ନୂଆଦିଲ୍ଲୀ: ବିଚାରପତିଙ୍କ ନିଯୁକ୍ତ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। କଲେଜିୟମ ହେଉଛି ଦେଶର ଆଇନ୍। ଏହାକୁ ପାଳନ କରିବାକୁ ପଡିବ ବୋଲି ସୁପ୍ରିମକୋର୍ଟ ତାଗିଦ କରୁଥିବା ବେଳେ ସରକାର କିନ୍ତୁ ଏହାକୁ ମାନିବାକୁ ନାରାଜ ଅଛନ୍ତି। ଏହାରି ଭିତରେ ସୁପ୍ରିମକୋର୍ଟ କଲେଜିୟମରୁ ହାଇକୋର୍ଟ ବିଚାରପତିଙ୍କ ନିଯୁକ୍ତି ସହ ଜଡିତ ୨୦ଟି ଫାଇଲ ସରକାର ଫେରାଇ ଦେଇଥିବା ଜଣାପଡିଛି। କଲେଜିୟମର ଏଗୁଡିକର ପୁନର୍ବିଚାର କରିବା ଉଚିତ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା ସହିତ ଜଡିତ ସୂତ୍ରରୁ ଜଣାପଡିଛି ଯେ ସରକାର ୨୫ ନଭେମ୍ବରରେ ଏହି ଫାଇଲଗୁଡ଼ିକୁ କଲେଜିୟମକୁ ପଠାଇ ଦେଇଛନ୍ତି। ଏହି ଫେରସ୍ତ ହୋଇଥିବା ଫାଇଲ୍ ଗୁଡିକରେ ଆଡଭୋକେଟ୍ ସୌରଭ କିର୍ପାଲଙ୍କ ନିଯୁକ୍ତି ଫାଇଲ୍ ମଧ୍ୟ ସାମିଲ ଅଛି। କେବଳ ଏତିକି ନୁହେଁ, ସୁପାରିଶ କରାଯାଇଥିବା ନାମଗୁଡ଼ିକ ଉପରେ ମଧ୍ୟ ଦୃଢ଼ ଆପତ୍ତି ପ୍ରକାଶ କରିଛନ୍ତି ସରକାର। ଏହି ୨୦ ଟି ଫାଇଲ ମଧ୍ୟରୁ ୧୧ ଟି ନୂଆ ଫାଇଲ ଏବଂ ୯ ଟି ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା ପୁନଃ ପଠାଯାଇଥିଲା।
ବାସ୍ତବରେ ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ଏନ.ଭି ରାମନ୍ନାଙ୍କ ନେତୃତ୍ୱରେ ହୋଇଥିବା କଲେଜିୟମ ଓକିଲ ସୌରଭ କିର୍ପାଲଙ୍କୁ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତ କରିବାକୁ ସୁପାରିଶ କରିଥିଲା। ସୌରଭ କିରପାଲ ହେଉଛନ୍ତି ଭାରତର ପୂର୍ବତନ ପ୍ରଧାନ ବିଚାରପତି ବି.ଏନ କିରପାଲଙ୍କ ପୁଅ। ଅକ୍ଟୋବର ୨୦୧୭ ରେ ଦିଲ୍ଲୀ ହାଇକୋର୍ଟ କଲେଜିୟମ ଦ୍ୱାରା କିର୍ପାଲଙ୍କ ନାମ ସୁପ୍ରିମକୋର୍ଟ କଲେଜିୟମକୁ ପଠାଯାଇଥିଲା। କିନ୍ତୁ, ସୁପ୍ରିମକୋର୍ଟ କଲେଜିୟମ କିର୍ପାଲଙ୍କ ନାମ ବିଚାରକୁ ତିନିଥର ସ୍ଥଗିତ ରଖିଥିଲେ।
ଜଷ୍ଟିସ୍ ଏନ.ଭି ରାମନ୍ନାଙ୍କ ପୂର୍ବରୁ ପ୍ରଧାନ ବିଚାରପତି ଥିବା ଏସ୍ଏ ବୋବଡେଙ୍କ କଲେଜିୟମ୍ ତାଙ୍କ ନାମ ସ୍ଥଗିତ ରଖିଥିବାବେଳେ କିର୍ପାଲଙ୍କ ବିଷୟରେ ଅଧିକ ସୂଚନା ମାଗିଥିଲେ। ଅବଶ୍ୟ, ପରେ ନଭେମ୍ବର ୨୦୨୧ ରେ, ଏନ୍ଭି ରମନ୍ନା ସିଜେଆଇ ହେବା ପରେ ତାଙ୍କ ନାମ କେନ୍ଦ୍ରକୁ ସୁପାରିଶ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ନିକଟରେ ଓକିଲ ସୌରଭ କିର୍ପାଲ ସେ ସମଲିଙ୍ଗୀ ହେବା ବିଷୟରେ ଖୋଲାଖୋଲି ଭାବେ କହିଥିଲେ।
The post କଲେଜିୟମ ବିବାଦ: ଜଜ୍ଙ୍କ ନିଯୁକ୍ତି ସହ ଜଡିତ ୨୦ଟି ଫାଇଲ୍ ଫେରାଇଲେ ସରକାର appeared first on Odisha Reporter.
from Odisha Reporter https://ift.tt/voM3hFT
No comments:
Post a Comment