ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାର୍ଚ୍ଚ ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଟେନ୍ସନ୍ ବଢ଼ାଇଲାଣି କୋଭିଡ୍ର ଚତୁର୍ଥ ଲହର । ତିନି ବର୍ଷ ପରେ ଶତ ପ୍ରତିଶତ ସିଲାବସ୍ରେ ଅଫଲାଇନ୍ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀ ବେଶ୍ ଉତ୍ସୁକ ଅଛନ୍ତି । ହେଲେ କରୋନା ଯୋଗୁ ପରୀକ୍ଷା ସୁଚାରୁ ରୂପେ ସମ୍ପାଦନ ହୋଇ ପାରିବ ନା ନାହିଁ ତାକୁ ନେଇ ଦେଖାଦେଲାଣି ଦ୍ୱନ୍ଦ୍ୱ ।
ଯୁକ୍ତ ୨ ଅଫଲାଇନ୍ ପରୀକ୍ଷା ନିମନ୍ତେ ଯଦିଓ ଦୁଇ ମାସ ପୂର୍ବରୁ ପରିଷଦ ଘୋଷଣା କରି ସାରିଛି, ତଥାପି ପିଲାଙ୍କ ସବୁ ଦ୍ୱନ୍ଦ୍ୱ ଦୂର ହୋଇନି । ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ନିମନ୍ତେ କେତୋଟି ପରୀକ୍ଷା କେନ୍ଦ୍ର ଓ ପରୀକ୍ଷା ପରିଚାଳନା ହବ୍ ହେବ ଆସନ୍ତା ୧୫ ତାରିଖ ସୁଦ୍ଧା ଚିତ୍ର ସ୍ପଷ୍ଟ ହେବ। କପି ରୋକିବା ଲାଗି ସବୁ ଥର ଭଳି ଏଥର ବି ଫ୍ଲାଇଂ ସ୍କ୍ୱାର୍ଡ ବ୍ୟବସ୍ଥା ହେବ। ପରୀକ୍ଷାକୁ ଶୃଙ୍ଖଳିତ କରିବା ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି।
ଯଦି କୋଭିଡ ଫେରେ ତେବେ ସ୍ବାସ୍ଥ୍ୟ ବିଭାଗ ଗାଇଡଲାଇନ୍ ଆଧାରରେ ପରୀକ୍ଷା ହେବ। ଏଥର ପୁରା ସିଲାବସ୍ ସାଙ୍ଗକୁ ଅଫଲାଇନ୍ରେ ପରୀକ୍ଷା ହେବାକୁ ଯାଉଥିବାରୁ ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ ଅଛନ୍ତି । ତେବେ କୋଭିଡ୍ ସଂକ୍ରମଣ ଡର ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ପଡୋଶୀ ଚୀନ୍ରେ ମହାମାରୀ କରାଳ ରୂପ ଧାରଣ କରି ସାରିଥିବା ବେଳେ ଦେଶରେ କେତେବେଳେ ବି ସ୍ଥିତି ବିଗିଡି ଯିବାର ଶଙ୍କା ଦେଖାଦେଇଛି।
ଏହାବାଦ ଯେଉଁସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା ନାହିଁ ସେଠାରେ ପରୀକ୍ଷାରେ ସ୍ୱଚ୍ଛତା ରଖିବା ବି ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । କାରଣ ବାରମ୍ବାର ପ୍ରଶ୍ନପତ୍ର ଲିକ୍କୁ ନେଇ ପରିଷଦକୁ ବିଷମ ସ୍ଥିତିର ସାମ୍ନା କରିବାକୁ ପଡୁଛି।
ଅନ୍ୟପକ୍ଷରେ ମାର୍ଚ୍ଚ ୧୦ରୁ ୧୯ ଯାଏଁ ୧୦ ଦିନ ପରୀକ୍ଷା ବନ୍ଦ ରହିବ। ଏହି ସମୟରେ ମାଟ୍ରିକ୍ ସମେଟିଭ୍-ଟୁ ପରୀକ୍ଷା ହେବାର ସମ୍ଭାବନା ରହିଛି। ପ୍ରଶାସନିକ ପରିଚାଳନା ଦୃଷ୍ଟିରୁ ଏହି ୧୦ ଦିନ ପରୀକ୍ଷା ବନ୍ଦ ରହିବ। ତେବେ ଏହାଦ୍ୱାରା ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ଏକାଗ୍ରତା ଉପରେ ପ୍ରଭାବ ପଡିପାରେ ବୋଲି ଶିକ୍ଷାବିତ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଛାତ୍ରଛାତ୍ରୀମାନେ ପରୀକ୍ଷା ନିମନ୍ତେ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ହେଲେ କରୋନା ଯୋଗୁ ସରକାର କିଛି କଡ଼ାକଡ଼ି ନିୟମ ଲାଗୁ କଲେ ଏହାଦ୍ୱାରା ସେମାନଙ୍କ ମନୋବଳ ଭାଙ୍ଗିପାରେ । ଏହାର ପ୍ରଭାବ ସେମାନଙ୍କ ରେଜଲ୍ଟ ଉପରେ ପଡ଼ିବାର ଆଶଙ୍କା ଥିବା ଜଣେ ଛାତ୍ର କହିଛନ୍ତି ।
The post ଘନେଇଲାଣି କରୋନା ଡର, ଅଫଲାଇନ୍ ପରୀକ୍ଷାକୁ ନେଇ ଶଙ୍କାରେ ଯୁକ୍ତ ୨ ଛାତ୍ରଛାତ୍ରୀ appeared first on Odisha Reporter.
from Odisha Reporter https://ift.tt/KgcH1MS
No comments:
Post a Comment