କରଞ୍ଜିଆ (ଓଡ଼ିଶା ରିପୋର୍ଟର): ବନ୍ୟଜନ୍ତୁଙ୍କୁ ଶିକାର କରି ଘରେ ରଖିଥିବା ଖବର ପାଇ ଚଢ଼ାଉ ପାଇଁ ଯାଇଥିଲେ ବନ କର୍ମଚାରୀ। ହେଲେ ସେମାନଙ୍କୁ ମାଡ଼ ମାରି ରକ୍ତାକ୍ତ କରି ଦେଲେ ଗ୍ରାମବାସୀ। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଏଦେଲବେଡ଼ା ଗାଁରେ ଘଟିଛି ଏହି ଘଟଣା।
ଏଦେଲବେଡ଼ା ଗାଁର ଲୋକମାନେ ବନ୍ୟଜନ୍ତୁ ଶିକାର କରି ଘରେ ରଖିଥିବା କେନ୍ଦୁମୁଣ୍ଡି ବନ୍ୟପ୍ରାଣୀ ବିଭାଗ ଖବର ପାଇଥିଲା। ଗତକାଲି ରାତିରେ ରେଞ୍ଜରଙ୍କ ସମେତ ୧୦ ବନ କର୍ମଚାରୀ ଗାଁରେ ଚଢ଼ାଉ କରିଥିଲେ। ବନ କର୍ମଚାରୀଙ୍କୁ ଗାଁରେ ଦେଖି ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ବନ ବିଭାଗ କର୍ମଚାରୀ ନେଇ ଯାଇଥିବା ୨ଟି ଗାଡ଼ିକୁ ଅଟକାଇ ରଖିବା ସହ ସେମାନଙ୍କୁ ନିସ୍ତୁକ ପିଟିଥିଲେ ଗ୍ରାମବାସୀ।
ପୁଲିସ ପହଞ୍ଚି ବନ କର୍ମଚାରୀଙ୍କୁ ଉଦ୍ଧାର କରି କରଞ୍ଜିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ରେଞ୍ଜର ଦୁର୍ଗାଚରଣ ବାସ୍କେ ଓ ଅନ୍ୟ ଜଣେ ବନ କର୍ମଚାରୀ ବାଜୁନ ମାଝୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ପଠାଯାଇଥିଲା। ତେବେ ଗ୍ରାମବାସୀଙ୍କ ଆକ୍ରମଣ ବେଳେ କିଛି ବନ କର୍ମଚାରୀ ଖସି ପଳାଇଯାଇଥିବାରୁ ସେମାନଙ୍କ ସହ ଯୋଗାଯୋଗ ହୋଇପାରିନଥିବା ସୂଚନା ମିଳିଛି। ପୁଲିସ ନିଖୋଜ ଥିବା ବନ କର୍ମଚାରୀଙ୍କୁ ଖୋଜାଖୋଜି କରୁଛି । ତେବେ ଏନେଇ ଥାନାରେ ଅଭିଯୋଗ ହୋଇନାହିଁ।
The post ଚଢ଼ାଉ ପାଇଁ ଯାଇଥିଲେ ବନ କର୍ମଚାରୀ, ନିସ୍ତୁକ ପିଟିଲେ ଗ୍ରାମବାସୀ appeared first on Odisha Reporter.
from Odisha Reporter https://ift.tt/EQrfepB
No comments:
Post a Comment