ଗତକାଲି ବାଣୀବିହାରରେ ଜେଏନୟୁ ତାତି ଦେଖିବାକୁ ମିଳିଥିବା ବେଳେ ଏହାକୁ ଆୟତ୍ତକୁ ଆଣିବାକୁ ଯାଇ କମିଶନରେଟ ପୁଲିସ ଦବଙ୍ଗଗିରି ଦେଖାଇଛି। ଗତକାଲି ବିଳମ୍ବିତ ରାତିରେ ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରକୁ ମାଡ଼ମାରି ଲୁହାଣ କରିବା ସହ ଦୁଇଜଣ ABVP ସଦସ୍ୟଙ୍କୁ ବି ଉଠେଇ ନେଲା କମିଶନରେଟ ପୁଲିସ।
ଆଚାର୍ଯ୍ୟ ବିହାର ଛକରେ ସୁବ୍ରତ ବିଶ୍ୱାଳ ନାମକ ବାଣୀବିହାର ଛାତ୍ରଙ୍କୁ ନିର୍ଦ୍ଧୁମ ପିଟିଛି ସହିଦ ନଗର ପୁଲିସ୍। ABVPର ଦୁଇ ଜଣ ସଦସ୍ୟ ମାନସ ସାହୁ ଓ ସଞ୍ଜୟ ମହାଳିକଙ୍କୁ ଗତକାଲି ବିଶ୍ଵବିଦ୍ୟାଳୟ ସେମିନାର ବେଳେ ଘଟିଥିବା ଆକ୍ରମଣ ଘଟଣାରେ ପୁଲିସ ଜୋରଜବରଦସ୍ତ ଉଠେଇ ନେବା ପାଇଁ ଚେଷ୍ଟା କରିଥିଲା। ଉକ୍ତ ସମୟରେ ସୁବ୍ରତ ବିଶ୍ୱାଳ ତାହାର ପ୍ରତିବାଦ କରିଥିଲେ। ସେଠି ସୁବ୍ରତଙ୍କୁ ପୁଲିସ୍ ନିର୍ଦ୍ଧୁମ୍ ପିଟିବା ସହ ଲୁହା କଣ୍ଟା ଥିବା ପାଚେରୀ ଉପରକୁ ଫିଙ୍ଗି ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏଥିରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି।
ଭାରତୀୟ ସମ୍ବିଧାନ ଓ ଜାତୀୟ ଶିକ୍ଷାନୀତି ପ୍ରସଙ୍ଗରେ ସିଟିଜେନ୍ସ ଫୋରମ୍ ପକ୍ଷରୁ ଗତକାଲି ଏକ ରାଜ୍ୟସ୍ତରୀୟ ସେମିନାର ଆୟୋଜିତ ହୋଇଥିଲା । ଉକ୍ତ ସେମିନାରରେ ଦିଲ୍ଲୀ ଜେଏନୟୁର ପ୍ରଫେସର ସୁରଜିତ୍ ମଜୁମଦାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତେବେ ସୁରଜିତ୍ ମଜୁମଦାର ଭାରତୀୟ ସମ୍ବିଧାନ ପ୍ରସଙ୍ଗରେ ବକ୍ତବ୍ୟ ରଖିବା ବେଳେ ତାଙ୍କ ମନ୍ତବ୍ୟକୁ ବିରୋଧ କରିଥିଲେ କିଛି ପୂର୍ବତନ ଛାତ୍ର।
ସମ୍ପୃକ୍ତ ଜେଏନୟୁ ପ୍ରଫେସର ଦେଶ ବିରୋଧୀ ଏବଂ ଜାତିଆଣ ମନ୍ତବ୍ୟ ଦେଉଥିବା ଅଭିଯୋଗ କରି ଏହି ପୂର୍ବତନ ଛାତ୍ରମାନେ ତୀବ୍ର ବିରୋଧ କରିଥିଲେ । ଏହାକୁ ସିଟିଜେନ୍ସ ଫୋରମ୍ ପକ୍ଷରୁ ବିରୋଧ କରାଯିବାରୁ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଶେଷରେ ସେମିନାରକୁ ବନ୍ଦ ରଖାଯାଇଥିଲା।
ନିଜ ସଫେଇରେ ଜେଏନୟୁର ପ୍ରଫେସର ସୁରଜିତ୍ ମଜୁମଦାର କହିଛନ୍ତି, ସମ୍ବିଧାନର ବିପରୀତ ଭିତ୍ତିକ କୌଣସି ଆଲୋଚନା ହେଉ ନ ଥିଲା। ମାତ୍ର ଏହାକୁ ରୋକିବାକୁ ଚେଷ୍ଟା କରିଯିବା ସମ୍ବିଧାନ ବିରୋଧୀ। ଏଠାରେ କିଛି ଭୁଲ କାମ ହେଉ ନ ଥିଲା। ଯଦି ଆଲୋଚନା ଠିକ୍ ହେଉ ନ ଥିଲା ତେବେ ଯୁକ୍ତି କରାଯାଇପାରିଥାନ୍ତା।
ବାଣୀବିହାରରେ ଦେଶ ବିରୋଧୀ ମନ୍ତବ୍ୟ ଦେଉଥିବା ଅଭିଯୋଗ କରି ସହିଦ୍ ନଗର ଥାନାରେ ଛାତ୍ରମାନଙ୍କ ପକ୍ଷରୁ ଗତକାଲି ଏତଲା ଦିଆଯାଇଥିଲା । ଦେଶ ବିରୋଧରେ ମନ୍ତବ୍ୟ ଦେଉଥିବା ପ୍ରଫେସରଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଅଡ଼ି ବସିଛନ୍ତି ଛାତ୍ର ନେତା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/vlsyQ0m
No comments:
Post a Comment