ବିଷ ପିଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଜିପିଓ ପ୍ରମୋଦ ପଟ୍ଟନାୟକଙ୍କର ରବିବାର ମୃତ୍ୟୁ ହୋଇଛି। ୧୨ ଦିନ ଧରି ଚିକିତ୍ସିତ ହେବା ପରେ ସେ ଆଖି ବୁଜିଛନ୍ତି।
ଜାନୁଆରୀ ୩୦ ତାରିଖରେ ପ୍ରମୋଦଙ୍କୁ ଭଞ୍ଜନଗରରୁ ପାତ୍ରପୁର ବ୍ଲକ୍କୁ ବଦଳି କରାଯାଇଥିଲା। ଭଞ୍ଜନଗର ବିଡିଓ ସଙ୍ଗେ ସଙ୍ଗେ ତାଙ୍କୁ ରିଲିଫ୍ କରି ଦେଇଥିଲେ। ଫେବ୍ରୁଆରୀ ୧ ତାରିଖରେ ପ୍ରମୋଦ ଭଞ୍ଜନଗର ବ୍ଲକ୍ କାର୍ଯ୍ୟାଳୟକୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ଆସିଥିବା ବେଳେ ବିଷ ପିଇ ଦେଇଥିଲେ।
ବ୍ଲକ କର୍ମଚାରୀମାନେ ପ୍ରମୋଦଙ୍କୁ ଭଞ୍ଜନଗର ଡାକ୍ତରଖାନା ନେଇ ଯାଇଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କ ଅବସ୍ଥାରେ ବିଶେଷ କିଛି ଉନ୍ନତି ଆସି ନଥିଲା ଓ ଶେଷରେ ଆଜି ତାଙ୍କର ମୃତ୍ୟୁ ହୋଇଗଲା।
ପ୍ରମୋଦ କାହିଁକି ବିଷ ପିଇଲେ, ତା’ର ପ୍ରକୃତ କାରଣ ଏଯାଏ ଜଣାପଡ଼ିନି। ତେବେ କୁହାଯାଉଛି, ବଦଳିକୁ ନେଇ ସେ ଖୁବ୍ ଅସନ୍ତୁଷ୍ଟ ଥିଲେ। ତାଙ୍କର ଆଉ ୪ ମାସ ଚାକିରି ଥିଲା। ସେ ସୋରଡ଼ାରୁ ପ୍ରତିଦିନ ଭଞ୍ଜନଗର ଯା’ଆସ କରୁଥିଲେ। ତେବେ ହଠାତ୍ ପାତ୍ରପୁର ବଦଳି ହୋଇଯିବାରୁ ସେ ଏହାକୁ ଗ୍ରହଣ କରିପାରି ନଥିଲେ। ସେଥିପାଇଁ ସେ ବିଷ ପିଇ ଦେଇଥିଲେ ବୋଲି କୁହାଯାଉଛି। ଭଞ୍ଜନଗର ପୁଲିସ୍ ଘଟଣାର ତଦନ୍ତ କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/1ifjgBw
No comments:
Post a Comment