ଗତକାଲି ସନ୍ଧ୍ୟାରେ ରାଜଧାନୀରେ ହୋଇଥବା ବାଣ ବିସ୍ଫୋରଣ ଯୋଗୁ ଅକାଳରେ ଜଣଙ୍କ ଜୀବନ ଚାଲି ଯାଇଛି। ମୃତକ ହେଲେ ଶିବାନନ୍ଦ ତାଡୋ ।
ଭୁବନେଶ୍ବର ଭିଏସଏସ ନଗରର ସିଏଲ୍ କଲୋନୀସ୍ଥିତ ନିଜ ଘର ଭିତରେ ଗତକାଲି ସନ୍ଧ୍ୟାରେ ଶିବାନନ୍ଦ ବାଣ ଭିଡିବା ବେଳେ ଏହି ଅଘଟଣ ଘଟିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ରାଜଧାନୀରେ ଏକ ଘରୋଇ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି।
ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ଶିବନ ନିଜ ଘରେ ବାଣ ଭିଡ଼ୁଥିଲେ। ଠିକ୍ ସେହି ସମୟରେ ହଠାତ୍ ଏକ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଫଳରେ ତାଙ୍କ ଆଜବେଷ୍ଟସ୍ ଘରର ଛପର ଉଡ଼ି ଯାଇଥିଲା। ଘରୋଇ ଉପକରଣ ସାମଗ୍ରୀ ସବୁ ଛିନ୍ଛତ୍ର ହୋଇ ବାହାରେ ପଡ଼ିଥିଲା। ସେ ଗୁରୁତର ଆହତ ହୋଇଥିଲେ। ବିସ୍ଫୋରଣ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। କମିଶନରେଟ୍ ପୁଲିସ୍ ପହଞ୍ଚିବା ପୂର୍ବରୁ ଶିବନକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏକ ଘରୋଇ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ସେ ଆଖି ବୁଜିଦେଲେ।
ବିସ୍ଫୋରଣ ଘଟିଥିବା ଘରେ କେତେ ଦିନ ଧରି ବାଣ ଭିଡା ଯାଉଥିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ତେବେ କମିଶନରେଟ୍ ପୁଲିସ୍ ସେହି ଘରକୁ ସିଲ୍ କରି ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ଏନେଇ ମୁହଁ ଖୋଲୁ ନାହାନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ରାଜଧାନୀର ଛାତି ଉପରେ ଏକ ଜନବସତି ଅଞ୍ଚଳରେ ବାଣ ଭିଡ଼ା ହେଉଥିବା ବେଳେ ପୁଲିସ କେମିତି ଜାଣିପାରୁନଥିଲା?
ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁରରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ ଘଟି ଅକାଳରେ ୫ ଜୀବନ ଚାଲି ଯାଇଥିଲା। ସେହିପରି ଫେବ୍ରୁଆରୀ ୨୮ ତାରିଖରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ଇଚ୍ଛାପୁରରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଥିଲା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/LvXVCGO
No comments:
Post a Comment