ରାଜଗାଙ୍ଗପୁର(ଓଡ଼ିଶା ରିପୋର୍ଟର): ସ୍କୁଲ କ୍ୟାମ୍ପସରେ ଚାଲିଛି ମିଶନ ଶକ୍ତି ଗୃହ କାମ । ଏଥିପାଇଁ କିଏ ଅନୁମତି ଦେଇଛି ସେ ବିଷୟରେ ସଠିକ୍ ସୂଚନା କାହା ପାଖରେ ନାହିଁ । ତେଣୁ ଏହାକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ସମେତ ଛାତ୍ରଛାତ୍ରୀ ବି ତୀବ୍ର ବିରୋଧ କରିଛନ୍ତି। ଫଳରେ ଅଧାରେ ଅଟକିଛି ମିଶନ ଶକ୍ତି ଗୃହ କାମ । ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଥିବା ଗୋପବନ୍ଧୁ ସ୍କୁଲ ପରିସରରେ ଘଟିଛି।
ରାଜଗାଙ୍ଗପୁରରେ ଥିବା ଗୋପବନ୍ଧୁ ସ୍କୁଲ ଏକ ବହୁ ପୁରାତନ ସ୍କୁଲ। ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଠାରେ ପାଠ ପଢ଼ନ୍ତି । ସାଢେ ୪ ଏକର ପରିମିତ ଜାଗାରେ ଏହି ସ୍କୁଲ ଥିବା ବେଳେ ତାହା ସ୍କୁଲର ନିଜସ୍ୱ ଜାଗା। ଏହା ଚତୁଃପାର୍ଶ୍ୱରେ ପାଚେରୀ ବି ନିର୍ମିତ ହୋଇଛି।
ଏହା ସତ୍ତ୍ୱେ ସ୍କୁଲ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଏଠାରେ ଗତ କିଛି ଦିନ ହେବ ନିର୍ମାଣ କାର୍ଯ୍ୟ ଚାଲୁଛି। ଏହା କ’ଣ ବୋଲି ପଚାରିଲେ ନିୟୋଜିତ ଶ୍ରମିକ ତାହା ମିଶନ ଶକ୍ତି ଗୃହ ବୋଲି କହୁଛନ୍ତି। ହେଲେ ସ୍କୁଲର ନିଜସ୍ୱ ଜାଗାରେ କିପରି ବିଭାଗୀୟ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଏହି ନିର୍ମାଣ କାର୍ଯ୍ୟ ଚାଲୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏହି ସ୍ଥାନରେ ମିଶନଶକ୍ତି ଗୃହ ହେବା ଦ୍ୱାରା ସିଧାସଳଖ ପାଠ ପଢା ଉପରେ ପ୍ରଭାବ ପଡିବ ବୋଲି କହିଛନ୍ତି ସ୍କୁଲର ଶିକ୍ଷୟତ୍ରୀ ।
କିଛି ଦିନ ପୂର୍ବେ 5ଟି ଅଧୀନରେ ସ୍କୁଲର ନବୀକରଣ କରାଯାଇଥିଲା । ସ୍କୁଲ ଜମିରେ ମନ ଇଛା ନିର୍ମାଣ କାର୍ଯ୍ୟ କରାଯିବା ଦ୍ୱାରା ଭବିଷ୍ୟତରେ ବିଦ୍ୟାଳୟର ବିକାଶର ବାଧାପ୍ରାପ୍ତ ହେବ ବୋଲି ଶିକ୍ଷକଶିକ୍ଷୟିତ୍ରୀ ଅଭିଯୋଗ କରିଛନ୍ତି। ଏପରିକି ଏହି ନିର୍ମାଣ କାମ ଆରମ୍ଭ ହେବା ଦିନରୁ ସ୍କୁଲ କର୍ତ୍ତୃପକ୍ଷ ଏହାକୁ ବିରୋଧ କରି ଆସୁଛନ୍ତି । ଏନେଇ ସ୍କୁଲ କର୍ତ୍ତୃପକ୍ଷ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ବି ଏହାର ସମାଧାନ ହୋଇ ପାରିନି।
ଏନେଇ ଗୋପବନ୍ଧୁ ସ୍କୁଲର ସହକାରୀ ଶିକ୍ଷୟତ୍ରୀ ସବିତା ମଲ୍ଲ କହିଛନ୍ତି, ଏହା ସ୍କୁଲର ନିଜସ୍ୱ ଜାଗା ହୋଇଥିବା ବେଳେ ଆମ ବିନା ଅନୁମତିରେ ଏଠାରେ ଆଉ ଏକ ଘର ନିର୍ମାଣ କରାଯାଉଛି। ଏହା ନିର୍ମାଣ ହେଲେ ବାହାର ଲୋକଙ୍କ ଯିବା ଆସିବା ଲାଗି ରହିବ, ଫଳରେ ଶୈକ୍ଷିକ ବାତାବରଣ ବାଧାପ୍ରାପ୍ତ ହେବ । ପୂର୍ବରୁ ବହୁ ଥର ଆମେ କାମକୁ ବନ୍ଦ କରିଥିବା ବେଳେ ପୁଣି ଥରେ ସେମାନେ କାମ କରୁଛନ୍ତି।
ରାଜଗାଙ୍ଗପୁର ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ମାଥେଦିୟୁସ ଲାକଡ଼ା କହିଛନ୍ତି, ତହସିଲଦାରଙ୍କ ଅନୁମୋଦନରେ ଏହି କାର୍ଯ୍ୟ କରାଯାଉଛି । ଯାହାର ଏନେଇ କିଛି ଅଭିଯୋଗ ଅଛି ସେମାନେ ତହସିଲଦାରଙ୍କୁ ଜଣାଇବା ଉଚିତ । ଛାତ୍ରଛାତ୍ରୀଙ୍କୁ ଏହା ମଧ୍ୟକୁ ଟାଣିବା ଉଚିତ ନୁହେଁ।
ଏହି ବିବାଦର କିପରି ସମାଧାନ ହେଉଛି, ଗୋପବନ୍ଧୁ ସ୍କୁଲ ପରିସରରେ ମିଶନ ଶକ୍ତି ଗୃହ ମୁଣ୍ଡ ଟେକିବ ନା ଛିଡ଼ା ହେବା ପୂର୍ବରୁ ମାଟିରେ ମିଶିବ ତାହା ଉପରେ ସମସ୍ତଙ୍କ ଆଖି ।
The post ସ୍କୁଲ କ୍ୟାମ୍ପସରେ ମୁଣ୍ଡ ଟେକୁଛି ମିଶନ ଶକ୍ତି ଗୃହ appeared first on Odisha Reporter.
from Odisha Reporter https://ift.tt/DCnipdg
No comments:
Post a Comment