ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ୨୦୨୪ ଲଢ଼େଇ ପାଇଁ ନଡ୍ଡା ନେତାଙ୍କୁ ଦେବେ ମନ୍ତ୍ର ଓ କର୍ମୀଙ୍କ ମଧ୍ୟରେ ଯୋଶ୍ ଭରିବେ । ୨୦୧୯ ତୁଳନାରେ ୨୪ ନିର୍ବାଚନରେ ଓଡ଼ିଶାରେ ଭୋଟ୍ ହାର ୫୦ ପ୍ରତିଶତକୁ ବୃଦ୍ଧି ସହ ଅଧିକ ଲୋକସଭା ଓ ବିଧାନସଭା ସିଟ୍ ଜିତିବା ଲକ୍ଷ୍ୟରେ ରହିଛି ବିଜେପି। ଉଭୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ କାନରେ ଏହି ମନ୍ତ୍ର ଫୁଙ୍କିବାକୁ ଚାଲିଛି ଅଭିଯାନ। ଏଥିପାଇଁ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜେ.ପି. ନଡ୍ଡା।
କନ୍ଧମାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ତୁମୁଡ଼ିବନ୍ଧ ଓ ପୁରୀ ସଂସଦୀୟ କ୍ଷେତ୍ରର ବାଣପୁରରେ ସାଧାରଣ ସଭାରେ ଯୋଗ ଦେବେ ନଡ୍ଡା। ଏଠି ପ୍ରଶ୍ନ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଓଡ଼ିଶା ଗସ୍ତ କାଳରେ ଦଳର ନେତା ଓ କର୍ମୀଙ୍କ କାନରେ କି ମନ୍ତ୍ର ଫୁଙ୍କିବେ ? ସୂଚନା ଅନୁସାରେ ନଡ୍ଡାଙ୍କ ଫୋକସରେ ରହିଛି ବୁଥ୍ ଶକ୍ତି କେନ୍ଦ୍ର ମଜବୁତ। ଏହାସହ ରାଜ୍ୟରେ ବଢ଼ି ଚାଲିଥିବା ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଅସ୍ତ୍ର କରି ବିଜେଡି ସରକାର ବିରୋଧୀ ମାହୋଲ ସୃଷ୍ଟି କରିବା ଓ କେନ୍ଦ୍ର ସରକାରଙ୍କ ସୁଫଳ ଯୋଜନା ତଳସ୍ତରର ଲୋକଙ୍କ ପାଖରେ ପହଞ୍ଚାଇବେ ନଡ୍ଡା।
ଭୁବନେଶ୍ୱରରେ ଜେ.ପି. ନଡ୍ଡା ପହଞ୍ଚିବା ପରେ ସିଧାସଳଖ କନ୍ଧମାଳ ଲୋକସଭା ଓ ବାଲିଗୁଡା ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ତୁମୁଡିବନ୍ଧ ଗସ୍ତ କରିବେ। ସେଠାରେ ପୂର୍ବାହ୍ନ ୧୧.୩୦ ସମୟରେ ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବା ପରେ ଜଳେଶପଟା ଆଶ୍ରମ଼ସ୍ଥିତ ନୂତନ କନ୍ୟାଶ୍ରମର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ସେ ପୁରୀ ଲୋକସଭା ଓ ଚିଲିକା ବିଧାନସଭା ଅନ୍ତର୍ଗତ ବାଣପୁର ପଲଟନ୍ ପଡ଼ିଆରେ ଅପରାହ୍ନ ୩ଟାରେ ସାଧାରଣ ସଭାରେ ଯୋଗ ଦେବେ। ପରେ ସେ ବାଣପୁରସ୍ଥିତ ମା’ ଭଗବତୀ ମନ୍ଦିର ଯାଇ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ପରେ ନାଚୁଣୀସ୍ଥିତ କଲେଜରେ ଇନଡୋର ଷ୍ଟାଡିୟମରେ କାର୍ଯ୍ୟକତ୍ତା ସମ୍ମିଳନୀରେ ଯୋଗ ଦେବେ। ଏହା ପରେ ନଡ୍ଡା ସଡକ ପଥରେ ଭୁବନେଶ୍ୱର ଫେରି ଆସି ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। ନଡ୍ଡାଙ୍କ ଗସ୍ତ ପାଇଁ ଉଭୟ ତୁମୁ଼ଡ଼ିବନ୍ଧ ଓ ବାଣପୁରରେ ବ୍ୟାପକ ଆୟୋଜନ କରାଯାଇଛି। ଯେହେତୁ ଜଲେସପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସ୍ୱରସ୍ୱତୀଙ୍କୁ ହତ୍ୟା କରାଯାଇଥିଲା, ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।
ତେବେ ପୂର୍ବରୁ ସେପ୍ଟେମ୍ବରରେ ଓଡ଼ିଶା ଗସ୍ତରେ ଆସି ନଡ୍ଡା ଯେଉଁଭଳି ଭାବେ ବିଜେଡି ସରକାରକୁ ଡୁପ୍ଲିକେଟ୍ ସରକାର କହି ବର୍ଷି ଥିଲେ, ଏଥର ଆଭିମୁଖ୍ୟ ସେଭଳି ରହିବ ନା ଆହୁରି କଡ଼ା ହେବ ତାକୁ ନେଇ କଳ୍ପନାଜଳ୍ପନା ଚାଲିଛି।
The post ଆଜି ଓଡ଼ିଶା ଆସିବେ ଜେ.ପି. ନଡ୍ଡା, କର୍ମୀଙ୍କୁ ଦେବେ ମନ୍ତ୍ର appeared first on Odisha Reporter.
from Odisha Reporter https://ift.tt/9KCIn2J
No comments:
Post a Comment