ଢେଙ୍କାନାଳ(ରାଜଶ୍ରୀ ଶତପଥୀ): – ଢେଙ୍କାନାଳର ସ୍ୱତନ୍ତ୍ର ମିଠା ‘ମଗଜି ଲଡୁ’ର ସ୍ୱାଦ ନିଆରା। ଆଉ ଏହି ସ୍ୱାଦିଷ୍ଟ ମିଠା ଏବେ ଜିଆଇ ଟ୍ୟାଗ ମାନ୍ୟତା ରେସ୍ରେ ଅଛି। ଏଥିପାଇଁ ପ୍ରାଥମିକ ପରୀକ୍ଷଣ ଓ ନିରୂପଣ ବି ସରିଛି। ଶହ ଶହ ବର୍ଷ ପୂର୍ବରୁ ମଇଁଷି କ୍ଷୀର ଛେନାରୁ ନିର୍ମିତ ଏହି ମଗଜି ଲଡୁ ଜିଆଇ ଟ୍ୟାଗ ଦୌଡ଼ରେ ଥିବାରୁ ଢେଙ୍କାନାଳବାସୀଙ୍କ ଖୁସି କହିଲେ ନ ସରେ। ଏହି ଟ୍ୟାଗ୍ ମିଳିଲେ ଢେଙ୍କାନାଳବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ ହେବ।
ଦେଢ଼ ଶହ ବର୍ଷ ପୂର୍ବେ ଏହି ମଗଜି ମିଠା ଗଁନ୍ଦିଆର ଷଡ଼ଙ୍ଗୀ ଗାଁରେ ପ୍ରସ୍ତୁତ ହୋଇଥିଲା। ସେ ସମୟରେ ଚକ୍ରଧର ସାହୁ ନାମକ ବ୍ୟବସାୟୀ ପ୍ରଥମେ ଷଡ଼ଙ୍ଗୀ ବସଷ୍ଟାଣ୍ଡ ନିକଟରେ ଏକ ମିଠା ଦୋକାନ ଖୋଲି ଏହାର ବିକ୍ରୟ ଆରମ୍ଭ କରିଥିଲେ। ଆଉ ତାଙ୍କ ପରେ ଏବେ ଏହି ସ୍ୱାଦିଷ୍ଟ ମିଠା ମଗଜି ପାର୍ଶ୍ଵବର୍ତ୍ତୀ ମନ୍ଦାର, ଭୁବନ, ଗଁନ୍ଦିଆ, ବିଧାରପୁର, ଦେଓଗାଁ ସମେତ ଢେଙ୍କାନାଳ ଟାଉନର ସମସ୍ତ ମିଠା ଦୋକାନମାନଙ୍କରେ ପହଞ୍ଚି ସାରିଛି। ପଡ଼ୋଶୀ ଜିଲ୍ଲା ଅନୁଗୁଳ, କେଉଁଝର, ଯାଜପୁର, କଟକ ଆଦି ଅଞ୍ଚଳର ଲୋକମାନେ ମଧ୍ୟ ଏହି ଗଁନ୍ଦିଆ ଓ ଷଡ଼ଙ୍ଗୀ ଗାଁ ଦେଇ ଅତିକ୍ରମ କରୁଥିବା ବେଳେ ମଗଜି ଖାଇବାକୁ ଅଟକି ଯାଆନ୍ତି।
ମଗଜି ଲଡ଼ୁ ସହ ଢେଙ୍କାନାଳ ଜିଲ୍ଲାବାସୀ ଓତଃପ୍ରୋତ ଭାବେ ଜଡ଼ିତ ଥିବା ବେଳେ ଏବେ ଏହା ଜିଓଗ୍ରାଫିକାଲ ଇଣ୍ଡିକେସନ ବା ଜିଆଇ ଟ୍ୟାଗ ପାଇବା ନେଇ ଜିଲ୍ଲାବାସୀ ଖୁବ୍ ଆଶାବାଦୀ ଅଛନ୍ତି। ଏଥିପାଇଁ ୨୦୨୦ ମସିହାରେ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ତଥା ଓୟୁଏଟି ପକ୍ଷରୁ ଆବେଦନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଜି ଆଇର ଏକ୍ସପର୍ଟ ଟିମ ଦ୍ୱାରା ଏହାର ପ୍ରାଥମିକ ପରୀକ୍ଷଣ ମଧ୍ୟ ଶେଷ ହୋଇଛି। ସତରେ ମଇଁଷି କ୍ଷୀର ଛେନାରୁ ପ୍ରସ୍ତୁତ ଏହି ମଗଜି ମିଠା ଏତେ ସ୍ୱାଦିଷ୍ଟ ଯିଏ ବି ଏହାକୁ ଥରେ ଖାଇଛି ସିଏ ଏହାର ସ୍ୱାଦରେ ମଜ୍ଜି ଯାଇଛି।
ଢେଙ୍କାନାଳ ଜିଲ୍ଲାର ଏହା ପ୍ରଥମ ଜିନିଷ ଭାବରେ ଜିଆଇ ଟ୍ୟାଗର ମାନ୍ୟତା ପାଇବାର ଆଶା ଉଜ୍ଜୀବିତ ହୋଇଛି। ଆଉ ଏହି ମଗଜି ଜିଆଇ ଟ୍ୟାଗ ପାଇଲେ ସମଗ୍ର ଦେଶରେ ଏହାର ଚାହିଦା ବଢ଼ିବା ସହିତ ଏହାକୁ ପ୍ରସ୍ତୁତ କରୁଥିବା ବ୍ୟବସାୟୀ ଓ ମଇଁଷି ପାଳନ କରୁଥିବା ଚାଷୀଙ୍କ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହୋଇପାରିବ। ସବୁଠାରୁ ବଡ଼ କଥା ହେଉଛି ଏହା ଦ୍ୱାରା ଢେଙ୍କାନାଳ ମାଟିକୁ ମିଳିବ ସ୍ୱତନ୍ତ୍ର ପରିଚୟ।
ଏହାବାଦ ଷଡ଼ଙ୍ଗୀ , ଗଁନ୍ଦିଆ, ମନ୍ଦାର ଆଦି ପାହାଡ଼ ପର୍ବତ ଜଙ୍ଗଲ ଘେରା ଅଞ୍ଚଳ ହୋଇଥିବା ବେଳେ ଏଠି ପର୍ଯ୍ୟାପ୍ତ ଚାରଣ ଭୂମି ରହିଛି। ତେଣୁ ଏଠିକାର ଲୋକେ ଗାଇ, ମଇଁଷି ଆଦି ପାଳନ କରିଥାନ୍ତି। ଏହି ମଇଁଷିର କ୍ଷୀର ଓ ଦହି ଆଦିକୁ ଖାଦ୍ୟ ରୂପେ ଏଠିକାର ଲୋକେ ବ୍ୟବହାର କରୁଥିବା ବେଳେ ଏଥିରୁ ପ୍ରସ୍ତୁତ ଛେନାରୁ ଭିନ୍ନ ଭିନ୍ନ ପ୍ରକାରର ମିଠା ପ୍ରସ୍ତୁତ କରିଥାନ୍ତି। ସେଥି ମଧ୍ୟରୁ ମଗଜି ଅନ୍ୟତମ।
ମଗଜି ପାଇଁ ପ୍ରଥମେ ଚୁଲିରେ ଏକ କରେଇରେ ମଇଁଷି ଛେନା ପକାଯାଏ। ସେଥିରେ ଅଧା କିଲୋ ଚିନି, ଗୁଜରାତି ଆଦି ପକାଯାଇ ଘଣ୍ଟାଯାଏ। ପାଗ ହୋଇଯିବା ପରେ ଏହାକୁ ଲଡୁ ଆକାର ଦିଆଯାଏ ବୋଲି କହିଛନ୍ତି ମଗଜି ଲଡୁ ବିକ୍ରେତା ହୃଷିକେଶ ସାହୁ।
ଷଡ଼ଙ୍ଗୀ ପଞ୍ଚାୟତ ସରପଞ୍ଚ ସମ୍ବିତ କିଶୋର ଓଝା କହିଛନ୍ତି, ମଗଜିର ଯିଏ ସ୍ୱାଦ ପାଇଛି ସିଏ ପୁଣି ଥରେ ଏଠାକୁ ଆସିଛି। ଏବେ ଏହା ଜିଆଇ ଟ୍ୟାଗ ପାଇବାକୁ ରେସ୍ରେ ଥିବା ବେଳେ ଏହି ଟ୍ୟାଗ ପାଉ ବୋଲି ଆମେ ସମସ୍ତେ ଆଶାବାଦୀ ଅଛୁ।
The post ଜିଆଇ ଟ୍ୟାଗ୍ ଦୌଡ଼ରେ ସାମିଲ ହେଲା ଢେଙ୍କାନାଳର ‘ମଗଜି ଲଡୁ’ appeared first on Odisha Reporter.
from Odisha Reporter https://ift.tt/e1AJndm
No comments:
Post a Comment