ଭୁବନେଶ୍ୱର ଖଣ୍ଡଗିରିରେ ହେଉଥିବା ଯାତ୍ରା ମହାକୁମ୍ଭରେ ଏଥର ଦେଖିବାକୁ ମିଳିବନି ଅଶ୍ଳୀଳ ନୃତ୍ୟ । ଆଇଟମ୍ ଡ୍ୟାନ୍ସ ହେବ, ହେଲେ ସେଥିରେ ରହିବନି ଅଶ୍ଳୀଳତା, ନଗ୍ନତା। ଏହା ଉପରେ ରୋକ ଲଗାଇଛନ୍ତି ବିଏମ୍ସି।
ଆସନ୍ତା ଖଣ୍ଡଗିରି ଯାତ୍ରା ପାଇଁ ଜାରି ହୋଇଛି ଏହି ଏସ୍ଓପି । ଅସଭ୍ୟ, ଅଶାଳୀନ ନୃତ୍ୟ ପରିବେଷଣକୁ ନେଇ ଯାତ୍ରା କମିଟିଙ୍କ ପାଇଁ ଏସ୍ଓପି ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ ।
ଖଣ୍ଡଗିରି ମେଳାରେ ହେଉଥିବା ଯାତ୍ରାରେ ଅଶ୍ଲୀଳ ନୃତ୍ୟ ଓ କାର୍ଯ୍ୟକ୍ରମକୁ ନେଇ ପୂର୍ବରୁ ବହୁ ଥର ବିବାଦ ଦେଖାଦେଇଛି । ଏପରିକି ଅଶ୍ଲୀଳ ନୃତ୍ୟକୁ ନେଇ ବହୁ ସଂଗଠନ ବିରୋଧ ବି ପ୍ରଦର୍ଶନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଏମ୍ସି ପକ୍ଷରୁ ଏହି ଏସ୍ଓପି ଜାରି ହୋଇଛି। ଫଳରେ ଅଶ୍ଳୀଳ ନୃତ୍ୟ ଦ୍ୱାରା ଯେପରି ସାମାଜିକ ଓ ଧାର୍ମିକ ଭାବନା କ୍ଷୂର୍ଣ୍ଣ ନହେବ ତାହା ଉପରେ ବି ଧ୍ୟାନ ଦିଆଯିବ ।
ଏହାକୁ ନେଇ ଯାତ୍ରା କଳାକାର ମହାସଂଘର ପରାମର୍ଶଦାତା ବାପି ପଣ୍ଡା କହିଛନ୍ତି, ଏସ୍ଓପିରେ ଆଇଟମ୍ ନମ୍ବରକୁ ମନା କରାଯାଇନି, ହେଲେ ଅଶ୍ଳୀଳତାକୁ ମନା କରାଯାଇଛି।
ଆଇଟମ୍ ନମ୍ବର ଉଠାଇ ଦେଲେ ଲୋକେ ଆଉ ଯାତ୍ରା ଦେଖିବାକୁ ଆସିବେନି ।
ଯାତ୍ରା କଳାକାର ରାଣୀ ପ୍ରିୟଦର୍ଶୀନିଙ୍କ କହିବାନୁଯାୟୀ, ଆଇଟମ ଡ୍ୟାନ୍ସ ଅଲଗା, ଅଶ୍ଳୀଳ ନୃତ୍ୟ ପରିବେଷଣ ଅଲଗା କଥା। ଆଇଟମ୍ ଡ୍ୟାନ୍ସକୁ ଲୋକ ପସନ୍ଦ କରନ୍ତି । ଖଣ୍ଡଗିରି ପାଇଁ ରୋକ୍ ଲାଗୁଛି, ହକି ଉଦଘାଟନୀରେ କାହିଁକି ରୋକ୍ ନାହିଁ। ଯାତ୍ରାରେ ଆଇଟମ୍ ଡ୍ୟାନ୍ସ ମନା, କିନ୍ତୁ ଦିଶା ପଟନୀଙ୍କ ପାଇଁ ସବୁ ଠିକ୍। ଦିଶାଙ୍କୁ ହଁ ହେଲେ ଆମକୁ ନା । ଏଭଳି କାହିଁକି ପାତରଅନ୍ତର, ନିୟମ କାହିଁକି ଅଲଗା ଅଲଗା ବୋଲି ପ୍ରଶ୍ନ କରିଛନ୍ତି ରାଣୀ। ବହୁ କଳାକାର ଆଇଟମ୍ ନମ୍ବର କରି ନିଜ ପରିବାର ପେଟ ପୋଷୁଛନ୍ତି ବୋଲି କହିଛନ୍ତି ରାଣୀ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/XCyaLr3
No comments:
Post a Comment