ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ସହ ଭଦ୍ରକ ସ୍ୱୟଂଶାସିତ ମହାଵିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ କରିବା ଦାବିରେ ଆଜି ୮ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦେଇଛି କଂଗ୍ରେସ । ଆଜି ସକାଳ ୬ଟାରୁ ଏହି ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହା ଜାରି ରହିବ ।
ବନ୍ଦ ପରିପ୍ରେକ୍ଷୀରେ ଆଜି ସକାଳୁ କଂଗ୍ରେସ କର୍ମୀ ଭଦ୍ରକର ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି। ଏଥିସହ ଦୋକାନ ବଜାର ସମେତ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ଭଦ୍ରକ ବଜାରରେ ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ ଜାତୀୟ ରାଜପଥରେ ବି ଗାଡ଼ି ଚଳାଚଳକୁ ବନ୍ଦ କରାଯାଇଛି। ସ୍କୁଲ, କଲେଜ, କଚେରୀ ବି ବନ୍ଦ କରାଯାଇଛି।
ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଦୀର୍ଘ ଦିନ ହେଲା କଂଗ୍ରେସ ଦାବି କରି ଆସିଛୁ। ହେଲେ ରାଜ୍ୟ ସରକାର ଏହାକୁ କର୍ଣ୍ଣପାତ କରୁ ନ ଥିବାରୁ ଏହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ଏହା ପ୍ରତିବାଦରେ ଆଜି ଭଦ୍ରକ ବନ୍ଦ କରିଛି କଂଗ୍ରେସ।
ବରିଷ୍ଠ କଂଗ୍ରେସ ନେତା ନଳୀନି ମହାନ୍ତି କହିଛନ୍ତି, ଭଦ୍ରକର ୨ଟି ନାର୍ଯ୍ୟ ଦାବି ପୂରଣ ପାଇଁ ଆମେ ଏହି ଆନ୍ଦୋଳନ କରି ଆସୁଛୁ। ପାଖ ଜିଲ୍ଲାରେ ମେଡିକାଲ କଲେଜ ଥିବା ବେଳେ ଭଦ୍ରକରେ ପ୍ରତିଷ୍ଠା କରାଯାଉ ନାହିଁ। ଏହା ୫ଟି ଜିଲ୍ଲାର ପେଣ୍ଠ ସ୍ଥଳୀ ହୋଇଥିବା ବେଳେ ଏହାକୁ ଅବହେଳା କରାଯାଉଛି। ଖୁବ୍ ଶୀଘ୍ର ଏହି ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ।
ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ କହିଛନ୍ତି, ଭଦ୍ରକ ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ସ୍ପଷ୍ଟ ବାରି ହୋଇ ପଡ଼ୁଛି। ସବୁ ପ୍ରକାର ଭିତ୍ତିଭୂମି ଥାଇ ବି ଏଠାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି। କିଛି ନେତାଙ୍କ ପ୍ରରୋଚନାରେ ଏପରି ନିଷ୍ପତ୍ତି ନିଆଯାଇଛି। ମେଡିକାଲ କଲେଜ ନ ହେବା ଯାଏ କଂଗ୍ରେସ ଶାନ୍ତିରେ ରହିବନି କି ନବୀନ ପଟ୍ଟନାୟକଙ୍କୁ ଶାନ୍ତିରେ ରଖିବାକୁ ଦେବନି।
The post ମେଡିକାଲ କଲେଜ ଦାବି, ଆଜି ୮ ଘଣ୍ଟିଆ ଭଦ୍ରକ ବନ୍ଦ appeared first on Odisha Reporter.
from Odisha Reporter https://ift.tt/dXuYFAn
No comments:
Post a Comment