ ହୋଇଥିବା ମୂଳ ପିଟିସନ ସମେତ ଅଧିକାଂଶ ଆବେଦନ ସମ୍ବିଧାନ ସଂଶୋଧନ (୧୦୩ ତମ) ଆଇନ ୨୦୧୯ର ବୈଧତାକୁ ଚ୍ୟାଲେଞ୍ଜ କରିଥିଲେ ।
The post ସବର୍ଣ୍ଣ ବର୍ଗର ଆର୍ଥିକ ଅନଗ୍ରସରଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା, ଆଜି ଆସିପାରେ ଚୂଡ଼ାନ୍ତ ରାୟ appeared first on Odisha Reporter.
from Odisha Reporter https://ift.tt/rc0d5Q9
No comments:
Post a Comment