ମାଟ୍ରିକ ପରୀକ୍ଷା ଦେବାକୁ ଆସିଥିବା ପରୀକ୍ଷାର୍ଥୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି ମହୁମାଛି। ମହୁମାଛି ଆକ୍ରମଣରେ ୧୦ଜଣ ପରୀକ୍ଷାର୍ଥୀ ଆହତ ହୋଇଥିବା ବେଳେ ଜଣେ ଶିକ୍ଷକ ଗୁରୁତର ହୋଇଛନ୍ତି। ଆଜି ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଳିକା ଉଚ୍ଚ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ। ଗୁରୁତର ଶିକ୍ଷକ କିଶୋର ମହାନ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ପିଟାପିଟି ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି।
ହରିଚନ୍ଦନପୁର ବାଳିକା ଉଚ୍ଚ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ର ନିକଟରେ ଆରଆଇ ଅଫିସ ଅଛି। ଏହି ଅଫିସ ନିକଟରେ ଥିବା ଗଛରେ ମହୁ ଫେଣା ହୋଇଛି। ଚଢ଼େଇମାନେ ମହୁ ଫେଣା ଉପରେ ବସିଯିବା ଯୋଗୁ ଗତକାଲି ମହୁମାଛିମାନେ ସେହି ରାସ୍ତାଦେଇ ଯାଉଥିବା ଲୋକଙ୍କୁ ଆକ୍ରମଣ କରିଥିଲେ।
ଆଜି ସକାଳେ ପରୀକ୍ଷାର୍ଥୀମାନେ ହରିଚନ୍ଦନପୁର ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରକୁ ପରୀକ୍ଷା ଦେବାକୁ ଆସିଥିଲେ। ପିଲାମାନେ ମହୁଫେଣା ହୋଇଥିବା ଗଛ ପାଖରେ ଠିଆ ହୋଇଥିଲେ। ହଠାତ୍ ମହୁମାଛି ମାନେ ଉଡି ଆସି ପିଲାଙ୍କୁ ଆକ୍ରମଣ କରିଥିଲେ। ପିଲାମାନେ ଜୀବନବିକଳରେ ପରୀକ୍ଷାକେନ୍ଦ୍ର ଭିତରକୁ ପଳାଇ ଯାଇଥିଲେ। ଯନ୍ତ୍ରଣାରେ ଛଟପଟ ହୋଇ ସେମାନେ ପରୀକ୍ଷା ଦେଇଥିଲେ।
ପିଲାମାନଙ୍କୁ ମହୁମାଛି ଆକ୍ରମଣ କରୁଥିବା ସମୟରେ ଶିକ୍ଷକ କିଶୋର ମହାନ୍ତି ବାଇକରେ ଆସି ସେଠାରେ ପହଞ୍ଚିଥିଲେ। ମହୁମାଛିମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥା ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପରୀକ୍ଷା ସରିବା ପରେ ପିଲାମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ମେଡିକାଲ ଟିମ୍ ଚିକିତ୍ସା କରୁଛନ୍ତି।
ସୂଚନାଯୋଗ୍ୟ, ମାଟ୍ରିକ ପରୀକ୍ଷାର ଆଜି ଦ୍ୱିତୀୟ ଦିନ। ଆଜି ଇଂରାଜୀ ବିଷୟରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। ଗତ ୧୦ତାରିଖରେ ଆରମ୍ଭ ହୋଇଥିବା ପ୍ରଥମ ଦିନ ପରୀକ୍ଷାରେ ମାତୃଭାଷା ବିଷୟ ପରୀକ୍ଷା ସରିଛି। ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ଟାରେ ସରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/pr2VQWF
No comments:
Post a Comment