ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳି ଦଳ ନେତା ପ୍ରକାଶ ସିଂ ବାଦଲଙ୍କ ପରଲୋକରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଆଜି ଓ ଆସନ୍ତାକାଲି ଏହି ଶୋକ ସମଗ୍ର ଦେଶରେ ପାଳନ କରାଯିବ । ଏହି ସମୟରେ ପ୍ରକାଶ ସିଂ ବାଦଲଙ୍କ ସମ୍ମାନର୍ଥେ ବିଭିନ୍ନ ପ୍ରତିଷ୍ଠାନରେ ଉଡ଼ୁଥିବା ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯିବ । ତଥା କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ନାହିଁ ।
ମୋହାଲିର ଏକ ଘରୋଇ ହସ୍ପିଟାଲରେ ଗତକାଲି ୯୫ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିଲା । ଛାତିରେ ଯନ୍ତ୍ରଣା ହେତୁ ସପ୍ତାହେ ତଳେ ସେ ମୋହାଲିର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ।
କଂଗ୍ରେସ ଦଳରୁ ରାଜନୀତି ଆରମ୍ଭ କରିଥିବା ପ୍ରକାଶ ସିଂ ବାଦଲ ପରବର୍ତ୍ତୀ ସମୟରେ ଶିରୋମଣି ଅକାଳୀ ଦଳର ପ୍ରମୁଖ ନେତା ହୋଇଥିଲେ। ଦୀର୍ଘ ୭ ଦଶନ୍ଧିର ଲମ୍ବା ରାଜ୍ୟନୈତିକ କ୍ୟାରିୟର ରଖିଥିବା ପ୍ରକାଶ ସିଂ ବାଦଲ ତାଙ୍କ ରାଜନୈତିକ ଯାତ୍ରା ପ଼ଞ୍ଚାୟତ ସରପଞ୍ଚରୁ ଆରମ୍ଭ କରିଥିଲେ।
୧୯୨୭ ମସିହା ଡିସେମ୍ବର ୮ରେ ପଞ୍ଜାବର ଅବୁଲ କୁରାନା ଗାଁରେ ପ୍ରକାଶ ସିଂହ ବାଦଲଙ୍କ ଜନ୍ମ ହୋଇଥିଲା। ସେ ୧୯୫୦ରେ ଅକାଳି ଦଳ ପାର୍ଟିର ସଦସ୍ୟ ଭାବେ ନିଜ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲା। ପଞ୍ଜାବ ବିଧାନସଭାକୁ ସେ ଅନେକ ଥର ନିର୍ବାଚିତ ହୋଇଛନ୍ତି। ୧୯୫୭ ମସିହାରେ ମାତ୍ର ୩୦ ବର୍ଷ ବୟସରେ ସେ ପ୍ରଥମ ଥର ଲାଗି କଂଗ୍ରେସ ଟିକଟରେ ପଞ୍ଜାବ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ମାତ୍ର ୪୩ ବର୍ଷ ବୟସରେ ୧୯୭୦ ମସିହାରେ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବା ସହ ରାଜ୍ୟର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ। ସେହିଭଳି ସେ ପଞ୍ଜାବର ସବୁଠୁ ବୟୋଜ୍ୟେଷ୍ଠ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଛନ୍ତି। ପ୍ରକାଶ ସିଂ ବାଦଲ ୫ ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ।
ଭାରତୀୟ ରାଜନୀତିରେ ଅନ୍ୟତମ ବରିଷ୍ଠ ତଥା ଦୀର୍ଘ ଦିନ ଧରି ସକ୍ରିୟ ରାଜନେତା ଥିଲେ ପ୍ରକାଶ ସିଂ ବାଦଲ। ପଞ୍ଜାବର ବିକାଶ ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ।
ଆଜି ଅପରାହ୍ନ ୧ଟାରେ ପଞ୍ଜାବର ଭଟିଣ୍ଡା ସହରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ପ୍ରକାଶ ସିଂ ବାଦଲଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ର୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଗୃହ ମନ୍ତ୍ରୀ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Lw3lOX5
No comments:
Post a Comment