ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ପ୍ରସିଦ୍ଧ କେଦାରନାଥ ପୀଠ । ମନ୍ତ୍ର ପାଠ ତଥା ଶ୍ଲୋକ ଉଚ୍ଚାରଣ ମଧ୍ୟରେ ଖୋଲିଛି ବାବା କେଦାରନାଥଙ୍କ ପୀଠ । ହର ହର ମହାଦେବ ଧ୍ୱନୀରେ କମ୍ପି ଉଠିଲା ଚତୁଃର୍ଦିଗ । ଏଥିନିମନ୍ତେ ଆଜି କେଦାରନାଥ ଧାମରେ ବିଶେଷ ପୂଜାର୍ଚ୍ଚନାର ଆୟୋଜନ କରାଯାଇଥିଲା। ଆଜି ପ୍ରଥମ ଦିନରେ ଭଗବାନ ଶିବଙ୍କ ଏହି ପୀଠକୁ ୨୦ କୁଇଣ୍ଟାଲ ଫୁଲରେ ସୁସଜ୍ଜିତ କରାଯାଇଛି। କେଦାରନାଥ ପୀଠ ଆଜିଠୁ ଖୋଲିଥିଲେ ବି ଖରାପ ପାଣିପାଗ ହେତୁ ଏବେ ଭକ୍ତଙ୍କ ନିମନ୍ତେ ରେଜିଷ୍ଟ୍ରେଶନକୁ ବନ୍ଦ କରି ଦିଆଯାଇଛି।
କେଦାରନାଥ ଧାମର ମୁଖ୍ୟ ପୂଜାରୀ ଜଗଦଗୁରୁ ରାୱଲ ଭୀମ ଶଙ୍କର ଆଜି କେଦାରନାଥ ଧାମର ଦ୍ୱାର ସର୍ବ ସାଧାରଣଙ୍କ ନିମନ୍ତେ ଉନ୍ମକ୍ତ କରିଥିଲେ। ଉକ୍ତ ସମୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଧାମୀ ସେଠାରେ ଉପସ୍ଥିତ ରହି ପ୍ରଭୁଙ୍କ ଦର୍ଶନ କରିଥିଲେ।
ତେବେ ଉତ୍ତରାଖଣ୍ଡରେ ପ୍ରବଳ ତୁଷାରପାତ ହେଉଥିବାରୁ ବାବା କେଦାରନାଥଙ୍କ ଦର୍ଶନ ରେଜିଷ୍ଟ୍ରେଶନକୁ ବନ୍ଦ କରି ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ହୋଇଥିବା ପୂର୍ବାନୁମାନ ଅନୁଯାୟୀ, ଆଗାମୀ କିଛି ସପ୍ତାହ ପାଇଁ କେଦାରନାଥର ପାଣିପାଗ ଖରାପ ରହିବ । ରାସ୍ତାରେ ୩ରୁ ୪ ଫୁଟ ପର୍ଯ୍ୟନ୍ତ ବରଫ ଜମି ରହିବ । ପାଣିପାଗ ବିଭାଗରୁ ଦିଆଯାଇଥିବା ଆଲର୍ଟ ପରେ କେଦାରନାଥ ଧାମକୁ ଯିବା ନିମନ୍ତେ ରେଜିଷ୍ଟ୍ରେଶନକୁ ବନ୍ଦ କରି ଦିଆଯାଇଛି ।
ଶ୍ରଦ୍ଧାଳୁଙ୍କ ପ୍ରଥମ ଗ୍ରୁପ୍ ଚାରି ଧାମ ଯାତ୍ରା ନିମନ୍ତେ ଶନିବାରଠୁ ବାହାରି ଯାଇଛି। ହେଲେ କେଦାରନାଥ ଧାମ ଦର୍ଶନ ନିମନ୍ତେ ଏବେ ବାରଣ କରାଯାଇଥିବାରୁ ଭକ୍ତମାନେ ନିରାଶ ହୋଇ ପଡ଼ିଛନ୍ତି।
କେଦାରନାଥ ଦର୍ଶନ କରିବାକୁ ପ୍ରତି ବର୍ଷ ସମଗ୍ର ଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଏହି ଶ୍ରଦ୍ଧାଳୁଙ୍କ ନିମନ୍ତେ ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କ ପକ୍ଷରୁ ରାସ୍ତାର ବିଭିନ୍ନ ସ୍ଥାନରେ ମେଡିକାଲ ରିଲିଫ ପୋଷ୍ଟ ତିଆରି କରାଯାଇଛି। ଏହି ପୋଷ୍ଟରେ ୧୩୦ ଡାକ୍ତର ନିୟୋଜିତ ହୋଇଛନ୍ତି। କେଦାରନାଥ ଯାତ୍ରା ବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ୁଥିବା ଶ୍ରଦ୍ଧାଳୁଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ନିମନ୍ତେ ଡାକ୍ତରଙ୍କ ସମେତ ପାରା ମେଡିକାଲ ଷ୍ଟାଫ, ଅକ୍ସିଜେନ ସିଲିଣ୍ଡର ଓ ଆବଶ୍ୟକ ଔଷଧ ମହଜୁଦ ରଖାଯାଇଛି। ଏହି ଅବସରରେ ଯାତ୍ରୀଙ୍କ ନିମନ୍ତେ ହେଲଥ୍ ଏଟିଏମ୍ ବି ଲଗା ଯାଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/SJUQAcb
No comments:
Post a Comment