ମୁମ୍ବାଇର ଏକ ଫ୍ଲାଟରୁ ମିଳିଛି ଜଣେ ମହିଳା ସବ୍- ଇନ୍ସପେକ୍ଟରଙ୍କ ଗଳିତ ଶବ । ମୃତ ସବ୍-ଇନ୍ସପେକ୍ଟରଜଣକ ଶୀତଲ ୟେକଡେ ବୋଲି ଚିହ୍ନଟ ହୋଇଛନ୍ତି। ପୁଲିସ୍ ଶବ ଜବତ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ମୁମ୍ବାଇର କୁର୍ଲା ଅଧୀନ ନେହରୁ ନଗର ପୁଲିସ୍ ଷ୍ଟେଶନରେ ୩୦ ବର୍ଷୀୟ ଶୀତଲ ସବ୍ ଇନ୍ସପେକ୍ଟର ଭାବେ କାମ କରୁଥିଲେ। ମାତ୍ର ସେ ପ୍ରାୟ ଦେଢ ବର୍ଷ ହେବ ଛୁଟିରେ ଥିଲେ। ବର୍ଷେରୁ ଅଧିକ ସମୟ ଛୁଟିରେ ରହିବା କାରଣରୁ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ତେବେ ତାଙ୍କର ଏପରି ମୃତ୍ୟୁ ପଛର କାରଣ କ’ଣ ତାହା ଜଣା ପଡ଼ିନି ।
ଶୀତଲ ନେହରୁ ନଗରର ଏକ ଆପାର୍ଟମେଣ୍ଟର ୫ ତାଲାରେ ଥିବା ଫ୍ଲାଟରେ ଏକୁଟିଆ ରହୁଥିଲେ । ସେ ପାଖ ଲୋକଙ୍କ ସହ ବେଶି ମିଶାମିଶି କରୁ ନ ଥିଲେ। ତାଙ୍କ ଫ୍ଲାଟ କବାଟ କିଛି ଦିନ ହେବ ବନ୍ଦ ରହୁଥିବା ବେଳେ ସେଥିରୁ ଦୁର୍ଗନ୍ଧ ବାହାରୁଥିବା ନେଇ ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ ।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଭିତରେ ପଶି ଶୀତଲଙ୍କ ମୃତଦେହ ଚଟାଣରେ ପଡ଼ିଥିବା ଦେଖିବାକୁ ପାଇଥିଲା। ଉକ୍ତ ମୃତଦେହ ପଚି ଗନ୍ଧ ବାହାରୁଥିଲା। ତେଣୁ ପ୍ରାୟ ୪,୫ ଦିନ ପୂର୍ବରୁ ଶୀତଲଙ୍କ ମୃତ୍ୟୁ ହୋଇଥିବା ପୁଲିସ୍ ଅନୁମାନ କରୁଛି। ତେବେ ମୃତଦେହ ନିକଟରୁ କୌଣସି ସୁଇସାଇଡ ନୋଟ ମିଳି ନ ଥିବାରୁ ଏହା ଆତ୍ମହତ୍ୟା ନା ଆଉ କିଛି ତାହା ସ୍ପଷ୍ଟ ହୋଇ ପାରୁନି।
ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ଘଟଣାର ତଦନ୍ତ କରୁଛି। ଏନେଇ ଶୀତଲଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ପୁଲିସ୍ ଏହାର ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଅଧିକ ସ୍ପଷ୍ଟ ହେବ ବୋଲି ବରିଷ୍ଠ ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/oPzADjU
No comments:
Post a Comment