ଶାଳୀ ବାହାଘର ପାଇଁ ଖୁସିରେ ଭିଣୋଇଙ୍କ ପାଦ ତଳେ ଲାଗୁ ନ ଥିଲା। ପୂର୍ବରୁ ପତ୍ନୀ ଓ ପିଲାମାନଙ୍କୁ ଶ୍ୱଶୁର ଘରେ ଛାଡ଼ି ଦେଇଥିବା ବେଳେ ବାହାଘର ଦିନ ନିଜେ ଯାଉଥିଲେ। ଶାଳୀ ବାହାଘରରେ ନାଚ, ଗୀତରେ ମାତିବା ସହ ଖୁବ୍ ମଜାମସ୍ତି ବି କରିବେ ବୋଲି ଭାବିଥିଲେ । ମାତ୍ର ସହିଲାନି ଦଇବ । ଶାଳୀ ବାହାଘରକୁ ଯିବା ନିମନ୍ତେ ରେଳ ଲାଇନ୍ ପାର ହେବା ସମୟରେ ଭିଣୋଇଙ୍କୁ ପିଟିଦେଲା ଟ୍ରେନ ।
ଗୋଟିଏ ପଟେ ଶାଳୀ ବାହାଘର ଚାଲିଥିବା ବେଳେ ଅନ୍ୟ ପଟେ ଭିଣୋଇଙ୍କ ମୃତଦେହ ଟ୍ରେନ୍ ଲାଇନ୍ରେ ପଡ଼ିଥିଲା। ଭିଣୋଇଙ୍କ ବାଟକୁ ଅନାଇ ଅନାଇ ଶାଳୀ ଶାଶୁ ଘର ଚାଲି ଯାଇଥିବା ପରେ ପରିବାର ଲୋକେ ଏକ ଦୁଃଖଦ ଖବର ପାଇଥିଲେ। ଏପରି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ଘଟିଛି।
ମୃତକ ହେଲେ ଯୁବକ ସେମିଳିଗୁଡା ନିକଟ କାକିଗାଁ ଗ୍ରାମର ଶିବ କଣ୍ଟା । ଶିବଙ୍କ ମୃତଦେହ ବୁଧବାର ସକାଳୁ ନନ୍ଦପୁର ବ୍ଲକ ଅଧୀନ ପାଡୁଆ ରେଳ ଷ୍ଟେସନ ନିକଟ ରେଳ ଧାରଣା କଡ଼ରୁ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଉଦ୍ଧାର ହୋଇଛି।
ଶିବଙ୍କ ଶ୍ୱଶୁର ଘର ପାଡୁଆ ରେଳଧାରଣା ଆରପଟେ ଥିବା ପାଡୁଆ ଉପର ସାହି ଅଞ୍ଚଳରେ ବୋଲି ଜଣାଯାଇଛି। ଗତ ମଙ୍ଗଳବାର ଶିବଙ୍କ ଶାଳୀଙ୍କ ବିବାହ ଥିବା ବେଳେ ପତ୍ନୀ ତଥା ପିଲାମାନେ ପୂର୍ବରୁ ସେଠାକୁ ଚାଲି ଯାଇଥିଲେ। ଶିବ ଗତ ମଙ୍ଗଳବାର ସନ୍ଧ୍ୟାରେ ନିଜ ଶ୍ୱଶୁର ଘର ଅଭିମୁଖେ ଯାଉଥିଲେ।
ମାତ୍ର ରେଳ ଲାଇନ୍ ପାର୍ ହେଉଥିବା ବେଳେ ତାଙ୍କୁ ଟ୍ରେନ୍ ପିଟି ଦେଇଥିବା ବେଳେ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ମଙ୍ଗଳବାର ରାତି ସାରା ଟ୍ରେନ୍ ଲାଇନ୍ କଡ଼ରେ ପଡ଼ି ରହିଥିଲା।
ପରିବାର ଲୋକେ ବାରମ୍ବାର ଫୋନ୍ କରୁଥିବା ବେଳେ ଶିବଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରୁ ନ ଥିଲା। ଫଳରେ କୌଣସି ଜରୁରୀ କାମରେ ରହି ଯାଇଥିବେ ବୋଲି ସେମାନେ ଭାବିଥିଲେ। ଏହାପରେ ଗତକାଲି ସକାଳେ ବିବାହ ଶେଷ ହେବା ପରେ ଝିଅଜ୍ୱାଇଁ ବିଦା ହୋଇ ଯାଇଥିଲେ।
ଏହାପରେ ପରିବାର ଲୋକଙ୍କୁ ଶିବଙ୍କ ମୃତଦେହ ଟ୍ରେନ୍ ଲାଇନ୍ରେ ପଡ଼ିଥିବା ଖବର ମିଳିଥିଲା। ସେମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ଏପରି ଦୁଃଖଦ ଘଟଣା ପରେ ପରିବାରରେ ଶୋକର ଛାୟା ଖେଳି ଯାଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/e3B7p54
No comments:
Post a Comment