ରାଞ୍ଚି: ବେଆଇନ ଖଣି ଖନନ ମାମଲାରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବେ ଇଡି ସ୍କାନରେ ରହିଛନ୍ତି। ତାଙ୍କୁ ଜେରା ପାଇଁ ସମନ କରାଯାଉଥିଲେ ହେଁ ଏହାକୁ ସେ ବେଖାତିର କରିଛନ୍ତି। ଏସବୁ ଭିତରେ ୨୦୧୯ ବିଧାନସଭା ନିର୍ବାଚନ ବେଳେ ହେମନ୍ତ ସୋରେନଙ୍କ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମମଏ) ଦେଇଥିବା ଦୁଇଟି ବଡ଼ ପ୍ରତିଶ୍ରୁତି ପୂରଣ ପାଇଁ ଅଣ୍ଟା ଭିଡ଼ିଛି।
ଶୁକ୍ରବାର ଅର୍ଥାତ ଆଜି ଝାରଖଣ୍ଡ ବିଧାନସଭାର ସ୍ୱତନ୍ତ୍ର ଅଧିବେଶ ଡକାଯାଇଛି। ଏହି ଅଧିବେଶରେ ସୋରେନ ସରକାର ଦୁଇଟି ବଡ଼ ସଂସ୍କାର ଲାଗୁ କରିବା ପାଇଁ ବିଲ ପାରିତ କରିବା ମୁଡରେ ଅଛନ୍ତି।
ଆଜି ଝାରଖଣ୍ଡ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଦୁଇଟି ଐତିହାସିକ ବିଲ୍ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। ପ୍ରଥମ ବିଲଟି ହେଉଛି ୧୯୩୨ ମସିହାର ଜମି ରେକର୍ଡ ବ୍ୟବହାର କରି ସ୍ଥାନୀୟ ବାସିନ୍ଦାଙ୍କ ଚିହ୍ନଟ କରିବା। ସେହିପରି ଦ୍ୱିତୀୟ ବିଲଟି ହେଉଛି ଅନ୍ୟ ପଛୁଆ ବର୍ଗ (ଓବିସି) ପାଇଁ ନିଯୁକ୍ତି ଓ ସରକାରୀ ଚାକିରି କ୍ଷେତ୍ରରେ ଲାଗୁ ସଂରକ୍ଷଣ ବ୍ୟବସ୍ଥାକୁ ୧୪ରୁ ୨୭%କୁ ବୃଦ୍ଧି କରିବା। ଏହି ବିଲ୍ ଦ୍ୱୟ ରାଜନୀତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ। ବିରୋଧୀ ଦଳଗୁଡ଼ିକ ମଧ୍ୟ ଏହାକୁ ବିରୋଧ କରିବାର କୌଣସି ଆଶଙ୍କା ନାହିଁ।
କେବଳ ଏତିକି ନୁହେଁ, ବିରୋଧୀ ବିଜେପିକୁ କାଉଣ୍ଟର କରିବା ପାଇଁ ଝାରଖଣ୍ଡ ସରକାର ପୂର୍ବରୁ କହିଛନ୍ତି ଯେ ରାଜ୍ୟପାଳଙ୍କ ଅନୁମୋଦନ ପରେ ନୂଆ କୋଟା ବ୍ୟବସ୍ଥା ଅଦଲତ ଲଢ଼େଇକୁ ଯିବ କି ନାହିଁ, ତା’ର ନିଷ୍ପତ୍ତି କେନ୍ଦ୍ର ସରକାର ନେବେ। ତେଣୁ ସଂରକ୍ଷଣ ବ୍ୟବସ୍ଥାର ଚୂଡ଼ାନ୍ତ ନିଷ୍ପତ୍ତି କେନ୍ଦ୍ର ଉପରେ ଛାଡ଼ି ସୋରେନ ସରକାର ବିଜେପିକୁ କାଉଣ୍ଟର କରିବାକୁ ଲକ୍ଷ୍ୟ ରଖିଛନ୍ତି।
ନୂଆ ସଂରକ୍ଷଣ ନୀତି ଅନୁଯାୟୀ କେବଳ ଓବିସି କୋଟା ୧୪ରୁ ୨୭%କୁ ବୃଦ୍ଧି ହେବନି, ବରଂ ଅନୁସୂଚିତ ଜନଜାତି କୋଟା ୨୬ରୁ ୨୮% ଓ ଅନୁସୂଚିତ ଜାତିର କୋଟାକୁ ୧୦ରୁ ୧୨% ବଢ଼ିବ।
ଗତ ସପ୍ତାହରେ ସୁପ୍ରିମକୋର୍ଟଙ୍କ ଉଚ୍ଚ ଜାତିର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ (ଇଡବ୍ଲ୍ୟୁଏସ୍)ଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ୧୦% ସଂରକ୍ଷଣ ବ୍ୟବସ୍ଥାକୁ କାଏମ ରଖିଥିଲେ। ଫଳରେ ରାଜ୍ୟରେ ଏବେ ମୋଟ ସଂରକ୍ଷଣ ବ୍ୟବସ୍ଥା ୭୭%କୁ ବୃଦ୍ଧି ପାଇବ। ଏହା ଦେଶର କୌଣସି ରାଜ୍ୟରେ ସବୁଠାରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା।
ଅନ୍ୟପକ୍ଷରେ ସ୍ଥାୟୀ ଆବାସ ରେକର୍ଡ ନୀତି କଥା ବିଚାରକୁ ନେଲେ ଏହା ରାଜ୍ୟର ଆଦିବାସୀ ସଂପ୍ରଦାୟର ଗୋଟିଏ ପ୍ରମୁଖ ଦାବି। ଏହି ବିଲ୍ ଆଇନରେ ପରିଣତ ହେବା ପରେ ଯେଉଁମାନଙ୍କର ପୂର୍ବପୁରୁଷ ୧୯୩୨ ମସିହା ପୂର୍ବରୁ ରାଜ୍ୟରେ ରହୁଥିଲେ ଓ ଯେଉଁମାନଙ୍କ ନାମ ସେହି ବର୍ଷର ଜମି ରେକର୍ଡରେ ଅନ୍ତର୍ଭୁକ୍ତ ହୋଇଥିଲା ସେମାନେ ଝାରଖଣ୍ଡର ସ୍ଥାନୀୟ ବାସିନ୍ଦା ଭାବରେ ବିବେଚିତ ହେବେ।
The post ଇଡି ସ୍କାନରେ ମୁଖ୍ୟମନ୍ତ୍ରୀ, ଦୁଇ ବଡ଼ ସଂସ୍କାର ଦିଗରେ ଝାରଖଣ୍ଡ ସରକାର appeared first on Odisha Reporter.
from Odisha Reporter https://ift.tt/PCc6r9A
No comments:
Post a Comment