ମେଲବର୍ଣ୍ଣ: ଭାରତ ବିପକ୍ଷ ଗୁରୁରୁତ୍ୱପୂର୍ଣ୍ଣ ୪ଟିକିଆ ଟେଷ୍ଟ ସିରିଜ୍ ପାଇଁ ଆଜି ଅଷ୍ଟ୍ରେଲିଆ ପକ୍ଷରୁ ୧୮ ଜଣିଆ ସ୍କ୍ୱାଡ ଘୋଷଣା କରାଯାଇଛି। ଦଳରେ ୪ ଜଣ ସ୍ପିନର ଓ ୬ ଜଣ ଦ୍ରୁତ ବୋଲର ରହିଛନ୍ତି। ଭାରତୀୟ ପିଚ୍ ସ୍ପିନକୁ ସୁହାଇବାର ସମ୍ଭାବନା ଥିବାରୁ ଅଷ୍ଟ୍ରେଲିଆ ସେହି ଅନୁସାରେ ସ୍କ୍ୱାଡ ତିଆରି କରିଛି।
ସ୍କ୍ୱାଡରେ ଭିକ୍ଟୋରିଆର ଅନକ୍ୟାପଡ୍ ଅଫ ସ୍ପିନର ଟୋଡ ମୋର୍ଫିଙ୍କୁ ସାମିଲ କରାଯାଇଛି। ସେହିରି ଭେଟରାନ ବ୍ୟାଟର ପିଟର ହ୍ୟାଣ୍ଡସ୍କମ୍ବଙ୍କୁ ଅଷ୍ଟ୍ରେଲିଆ ଦୀର୍ଘବର୍ଷ ପରେ ଟେଷ୍ଟ ଟିମ୍ରେ ସାମିଲ କରିଛି।
୨୨ ବର୍ଷୀୟ ମୋର୍ଫିଙ୍କ ବ୍ୟତୀତ ଭେଟରାନ ନାଥନ ଲାୟନ, ଅଷ୍ଟନ ଅଗର ଓ ମିଚେଲ ସ୍ୱେପସନ ସ୍ପିନିଂ ବାହିନୀର ମଙ୍ଗ ସମ୍ଭାଳିବେ। ଆହତରୁ ମୁକୁଳିଥିବା ଅଲରାଉଣ୍ଡର କାମେରନ ଗ୍ରୀନ ଓ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଭାରତ ବିପକ୍ଷ ଟେଷ୍ଟ ସ୍କ୍ୱାଡରେ ଅଛନ୍ତି। ସେହିପରି ଅନକ୍ୟାପଡ ପେସର ଲାନ୍ସ ମୋରିସ୍ ବ୍ୟାକ୍ ଅପ୍ ଭାବେ ଦଳ ସହ ଭାରତ ଆସିବେ।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ ଫେବୃଆରୀ ୯ରୁ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ୧୩ ତାରିଖ ଯାଏ ନାଗପୁରରେ ଚାଲିବ। ସେହିପରି ଫେବୃଆରୀ ୧୭ରୁ ୨୧ ଯାଏ ଦିଲ୍ଲୀରେ ଦ୍ୱିତୀୟ ଟେଷ୍ଟ, ମାର୍ଚ୍ଚ ୧ରୁ ୫ ଯାଏ ଧର୍ମଶାଳାରେ ତୃତୀୟ ଟେଷ୍ଟ ଓ ଅହମଦାବାଦରେ ମାର୍ଚ୍ଚ ୯ରୁ ୧୩ ତାରିଖ ଯାଏ ୪ର୍ଥ ଟେଷ୍ଟ ଖେଳାଯିବ।
ବାମହାତୀ ସ୍ପିନର ଅଗର ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ମ୍ୟାଚ୍ରେ ଆଦୌ ୱିକେଟ ଦଖଲ କରିପାରି ନଥିଲେ। ୨୦୧୭ ପରେ ପ୍ରଥମଥର ଅଗର ଏପରି ସ୍ଥିତିର ସମ୍ମୁଖୀନ ହୋଇଥିଲେ ମଧ୍ୟ ତାଙ୍କୁ ସ୍କ୍ୱାଡରେ ରଖାଯାଇଛି। ଅଷ୍ଟ୍ରେଲିଆ କ୍ରିକେଟର ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲୀ କହିଛନ୍ତି, “ସିଡ୍ନୀକୁ କମବ୍ୟାକ କରିବା ପରେ ଅଷ୍ଟନ ଅଗର ସମସ୍ତଙ୍କୁ ପ୍ରଭାବିତ କରି ଚାଲିଛନ୍ତି। ଆମର ଆଶା ଏହି ବାମହାତୀ ଫିଙ୍ଗର ସ୍ପିନର ଭାରତୀୟ ପାଣିପାଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ମୋର୍ଫି ଘରୋଇ କ୍ରିକେଟ ଓ ଅଷ୍ଟ୍ରେଲିଆ ଏ’ ପାଇଁ କ୍ରମାଗତ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ତାଙ୍କ ଉପସ୍ଥିତି ଦଳର ସ୍ପିନ ବାହିନୀକୁ ଆହୁରି ମଜବୁତ କରିବ। ତାଙ୍କୁ ଭେଟରାନ ସ୍ପିନର ଲାୟନ ଓ ଆସିଷ୍ଟାଣ୍ଟ କୋଚ୍ ଡାନିଏଲ ଭିଟୋରୀଙ୍କ ସହ ଭାରତରେ ବହୁତ କିଛି ଶିଖିବାକୁ ମିଳିବ।”
ଆହତ ସମସ୍ୟା ଯୋଗୁ ମିଚେଲ ଷ୍ଟାର୍କ ସିଡ୍ନୀ ଟେଷ୍ଟ ଖେଳି ନଥିଲେ। ସେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମଧ୍ୟ ଖେଳିବେନି। ଏହାପରେ ସେ ସ୍କ୍ୱାଡରେ ସାମିଲ ହେବେ। ଗ୍ରୀନ ମଧ୍ୟ ସୁସ୍ଥ ହେବା ପରେ ଦଳରେ ଯୋଗଦେବେ। ଜୋଶ ହେଜେଲଉଡଙ୍କ ସହ ଅଧିନାୟକ ପାଟ କମିନ୍ସ, ସ୍କଟ ବୋଲାଣ୍ଡ ଓ ଲାନ୍ସ ମୋରିସ ଦ୍ରୁତ ବୋଲର ଭାବେ ସ୍କ୍ୱାଡରେ ଅଛନ୍ତି।
ଅଷ୍ଟ୍ରେଲିଆ ସ୍କ୍ୱାଡ: ପାଟ କମିନ୍ସ(ଅଧିନାୟକ), ଅଷ୍ଟନ ଅଗର, ସ୍କଟ ବୋଲାଣ୍ଡ, ଆଲେକ୍ସ କେରୀ, କାମେରନ ଗ୍ରୀନ, ଜୋଶ ହେଜେଲଉଡ, ପିଟର ହ୍ୟାଣ୍ତସ୍କମ୍ବ, ଟ୍ରାଭିସ ହେଡ, ଉସମାନ ଖ୍ୱାଜା, ମାର୍ନସ ଲାବୁଶେନ, ନାଥନ ଲାୟନ, ଲାନ୍ସ ମୋରିସ, ଟୋଡ୍ ମୋର୍ଫି, ମାଥ୍ୟୁ ରେନଶ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମିଚେଲ ସ୍ୱେପସନ ଓ ଡାଭିଡ ୱାର୍ଣ୍ଣର।
The post ଭାରତ ବିପକ୍ଷ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ସ୍କ୍ୱାଡ, ଅଛନ୍ତି ୪ ସ୍ପିନର ଓ ୬ ଦ୍ରୁତ ବୋଲର appeared first on Odisha Reporter.
from Odisha Reporter https://ift.tt/IUBLtfH
No comments:
Post a Comment