ମୁମ୍ବାଇ: ଦୀର୍ଘ ୧୪ ମାସ ହେଲା ଦୁର୍ନୀତି ଅଭିଯୋଗରେ ଜେଲରେ ଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଆଜି ଜେଲରୁ ମୁକୁଳି ପାରନ୍ତି। ତାଙ୍କୁ ଜାମିନ ମିଳିଥିବା ବେଳେ ସିବିଆଇ ଆବେଦନ କରିବା ଆଳରେ ସମୟ ଗଡ଼ାଇ ଚାଲିଥିଲା। ଆବେଦନ ପାଇଁ ଦ୍ୱିତୀୟ ଥର ସିବିଆଇ ସମୟ ମାଗିଥିଲେ ହେଁ ଏହାକୁ ମଙ୍ଗଳବାର ବମ୍ବେ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ଏବେ ଯଦି ଶେଷ ମୁହୂର୍ତ୍ତରେ ସୁପ୍ରିମକୋର୍ଟ ସିବିଆଇ ଆବେଦନରେ ହସ୍ତକ୍ଷେପ ନ କରନ୍ତି, ତା’ହେଲେ ଦେଶମୁଖ ଜେଲରୁ ଆଜି ହିଁ ବାହାରିବେ।
ଡିସେମ୍ବର ୧୨ ତାରିଖରେ ଜଷ୍ଟିସ ଏମଏସ୍ କରନିକ ଦୁର୍ନୀତି ନିବାରଣ ଆଇନ ବଳରେ ସିବିଆଇ ଦେଶମୁଖଙ୍କ ବିରୋଧରେ ରୁଜୁ କରିଥିବା ମାମଲାରେ ତାଙ୍କୁ ଜାମିନ ଦେଇଥିଲେ। ୧ ଲକ୍ଷ ଟଙ୍କାର ବେଲ ବଣ୍ଡ ଜରିଆରେ ତାଙ୍କୁ ଜାମିନ ମିଳିଥିଲା। କିନ୍ତୁ ସିବିଆଇ ଆବେଦନ ପାଇଁ ସମୟ ମାଗିବାରୁ କୋର୍ଟ ଜାମିନର କାର୍ଯ୍ୟକାରୀ ୨୨ ଡିସେମ୍ବରରୁ ହେବ ବୋଲି କହିଥିଲେ।
ପରବର୍ତ୍ତୀ ଅବସ୍ଥାରେ ଏହା ୨୭ ଡିସେମ୍ବରକୁ ଘୁଞ୍ଚିଥିଲା। ତେବେ ୨୭ ଡିସେମ୍ବରରେ ସିବିଆଇ ପୁଣି ସମୟ ମାଗିବାରୁ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଏହାପୂର୍ବରୁ ଇଡି ରୁଜୁ କରିଥିବା ମନି ଲଣ୍ଡରିଂ ମାମଲାରେ ମଧ୍ୟ ଦେଶମୁଖକୁ ଜାମିନ ମିଳିଥିଲା। ତେଣୁ ଆଜି ୭୩ ବର୍ଷୀୟ ଦେଶମୁଖ ଜେଲରୁ ମୁକୁଳିବାର ଯଥେଷ୍ଟ ସମ୍ଭାବନା ରହିଛି।
ବାର ମାଲିକମାନଙ୍କ ଠାରୁ ମାସିକ ୧୦୦ କୋଟି ଟଙ୍କାର ଚାନ୍ଦା ଆଦାୟ କରିବାକୁ ଦେଶମୁଖ ମୁମ୍ବାଇ ପୁଲିସ୍କୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗରେ ଫସିଛନ୍ତି। ଏହି ଘଟଣାରେ ତାଙ୍କୁ ଗିରଫ ମଧ୍ୟ କରାଯାଇଛି। କିନ୍ତୁ ଜାମିନ ଅର୍ଡରରେ କୋର୍ଟ କହିଛନ୍ତି ଯେ ମୁମ୍ବାଇରେ ଥିବା ୧୭ଶହରୁ ଅଧିକ ବାରରୁ ୧୦୦ କୋଟି ଟଙ୍କା ଆଦାୟ କରାଯାଇଥିବାର କୌଣସି ପ୍ରମାଣ ମିଳିନି। କେବଳ ଘଟଣାର ସହ ଅଭିଯୁକ୍ତ ତଥା ସରକାରୀ ସାକ୍ଷୀ ବନିଥିବା ପୂର୍ବତନ ପୁଲିସ୍ ଅଧିକାରୀ ସଚିନ ବାଜେ ହିଁ ଦେଶମୁଖ ୧୦୦ କୋଟି ଟଙ୍କାର ଚାନ୍ଦା ପାଇଥିବା ବୟାନ ଦେଇଛନ୍ତି। କେବଳ ବୟାନ ଆଧାରରେ କୌଣସି ମାମଲାର ବିଚାର କରାଯାଇ ପାରିବ ନାହିଁ।
The post ଆଜି ଜେଲରୁ ମୁକୁଳି ପାରନ୍ତି ଅନୀଲ ଦେଶମୁଖ appeared first on Odisha Reporter.
from Odisha Reporter https://ift.tt/I2SlA0e
No comments:
Post a Comment