ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ମୃତ୍ୟୁକୁ ୬ ମାସ ପୂରି ସାରିଥିବା ବେଳେ ଆଜି ସକାଳୁ ତାଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍। ଆଜି ଭୋରରୁ ସମ୍ବଲପୁର ବଂଶୀଧର ନଗରସ୍ଥିତ ଘରୁ ସୌମ୍ୟଜିତଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ୍।
ଆଜି ଭୋର ପ୍ରାୟ ୪ଟାରେ ସୌମ୍ୟଜିତ ବଂଶୀଧର ନଗରସ୍ଥିତ ନିଜ ଘରେ ଥିବା ବେଳେ ସେଠାରେ ପହଞ୍ଚିଥିଲା ଚନ୍ଦ୍ରଶେଖରପୁର ଥାନାର ୫ ଜଣିଆ ପୁଲିସ୍ ଟିମ୍ । ସେଠାରୁ ସୌମ୍ୟଜିତଙ୍କୁ ଗିରଫ କରି ପୁଲିସ୍ ବରେଇପାଲ୍ଲୀ ଥାନାକୁ ନେଇଥିଲା। ସେଠାରେ ଔପଚାରିକତା ସାରିବା ପରେ ସୌମ୍ୟଜିତଙ୍କୁ ସମ୍ବଲପୁରରୁ ଭୁବନେଶ୍ୱର ଅଭିମୁଖେ ଅଣାଯାଉଛି।
ଶ୍ୱେତାଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଦାୟୀ କରୁଥିଲେ। ଗିରଫଦାରୀରୁ ବର୍ତ୍ତିବା ପାଇଁ ସୌମ୍ୟଜିତ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। ମାତ୍ର ତାହା ଖାରଜ ହୋଇଯିବାରୁ ଆଜି ତାଙ୍କୁ ଗିରଫ କରିଛି କମିଶନରେଟ ପୁଲିସ୍।
ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ମୋଟା ଦରମା ସାଙ୍ଗକୁ ବିନ୍ଦାସ ଲାଇଫ୍ ବଞ୍ଚୁଥିଲେ। ମାତ୍ର ହଠାତ୍ ଗତବର୍ଷ ଅଗଷ୍ଟରେ ତାଙ୍କ ମୃତ୍ୟୁ ହୋଇଥିଲା। ଭୁବନେଶ୍ୱରର ଶୈଳଶ୍ରୀ ବିହାରସ୍ଥିତ ଇନଫୋସିଟି ଗାର୍ଡେନ ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ମିଳିଥିଲା । ଶ୍ୱେତା ଆତ୍ମହତ୍ୟା କରିଥିବା ପୁଲିସ୍ କହୁଥିବା ବେଳେ ଝିଅର ମୃତ୍ୟୁ ପାଇଁ ସୌମ୍ୟଜିତଙ୍କୁ ଦାୟୀ କରିଥିଲେ ପରିବାର ଲୋକେ ।
ଶ୍ୱେତାଙ୍କ କଲ୍ ଡିଟେଲ୍ସ ବାହାରିବା ପରେ ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ସେ ସୌମ୍ୟଙ୍କୁ ୧୫ ଥର କଲ୍ କରିଥିବା ଜଣା ପଡ଼ିଥିଲା। ସୌମ୍ୟଜିତ୍ କିନ୍ତୁ ତାଙ୍କ ଫୋନ ଉଠାଇ ନ ଥିଲେ। ଉଭୟଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ ହେଉଥିବା ବେଳେ ସେଥିରେ ସୌମ୍ୟଜିତ ଶ୍ୱେତାଙ୍କୁ ଗାଳିଗୁଲଜ କରୁଥିବା ଶୁଣିବାକୁ ମିଳୁଥିଲା।
ଏହାପରେ ଶ୍ୱେତାଙ୍କ ହ୍ୱାଟ୍ସ ଆପ୍ ଚାଟ୍ ଭାଇରାଲ ହେବା ସହ ବ୍ୟାଙ୍କ ଷ୍ଟେଟମେଣ୍ଟ ସାମନାକୁ ଆସିଥିଲା। ମୃତ୍ୟ ପୂର୍ବରୁ ଶ୍ୱେତା କରିଥିଲେ ୨ଲକ୍ଷ ୩୦ ହଜାର ଟଙ୍କାର ଲୋନ୍ । ହେଲେ ଏହାର ଟେର୍ ପାଇପାରି ନ ଥିଲେ ଶ୍ୱେତାଙ୍କ ପରିବାର ଲୋକେ । ତେବେ ଏତେ ଟଙ୍କା ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଦେଇଥିବା ସେମାନେ ପୁଲିସ୍ ସମ୍ମୁଖରେ କହିଥିଲେ। ତେଣୁ ଝିଅର ମୃତ୍ୟୁ ପାଇଁ ସୌମ୍ୟଜିତଙ୍କୁ ଦାୟୀ କରିଥିଲେ ପରିବାର ଲୋକେ । ଏହାପରେ ସୌମ୍ୟଜିତ ଜାମିନ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବି ନିରାଶ ହୋଇଛନ୍ତି। ଶ୍ୱେତା ମୃତ୍ୟୁର ୬ ମାସ ପରେ ବନ୍ଧା ହୋଇଛନ୍ତି ସୌମ୍ୟଜିତ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/PONX3tv
No comments:
Post a Comment