କିଏ ଓ କାହିଁକି ହତ୍ୟା କରିଥିଲେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ। ଏଥିରେ ତାଙ୍କ ପୂର୍ବତନ ପ୍ରେମିକଙ୍କ ହାତ ନାହିଁ ତ? ଫାଇନାନ୍ସ କର୍ମଚାରୀ ହତ୍ୟା ଘଟଣାକୁ ଦୁଇ ଦିନ ବତିବାକୁ ଯାଉଥିବା ବେଳେ ହତ୍ୟାକାରୀକୁ ଧରି ପାରିନାହିଁ ପୁଲିସ୍। ଅନ୍ୟପକ୍ଷରେ ଫାଇନାନ୍ସ କର୍ମଚାରୀଙ୍କ ପୂର୍ବତନ ପ୍ରେମିକଙ୍କୁ ନେଇ ସାଧାରଣରେ ସନ୍ଦେହ ବଢ଼ୁଛି। ଦେବଗଡ଼ ଏସ୍ପିଙ୍କ କହିବା ଅନୁସାରେ ହତ୍ୟାରେ ଶିକାର ହୋଇଥିବା ଯୁବତୀଙ୍କ ମାଆ ସେମିତି କିଛି ଏଫ୍ଆଇଆର୍ରେ ଦର୍ଶାଇଛନ୍ତି। ତାଙ୍କ ଝିଅକୁ ଜଣେ ଯୁବକ ଏକତରଫା ପ୍ରେମ କରୁଥିବା ନେଇ ଯୁବତୀଙ୍କ ମାଆ କରିଥିବା ଅଭିଯୋଗ ଉପରେ ତଦନ୍ତ ଚାଲିଥିବା ଦେବଗଡ଼ ଏସ୍ପି କହିଛନ୍ତି।
ମଙ୍ଗଳବାର ରାତି ପ୍ରାୟ ୧୧ ଟା ହେବ। ଦେବଗଡ଼ ଭାରତ ଫାଇନାନ୍ସ ଅଫିସରୁ କାମ ସାରି ନିଜ ସ୍କୁଟିରେ ଘରକୁ ଯିବା ପାଇଁ ବାହାରୁଥିଲେ ରୀତା ସାହୁ। ଠିକ୍ ସେହି ସମୟରେ ଅଫିସ ସମ୍ମୁଖରେ ଦୁଇ ଜଣ ଯୁବକ କାଠ ଫାଳିଆ ଓ ଛୁରିରେ ତାଙ୍କୁ ଆକ୍ରମଣ କରିଥିଲେ। ପରେ ପଥର ଛେଚି ତାଙ୍କୁ ରକ୍ତାକ୍ତ କରିଦେଇଥିଲେ। ଚିତ୍କାର ଶୁଣିରେ ଅଫିସ୍ରେ କାମ କରୁଥିବା ଅନ୍ୟ କର୍ମଚାରୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ୨୬ ବର୍ଷୀୟା ରୀତା ସାହୁ ଭାରତ ଫାଇନାନ୍ସରେ ଦୀର୍ଘ ଦିନ ଧରି କାମ କରୁଥିଲେ। ଦୁଇ ମାସ ତଳେ ତାଙ୍କର ବୁର୍ଲାରୁ ଦେବଗଡ଼କୁ ବଦଳି ହୋଇଥିଲା। ତା’ପରଠାରେ ସେ ଦେବଗଡରେ ଘର ଭଡ଼ା ନେଇ ରହୁଥିଲେ। ଅଭିଯୋଗରୁ ପ୍ରକାଶ, ରୀତା ସାହୁଙ୍କ ନାଁରେ କିଏ ଜଣେ ଏକ ଫେକ୍ ଫେସ୍ବୁକ୍ ଆକାଉଣ୍ଟ ଖୋଲିଥିଲେ। ଯେଉଁଥିରେ ରୀତା ଓ ତାଙ୍କ ପୂର୍ବତନ ପ୍ରେମିକଙ୍କ ଫଟୋ ଗୁଡ଼ିକ ଅପ୍ଲୋଡ୍ କରାଯାଇଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି, ଫେସ୍ବୁକ୍ରେ ଖୋଲା ଯାଇଥିବା ଫେକ୍ ଆକାଉଣ୍ଟଟି କାହାର? ରୀତା ଓ ତାଙ୍କ ପୂର୍ବତନ ପ୍ରେମିକଙ୍କ ଫଟୋ ଅପ୍ଲୋଡ୍ କରୁଥିବା ବ୍ୟକ୍ତି କିଏ? ଏଥିରେ ତାଙ୍କ ପର୍ବତନ ପ୍ରେମିକଙ୍କ କିଛି ହାତ ନାହିଁ ତ? ପ୍ରେମକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିନି ତ? ରୀତା ହତ୍ୟାକାଣ୍ଡ ପରେ ଏପରି ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସେପଟେ ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ ହତ୍ୟାକାଣ୍ଡର କାରଣ ଖୋଜୁଛି। ଦେବଗଡ଼ ଏସ୍ପି ପ୍ରମୋଦ ରଥ କହିଛନ୍ତି, ସବୁଦିଗରୁ ତଦନ୍ତ କରାଯାଉଛି। ତଦନ୍ତ ଠିକ୍ ଭାବେ ଚାଲିଛି। ବହୁ ଶୀଘ୍ର ଅଭିଯୁକ୍ତକୁ ଧରିନେବୁ ବୋଲି କହିଛନ୍ତି।
ରିପୋର୍ଟ-ଦେବଗଡ଼ରୁ ସିଦ୍ଧାର୍ଥ ଗୁରୁ
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/GWi3pyJ
No comments:
Post a Comment