ମହାନ ଫୁଟବଲର ପେଲେଙ୍କ ଦେହାନ୍ତ, ଘୋଷଣା ହେଲା ୩ ଦିନିଆ ରାଷ୍ଟ୍ରୀୟ ଶୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 29, 2022

ମହାନ ଫୁଟବଲର ପେଲେଙ୍କ ଦେହାନ୍ତ, ଘୋଷଣା ହେଲା ୩ ଦିନିଆ ରାଷ୍ଟ୍ରୀୟ ଶୋକ

ସାଓ ପାଓଲ: ବିଶ୍ୱ ଫୁଟବଲର ମହାନ କିମ୍ବଦନ୍ତୀ ତଥା ବ୍ରାଜିଲର ଷ୍ଟାର ଖେଳାଳି ପେଲେଙ୍କ ପରଲୋକ ହୋଇଛି। ଗୁରୁବାର ବିଳମ୍ବିତ ରାତି ତଥା ବ୍ରାଜିଲ ସମୟ ରାତି ୩.୨୭ରେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।

ଦୁଇ ବର୍ଷ ଧରି କ୍ୟାନସର ଭଳି ଭୟଙ୍କର ରୋଗରେ ପୀଡ଼ିତ ଥିବା ପେଲେ ନିୟମିତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପୁଣିଥରେ ସୁସ୍ଥ ହୋଇ ଫେରୁଥିଲେ। ହେଲେ ଏଥର ତାଙ୍କୁ ଡାକ୍ତରମାନେ ଆଉ ରକ୍ଷା କରିପାରି ନାହାନ୍ତି। ସେ ସବୁଦିନ ପାଇଁ ସମସ୍ତଙ୍କୁ ଛାଡ଼ି ଚିରନିଦ୍ରାରେ ଶୋଇପଡ଼ିଛନ୍ତି।

ତାଙ୍କ ବିୟୋଗରେ ସମଗ୍ର ବିଶ୍ୱରେ ଶୋକ ପ୍ରକାଶ ପାଇଛି। ବ୍ରାଜିଲର ବିଦାୟୀ ରାଷ୍ଟ୍ରପତି ଜାରି ବୋଲସୋନାରୋ ଶୋକ ପ୍ରକାଶ କରିବା ସହ ପେଲେଙ୍କ ସମ୍ମାନାର୍ଥେ ଦେଶର ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ୩ ଦିନ ଯାଏ ବ୍ରାଜିଲରେ କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ହେବନି। ସେହିପରି ଜାତୀୟ ପତାକା ଅର୍ଦ୍ଧନମିତ ହୋଇ ରହିବ। ବୋଲସୋନାରୋ କହିଛନ୍ତି ଯେ ପେଲେ ହିଁ ବ୍ରାଜିଲକୁ ବିଶ୍ୱ ଦରବାରରେ ପରିଚିତ କରାଇଥିଲେ।

ସେହିପରି ନବ ନିର୍ବାଚିତ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭା ମଧ୍ୟ ଶୋକ ପ୍ରକାଶ କରି କହିଛନ୍ତି ଯେ ପେଲେଙ୍କ ଭଳି ନମ୍ବର ୧୦ ଆଉ କେବେ ହେଲେ ସୃଷ୍ଟି ହେବେନି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରାଜିଲର ଫୁଟବଲ ମହାସଂଘ, କ୍ରିଷ୍ଟିଆନୋ ରୋନାଲ୍ଡୋ, ନେମାରଙ୍କ ଠାରୁ ଆରମ୍ଭ କରି ଏମବାପେଙ୍କ ଭଳି ଷ୍ଟାର ଫୁଟବଲରମାନେ ପେଲେଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।


ପେଲେଙ୍କ ପୂରା ନାଁ ହେଉଛି ଏଡସନ୍‌ ଅରାଣ୍ଟେସ୍‌ ଡୁ ନାସ୍କିମେଣ୍ଟୋ। କିନ୍ତୁ ତାଙ୍କୁ ସମସ୍ତେ ପେଲେ ନାଁରେ ଜାଣନ୍ତି। ନଭେମ୍ବର ୨୯ ତାରିଖରେ ସେ ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସାଓ ପାଓଲସ୍ଥିତ ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ମାସେ କାଳ ତାଙ୍କର ଚିକିତ୍ସା କରୁଥିଲେ। ସେ ଶୀଘ୍ର ସୁସ୍ଥ ହୋଇ ସାଧାରଣ ଜୀବନକୁ ଫେରିବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ଗୁରୁବାର ତାଙ୍କ ଶରୀର ଆଉ କେମୋଥେରୋପି ଗ୍ରହଣ କରି ନଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

ପେଲେ ବିଶ୍ୱର ଏକମାତ୍ର ଫୁଟବଲର ଯିଏ ବ୍ରାଜିଲ ପାଇଁ ୩ ଥର ଫିଫା ବିଶ୍ୱକପ ଜିତିଛନ୍ତି। ବ୍ରାଜିଲ ମୋଟ ୫ଥର ବିଶ୍ୱ ବିଜେତା ହୋଇଛି। ଏହା ମଧ୍ୟରୁ ପେଲେଙ୍କ ସମୟରେ ଦେଶ ୩ଥର ଚାମ୍ପିୟନ ହୋଇଥିଲା। ମାତ୍ର ୧୬ ବର୍ଷ ବୟସରେ ବ୍ରାଜିଲ ପାଇଁ ଖେଳିବା ଆରମ୍ଭ କରିଥିବା ପେଲେ ଜୀବନରେ ଅନେକ ସଫଳତା ପାଇଛନ୍ତି।

ସେ ବ୍ରାଜିଲ ପାଇଁ ୯୨ ମ୍ୟାଚ୍‌ରେ ୭୭ ‌ଗୋଲ୍‌ ଦେଇ ସର୍ବକାଳୀନ ଗୋଲ୍‌ ସ୍କୋରର୍‌ ହେବାର ରେକର୍ଡ କରିଥିଲେ। ୧୯୫୮, ୧୯୬୨ ଓ ୧୯୭୦ରେ ବ୍ରାଜିଲର ଯେଉଁ ଟିମ ଫିଫା ବିଶ୍ୱକପ ଜିତିଥିଲା, ସେଥିରେ ପେଲେ ଏକମାତ୍ର ଖେଳାଳି ଭାବେ ରହିଥିଲେ।

ପେଲେଙ୍କୁ ଯେତେବେଳେ ୧୮ ବର୍ଷ ବୟସ ହୋଇଥିଲା ସେତେବେଳେ ବ୍ରାଜିଲ ପାଇଁ ସେ ପ୍ରଥମଥର ବିଶ୍ୱକପ ଜିତିଥିଲେ। ୧୯୫୮ରେ ଫିଫା ବିଶ୍ୱକପ ଫାଇନାଲରେ ପେଲେ ସ୍ୱିଡେନ୍‌ ବିପକ୍ଷରେ ୨ଟି ଗୋଲ ଦେଇଥିଲେ। ଏହାର ୪ ବର୍ଷ ପରେ ଅର୍ଥାତ ୧୯୬୨ ବିଶ୍ୱକପରେ ସେ ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ। ବ୍ରାଜିଲ ବିଶ୍ୱକପ ମଧ୍ୟ ଜିତିଥିଲା। ୧୯୬୨ ପରଠାରୁ ଏଯାଏ କୌଣସି ଦେଶ କ୍ରମାଗତ ବିଶ୍ୱକପ ଜିତି ନାହିଁ।

୧୯୭୦ ବିଶ୍ୱକପ୍‌ ଫାଇନାଲ୍‌ରେ ପେଲେଙ୍କ ପ୍ରାରମ୍ଭିକ ଗୋଲ୍‌ରେ ବ୍ରାଜିଲ ୪-୧ରେ ଇଟାଲିକୁ ମାତ୍‌ ଦେଇ ଚାମ୍ପିୟନ ହୋଇଥିଲା। ସେ ବ୍ରାଜିଲୀୟ କ୍ଲବ୍‌ ସାଣ୍ଟୋସ୍‌ ପାଇଁ ୬୫୯ ମ୍ୟାଚ୍‌‌ ଖେଳି ୬୪୩ ଗୋଲ୍‌ କରିଥିଲେ।

The post ମହାନ ଫୁଟବଲର ପେଲେଙ୍କ ଦେହାନ୍ତ, ଘୋଷଣା ହେଲା ୩ ଦିନିଆ ରାଷ୍ଟ୍ରୀୟ ଶୋକ appeared first on Odisha Reporter.



from Odisha Reporter https://ift.tt/qOFxIJj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages