ଡେରାଡୁନ: ଆମ ରାଜ୍ୟରେ କମିଶନ ବିନା କୌଣସି କାମ ହୁଏନି। ଉତ୍ତରପ୍ରଦେଶରୁ ଅଲଗା ହେବା ପରେ ଆମେ କମିଶନଶୂନ୍ୟ ହେବୁ ବୋଲି ଭାବିଥିଲୁ, କିନ୍ତୁ ତାହା ସମ୍ଭବ ହୋଇପାରିନାହିଁ। ମୁଁ ଏକଦା ମୁଖ୍ୟମନ୍ତ୍ରୀ ଥିଲି, ,ଏବେ ରାଜ୍ୟରେ ଆମ ସରକାର ଶାସନ ଗାଦି ସମ୍ଭାଳିଛି। ତଥାପି ମୁଁ ଏହା କହିବାକୁ ବାଧ୍ୟ ହେଉଛି ଯେ ଉତ୍ତରାଖଣ୍ଡରେ ବିନା କମିଶନରେ କୌଣସି କାମ ହୋଇପାରେନି। ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତଙ୍କ ଏହି ନୂଆ ଭିଡିଓ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଏହି ଭିଡିଓରେ ତିରଥ ସିଂ ରାୱତଙ୍କ ସମେତ ଅନ୍ୟ ବିଜେପି ନେତାମାନେ ଏକ ରୁମ୍ରେ ବସିଥିବା ବେଳେ ସେମାନଙ୍କ ବାର୍ତ୍ତାଳପର ଭିଡିଓ ଏବେ ସୋଶାଲ ମିଡିଆରେ ଘୁରି ବୁଲୁଛି। ଏହି ଭିଡିଓରେ ରାୱତ କହିଛନ୍ତି, “ମୁଁ ମୁଖ୍ୟମନ୍ତ୍ରୀ ହୋଇସାରିଛି ଏବଂ ବୋଧହୁଏ ମୁଁ ଏହା କହିବା ଉଚିତ୍ ନୁହେଁ । କିନ୍ତୁ ମୋର ସତ କହିବାକୁ କୌଣସି ଦ୍ୱିଧା ନାହିଁ ଯେ ଯେତେବେଳେ ଆମେ ଉତ୍ତରପ୍ରଦେଶରୁ ଅଲଗା ହୋଇଥିଲୁ, ସେଠାରେ କାର୍ଯ୍ୟ କରିବାକୁ ୨୦% କମିଶନ ଦେବାକୁ ପଡ଼ୁଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସେହି କମିଶନି କାରବାର ପ୍ରଚଳିତ ଅଛି।
ଉତ୍ତରାଖଣ୍ଡ ୨୦୦୦ ମସିହା ନଭେମ୍ବର ୯ ତାରିଖରେ ଉତ୍ତରପ୍ରଦେଶରୁ ଅଲଗା ହୋଇଥିଲା। ସେତେବେଳେ ଉତ୍ତରପ୍ରଦେଶରେ କମିଶନ ପ୍ରଥା ଜୋରସୋରରେ ପ୍ରଚଳିତ ଥିବାରୁ ଉତ୍ତରାଖଣ୍ଡରେ ଏକ ନୂଆ ପ୍ରଥା ସୃଷ୍ଟି କରିବାକୁ ଅଣ୍ଟା ଭିଡ଼ିଥିଲୁ ବୋଲି କହିଛନ୍ତି ରାୱତ । ମାତ୍ର ଶତ ଚେଷ୍ଟା ସତ୍ତ୍ୱେ ତାହା ସମ୍ଭବ ହୋଇପାରିଲାନି। ଏବଂ ଏଠାରେ ବି ସେହି କଳଙ୍କିତ ଅଧ୍ୟାୟ ଆରମ୍ଭ ହୋଇଥିବା ବେଳେ ଆଜି ବି ବଳବତ୍ତର ରହିଛି। ଆମକୁ ୨୦% କମିଶନ ସହିତ କାମ କରିବାକୁ ପଡ଼ୁଛି।
ପୂର୍ବରୁ ବି ଏହି ପ୍ରସଙ୍ଗ ଉଠାଇ ଏହାର ମୂଳୋତ୍ପାଟନ କରିବାକୁ ଅଣ୍ଟା ଭିଡ଼ିଥିବା ରାୱତ ଏଥର ଲାଞ୍ଚଖୋରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଏନେଇ ସେ କହିଛନ୍ତି, ଲାଞ୍ଚ ନେବା ମାମଲାରେ କେବଳ ଅପରାଧିଙ୍କୁ ଦଣ୍ଡିତ କରିଦେଲେ କିଛି ହେବନି। ଏଥିନିମନ୍ତେ ଜନପ୍ରତିନିଧୀ ବି ଦାୟୀ। ତେଣୁ ସେମାନଙ୍କ ବିରୋଧରେ ବି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ। ଉତ୍ତରପ୍ରଦେଶରୁ ଅଲଗା ହେବା ପରେ ଯେଉଁଠି କମିଶନ ପ୍ରତିଶତ ଶୂନ ହେବା କଥା, ସେଠାରେ ୨୦%ରୁ ଏହି ଆରମ୍ଭ ହେଲା।
ଏଥିସହ ସେ କହିଛନ୍ତି, ମୁଁ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲି, ଏବେ ସେଠାରେ ଏବେ ଆମ ଶାସନ ଚାଲିଛି। ଏହା ସତ୍ତ୍ୱେ ଏହି ରାଜ୍ୟରୁ କମିଶନ କାରବାରର ଚେର କେହି ଉପାଡ଼ି ଫୋପାଡ଼ି ପାରୁ ନାହାନ୍ତି। ଏଥିଯୋଗୁ ସାଧାରଣ ଲୋକଙ୍କୁ ନିଜ କାମ କରାଇବା ନିମନ୍ତେ ସରକାରୀ ଅଧିକାରୀଙ୍କୁ ବହୁ ମୂଲ୍ୟର କମିଶନ ଦେବାକୁ ପଡ଼ୁଛି ।
ଉତ୍ତରାଖଣ୍ଡରେ ଏବା ଭାଜପା ସରକାର ଥିବାରୁ ଏହି ସରକାର ଭ୍ରଷ୍ଟାଚାରୀଙ୍କ ବିରୋଧରେ ଶକ୍ତ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ଆବଶ୍ୟକ । ଭ୍ରଷ୍ଟାଚାରର ଚେର ଉପାଡ଼ି ଫୋପଡ଼ାଗଲେ ସାଧାରଣ ଲୋକେ ଆଶ୍ୱସ୍ତ ହେବେ ବୋଲି ଉତ୍ତରାଖଣ୍ଡ କଂଗ୍ରେସର ମୁଖ୍ୟ ପ୍ରବକ୍ତା ଗରିମା ମେହରା କହିଛନ୍ତି।
ତେବେ ରାୱତ କହିଛନ୍ତି ଯେ ଏଥିପାଇଁ କେହି ଦାୟୀ ନୁହଁନ୍ତି। ଏହା ହେଉଛି ଏକ ମାନସିକତା। ଏହା ଠିକ୍ ହେବ ଯେତେବେଳେ ଆମେ ଅନୁଭବ କରିବୁ ଯେ ଏହା ଆମର ରାଜ୍ୟ, ଆମର ପରିବାର ।
ସୂଚନାଯୋଗ୍ୟ, ୨୦୧୩ ନଭେମ୍ବର ୯ରୁ ୨୦୧୫ ଡିସେମ୍ବର ୩୧ ଯାଏ ଉତ୍ତରାଖଣ୍ଡ ବିଜେପି ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ ତିରଥ ସିଂ ରାୱତ। ସେ ୨୦୧୨ରୁ ୨୦୧୭ ଯାଏ ଉତ୍ତରାଖଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୨୧ରେ ସେ ମାତ୍ର ୪ ମାସ ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଏବେ ସେ ଭାଜପା ଟିକେଟରୁ ଲୋକସଭା ସାଂସଦ ଅଛନ୍ତି।
The post ‘କମିଶନ କାରବାର ବିନା ଉତ୍ତରାଖଣ୍ଡରେ କୌଣସି କାମ ହୁଏନି’ appeared first on Odisha Reporter.
from Odisha Reporter https://ift.tt/APmwdV4
No comments:
Post a Comment