ଢାକା: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟୀ ହୋଇଛି। ଭାରତ ୩ ୱିକେଟ୍ରେ ବାଂଲାଦେଶକୁ ପରାସ୍ତ କରିଛି। ଏହା ସହିତ ଦୁଇ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍କୁ ଦଳ ୨-୦ରେ ଜିତି ଯାଇଛି।
ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍ରେ ଭାରତ ୮୭ ରନ୍ରେ ଅଗ୍ରଣୀ ରହିଥିଲା। ସେହିପରି ବାଂଲାଦେଶ ଦ୍ୱିତୀୟ ଇନିଂସ୍ରେ ମାତ୍ର ୨୩୧ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ତେଣୁ ଭାରତ ଆଗରେ ମାତ୍ର ୧୪୫ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା। ଭାରତୀୟ ଦଳ ଏହାକୁ ଅତିସହଜରେ ହାସଲ କରି ନେବ ବୋଲି ଆଶା ଥିଲା। ତେବେ ମ୍ୟାଚ୍ ନେଇଥିଲା ଭିନ୍ନ ମୋଡ଼। ଗତକାଲି ତୃତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଦଳ ମାତ୍ର ୪୫ ରନ୍ରେ ୪ଟି ୱିକେଟ୍ ହରାଇ ଦେଇଥିଲା। ଶୁବମନ ଗିଲ୍, କେ ଏଲ ରାହୁଲ, ଚେତେଶ୍ୱର ପୂଜାରା ଓ ବିରାଟ କୋହଲିଙ୍କ ଭଳି ଖେଳାଳି ଆଉଟ୍ ହୋଇଯାଇଥିଲେ। ଶୁବମନ ୭ ରନ୍ରେ ଆଉଟ୍ ହୋଇଥିବା ବେଳେ କେ ଏଲ୍ ରାହୁଲ ୨, ପୂଜାରା ୬ ଓ ବିରାଟ ୧ ରନ୍ କରିଥିଲେ। ତେଣୁ ମ୍ୟାଚ୍ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚି ଯାଇଥିଲା।
୪ଟି ୱିକେଟ୍ ଯିବା ପରେ ଅକ୍ଷର ପଟେଲ ଓ ଜୟଦେବ ଉନାଦକତ କ୍ରିଜ୍ରେ ଧୈର୍ଯ୍ୟର ସହିତ ରହିଥିଲେ। ଅକ୍ଷର ୨୬ ଓ ଉନାଦକତ ୩ ରନ୍ କରି ଅପରାଜିତ ରହିଥିଲେ। ଏ ଦୁହେଁ ଆଜି ପୁଣି ମ୍ୟାଚ୍କୁ ଆଗକୁ ବଢ଼ାଇ ଥିଲେ। ହେଲେ ଅଧିକ ସମୟ ରହିପାରି ନଥିଲେ। ଗତକାଲି ୩ ରନ୍ କରିଥିବା ଉନାଦକତ ଆଜି ଆଉ ୧୦ ରନ୍ କରି ଆଉଟ୍ ହୋଇଯାଇଥିଲେ। ସେ ଆଉଟ୍ ହେବା ପରେ ପ୍ରଥମ ଇନିଂସରେ ୯୩ ରନ୍ କରିଥିବା ଋଷଭ ପନ୍ଥ ଆସିଥିଲେ। ତେବେ ସେ ସମସ୍ତଙ୍କୁ ନିରାଶ କରିଥିଲେ। ସେ ୧୩ଟି ବଲ୍ରୁ ୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ଋଷଭ ଆଉଟ୍ ହେବାର ଗୋଟିଏ ଓଭର ପରେ ଭାରତକୁ ଲାଗିଥିଲା ଆଉ ଏକ ଝଟକା। ଆଉଟ୍ ହୋଇଯାଇଥିଲେ ଅକ୍ଷର ପଟେଲ। ଗତକାଲି ୨୬ ରନ୍ କରିଥିବା ପଟେଲ ଆଜି ଆଉ ୮ ରନ୍ କରି ମେହିଦୀ ହାସନ ମୀର୍ଜାଙ୍କ ଦ୍ୱାରା ବୋଲ୍ଡ ହୋଇଯାଇଥିଲେ।
ସକାଳୁ ସକାଳୁ ଅଳ୍ପ ଅଳ୍ପ ବ୍ୟବଧାନରେ ୩ଟି ୱିକେଟ୍ ପଡ଼ିଯିବା ପରେ ଭାରତୀୟ କ୍ରିକେଟ୍ ପ୍ରେମୀମାନେ ନିରାଶ ହୋଇଥିଲେ। ମ୍ୟାଚ୍ ପୁଣି ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚି ଯାଇଥିଲା। କାରଣ ଦଳ ମାତ୍ର ୭୪ ରନ୍ରେ ୭ଟି ୱିକେଟ୍ ହରାଇ ଦେଇଥିଲା। ବାଂଲାଦେଶର ପଲା ଭାରି ହୋଇଯାଇଥିଲା। ଯଦିଓ ଶ୍ରେୟସ ଆୟର ଥିଲେ, ତଥାପି ମ୍ୟାଚ୍ ଭାରତ ହାତରୁ ଚାଲିଯାଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ରବିଚନ୍ଦ୍ରନ ଅଶ୍ୱିନ୍ ଓ ଶ୍ରେୟସ ଆୟର ମ୍ୟାଚ୍କୁ ଭାରତ ପକ୍ଷରେ କରିବାରେ ସମର୍ଥ ହୋଇଥିଲେ।
ଅଶ୍ୱିନ ଓ ଶ୍ରେୟସ ଧୈର୍ଯ୍ୟର ସହିତ ଖେଳିଥିଲେ। ଦୁହିଁଙ୍କ ମଧ୍ୟରେ ୭୧ ରନ୍ର ପାର୍ଟନରଶିପ୍ ହୋଇଥିଲା। ଶ୍ରେୟସ ୪୬ଟି ବଲ୍ରୁ ୪ଟି ଚୌକା ସହାୟତାରେ ୨୯ ରନ୍ କରିଥିବା ବେଳେ ଅଶ୍ୱିନ୍ ୬୨ଟି ବଲ୍ରୁ ୪ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୪୨ ରନ୍ କରିଥିଲେ। ଦୁହେଁ ଅପରାଜିତ ରହି ମ୍ୟାଚ୍କୁ ଜିତାଇ ଥିଲେ। ଏହି ମ୍ୟାଚ୍ର ଦୁଇଟି ଯାକ ଇନିଂସରେ ମିଶି ୬ଟି ୱିକେଟ୍ ନେବା ସହ ୫୪ ରନ୍ କରିଥିବା ଅଶ୍ୱିନଙ୍କୁ ‘ପ୍ଲେୟର ଅଫ୍ ଦ ମ୍ୟାଚ୍’ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଚେତେଶ୍ୱର ପୂଜାରାଙ୍କୁ ‘ମ୍ୟାନ୍ ଅଫ୍ ଦ ସିରିଜ୍’ ପ୍ରଦାନ କରାଯାଇଛି। ସେ ଏହି ସିରିଜ୍ରେ ମୋଟ ୨୨୨ ରନ୍ କରିଛନ୍ତି। ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ଯଥାକ୍ରମେ ୯୦ ଓ ଅପରାଜିତ ୧୦୨ ରନ୍ କରିଥିଲେ। ଦ୍ୱିତୀୟ ଟେଷ୍ଟରେ ଯଥାକ୍ରମେ ୨୪ ଓ ୬ ରନ୍ କରିଥିଲେ।
ବାଂଲାଦେଶ ପକ୍ଷରୁ ମେହଦୀ ହାସନ ମିରଜା ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ସାକିବ ହାସନ ୨ଟି ୱିକେଟ୍ ନେଇଥିଲେ। ବାଂଲାଦେଶ ପ୍ରଥମ ଇନିଂସରେ ୨୨୭ ରନ୍ କରିଥିବା ବେଳେ ଭାରତ ୩୧୪ ରନ୍ କରିଥିଲା। ବାଂଲାଦେଶ ଦ୍ୱିତୀୟ ଇନିଂସ୍ରେ ୨୩୧ ରନ୍ କରିଥିବା ବେଳେ ଭାରତ ୧୪୫ ରନ୍ର ବିଜୟ ଟାର୍ଗେଟ୍କୁ ୭ ୱିକେଟ୍ ହରାଇ ହାସଲ କରିଥିଲା।
ସୂଚନାଯୋଗ୍ୟ, ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ଭାରତ ୧୮୮ ରନ୍ରେ ପରାସ୍ତ କରିଥିଲା।
The post ବଞ୍ଚେଇ ଦେଲେ ଅଶ୍ୱିନ ଓ ଶ୍ରେୟସ, ୨-୦ରେ ସିରିଜ୍ ଜିତିଲା ଭାରତ appeared first on Odisha Reporter.
from Odisha Reporter https://ift.tt/P6G4Rdw
No comments:
Post a Comment