ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଖଣି ମାଫିଆମାନେ ସଂଘବଦ୍ଧ ହୋଇ ଢେଙ୍କାନାଳ ଡିଏଫଓ ପ୍ରକାଶ ଚନ୍ଦ୍ର ଗୋଗିନାନୀଙ୍କୁ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଢେଙ୍କାନାଳ ସଦର ଥାନା ପୁଲିସ୍ ୬ ଜଣଙ୍କୁ ଅଟକ ରଖିଛି।
ଶନିବାର ରାତିରେ ଏହି ଘଟଣା ଘଟିଛି। ହାତୀଙ୍କ ଗତିବିଧି ଲକ୍ଷ୍ୟ କରିବାକୁ ଡିଏଫଓ ଗତକାଲି ରାତି ପ୍ରାୟ ୯ଟା ବେଳେ ଏକୁଟିଆ ସଦର ଥାନା ଅନ୍ତର୍ଗତ କୁରୁମଟାଙ୍ଗର ଜଙ୍ଗଲକୁ ଯାଇଥିଲେ। ସେତେବେଳେ ସେଠାରୁ ମାଙ୍କଡ଼ା ପଥର ଚାଲାଣ ହେଉଥିବା ସେ ଦେଖିଥିଲେ। ସେ ମାଙ୍କଡ଼ା ପଥର ଚାଲାଣ କରୁଥିବା ଗାଡ଼ିକୁ ଅଟକାଇ କାଗଜପତ୍ର ମାଗିଥିଲେ। ଏହା ସହିତ ଏ ସଂପର୍କରେ ବନ ବିଭାଗର କର୍ମଚାରୀ ମାନଙ୍କୁ ସୂଚନା ଦେଇଥିଲେ। ତେବେ ତା’ ମଧ୍ୟରେ ମାଙ୍କଡ଼ା ପଥର ଚାଲାଣ କରୁଥିବା ବ୍ୟକ୍ତିଙ୍କ ଠାରୁ ଖବର ପାଇ ପ୍ରାୟ ୧୦ ଜଣ ଲୋକ ଆସି ସେଠାରେ ପହଞ୍ଚିଥିଲେ ଓ ଡିଏଫ୍ଓଙ୍କୁ ଠେଲାପେଲା କରିବା ସହିତ ଆକ୍ରମଣ କରିଥିଲେ। କେହି ଜଣେ ଇଟା ଖଣ୍ଡ ଫୋପାଡ଼ି ଦେବାରୁ ତାହା ଡିଏଫଓଙ୍କ ମୁଣ୍ଡରେ ବାଜିଥିଲା। ତେବେ ବନ କର୍ମଚାରୀମାନେ ସେଠାରେ ପହଞ୍ଚି ଯିବାରୁ ଖଣିମାଫିଆମାନେ ସେଠାରୁ ଫେରାର ହୋଇଯାଇଥିଲେ।
ଯେଉଁ ଗାଡ଼ିରେ ମାଙ୍କଡ଼ା ପଥର ଚାଲାଣ ହେଉଥିଲା ତାକୁ ବନ ବିଭାଗ ସିଜ୍ କରିଥିବା ବେଳେ ପୁଲିସ୍ରେ ଏଫଆଇଆର ଦେଇଥିଲେ ଡିଏଫ୍ଓ। ଅଭିଯୋଗ ପାଇବା ପରେ ସଦର ଥାନା ପୁଲିସ ସ୍ଥାନୀୟ ଅଞ୍ଚଳର ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ସହିତ ତଦନ୍ତ ଜାରି ରଖିଛି।
The post ଡିଏଫ୍ଓଙ୍କୁ ଖଣି ମାଫିଆଙ୍କ ସଂଘବଦ୍ଧ ଆକ୍ରମଣ appeared first on Odisha Reporter.
from Odisha Reporter https://ift.tt/3wLSk6q
No comments:
Post a Comment