ଦୀର୍ଘ ଦିନ ପରେ ଜେଲରୁ ବାହାରିବେ ମନ୍ତ୍ରୀଙ୍କ ପୁଅ। ଲଖିମପୁର ଖେରି ହିଂସା ମାମଲରେ ମୁଖ୍ୟ ଅଭିଯୁକ୍ତ ଥିବା ଆଶିଷ ମିଶ୍ରାଙ୍କୁ ଜାମିନ ମିଳିଛି। ସୁପ୍ରିମକୋର୍ଟ ତାଙ୍କୁ ୮ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଆଶିଷ ମିଶ୍ରା ହେଉଛନ୍ତି କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ।
୨୦୨୧ରେ ଉତ୍ତରପ୍ରଦେଶର ଲଖିମପୁର ଖେରିରେ ଘଟିଥିବା କୃଷକଙ୍କ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଆଶିଷ ମିଶ୍ରା। ସେ କୃଷକଙ୍କ ଉପରେ ନିଜ ଗାଡି ଚଢ଼ାଇ ହତ୍ୟା କରିଥବା ଅଭିଯୋଗ ରହିଛି। ଏହି ମାମଲାରେ ଆଶିଷ ଦୀର୍ଘ ଦିନ ହେବ ଜେଲରେ ଥିବା ବେଳେ ଜାମିନ ପାଇଁ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ଗତ ଶୁଣାଣି ବେଳେ ତାଙ୍କ ଜାମିନ ଉପରେ ହୋଇଥିବା ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ।
ସୁପ୍ରିମକୋର୍ଟ ଆଜି ଏହି ମାମଲାରେ ନିଜ ରାୟ ଶୁଣାଇଛନ୍ତି। ପୀଡ଼ିତମାନଙ୍କ ଅଧିକାର ପ୍ରତି ଦୃଷ୍ଟି ଦିଆଯାଇ ସନ୍ତୁଳନ ବଜାୟ ରଖିବାକୁ ପଡ଼ିବ ବୋଲି ଦର୍ଶାଇ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜେ. କେ. ମାହେଶ୍ୱରୀଙ୍କ ଖଣ୍ଡପୀଠ କହିଛନ୍ତି, ଏହି ମାମଲାରେ ଆମେ କାହାରି ମତାମତ ଆଡ଼କୁ ଢଳିନାହୁଁ।
ମିଶ୍ରାଙ୍କୁ ୮ ସପ୍ତାହ ପାଇଁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରାଯାଇଛି। କୋର୍ଟଙ୍କ ସର୍ତ୍ତ ମୁତାବକ, ଆଶିଷ ମିଶ୍ରା ଉତ୍ତରପ୍ରଦେଶ ଯାଇପାରିବେ ନାହିଁ। ଟ୍ରାଏଲ୍ କୋର୍ଟରେ ହାଜର ହେବାକୁ ଡାକରା ଆସିଲେ ଏହି ସମୟ ମଧ୍ୟରେ ସେ ଉତ୍ତର ପ୍ରଦେଶକୁ ଆସିପାରିବେ ବୋଲି ଅନୁମତି ମିଳିଛି। ଏହାଛଡ଼ା, ସେ ଜାମିନରେ ଥିବା ସମୟ ପର୍ଯ୍ୟନ୍ତ ଅଦାଲତଙ୍କୁ ତାଙ୍କର ଠିକଣା ଜଣାଇବା ସହିତ ପାସ୍ପୋର୍ଟ ମଧ୍ୟ ଦାଖଲ କରିବେ।
ଏହି ମାମଲାର ପ୍ରତ୍ୟେକ ଶୁଣାଣି ପରେ ଟ୍ରାଏଲ୍ କୋର୍ଟ ସମସ୍ତ ବିବରଣୀ ସୁପ୍ରିମ୍ କୋର୍ଟକୁ ପଠାଇବେ। ସୁପ୍ରିମ୍ କୋର୍ଟ ଏହି ମାମଲାର ପର୍ଯ୍ୟବେକ୍ଷଣ କରିବେ। ମାର୍ଚ୍ଚ ୧୪ ତାରିଖ ଦିନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଆଶିଷ ମିଶ୍ରାଙ୍କ ସମେତ ଏହି ମାମଲାର ଅନ୍ୟ ସମସ୍ତ ଅଭିଯୁକ୍ତମାନଙ୍କୁ ମଧ୍ୟ ଜାମିନ ମିଳିଛି।
ଉଲ୍ଲେଖଯୋଗ୍ୟ, ୨୦୨୧ ଅକ୍ଟୋବର ୩ ତାରିଖ ଦିନ ଲଖିମ୍ପୁର ଖେରିର ତିନକୁନିଆ ଜିଲ୍ଲାରେ କୃଷକମାନେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏତିକି ବେଳେ ଆଶିଷ ମିଶ୍ରା ନିଜ ଗାଡି ବିକ୍ଷୋଭ କରୁଥିବା କୃଷକଙ୍କ ଉପରେ ଚଢ଼ାଇ ଦେଇଥିଲେ। ପରେ ଏହାକୁ ନେଇ ପ୍ରବଳ ହିଂସାକାଣ୍ଡ ଘଟିଥିଲା। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା।
ଉତ୍ତର ପ୍ରଦେଶ ପୁଲିସ ‘ଏଫ୍ଆଇଆର୍’ ଅନୁସାରେ, କେନ୍ଦ୍ରମନ୍ତ୍ରୀ ଅଜୟ କୁମାର ମିଶ୍ରା ଟୋନିଙ୍କ ପୁଅ ଆଶିଷ ମିଶ୍ରା ବସିଥିବା ଗୋଟାଏ ‘ଏସ୍ୟୁଭି’ ଗାଡ଼ି ମାଡ଼ିଯିବାରୁ ୪ଜଣ କୃଷକଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ କୃଷକମାନେ ଜଣେ ଡ୍ରାଇଭର୍ ଓ ଦୁଇଜଣ ବିଜେପି କର୍ମୀଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଏହି ହିଂସାକାଣ୍ଡରେ ଜଣେ ସାମ୍ବାଦିକଙ୍କର ବି ମୃତ୍ୟୁ ଘଟିଥିଲା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/mBPGvAQ
No comments:
Post a Comment