ଏକ ମିଳିତ ଅପରେଶନରେ ଉତ୍ତର ପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଓ ପ୍ରୟାଗରାଜ ପୁଲିସ୍ ଅତିକ ଅହମଦଙ୍କ ଶାଳକ ଅଖଲାକ ଅହମଦଙ୍କୁ ଗିରଫ କରିଛନ୍ତି। ଉମେଶ ପାଲ ହତ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଛି। ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଉମେଶ ପାଲଙ୍କୁ ଗୁଳି କରିଥିବା ଲୋକଙ୍କୁ ପଇସା ଦେବାରେ ଅଖଲାକ ଅହମଦ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।
ଉମେଶ ପାଲ ହତ୍ୟା ଘଟଣାରେ ପୁଲିସ୍ ପୂର୍ବରୁ ଅତିକ ଅହମଦଙ୍କ ଶାଳକ ଅଖଲାକ ଅହମଦଙ୍କୁ ତାଙ୍କ ମୀରଟ ସ୍ଥିତ ଘରେ ଏକାଧିକ ଥର ପଚରାଉଚରା କରିଥିଲା। ତେବେ ଏବେ ତାଙ୍କୁ ଗିରଫ କରାଯାଇଛି।
୨୦୦୫ରେ ବିଏସ୍ପିର ତତ୍କାଳୀନ ବିଧାୟକ ରାଜୁ ପାଲଙ୍କ ହତ୍ୟା ଘଟଣାରେ ସାକ୍ଷୀ ଥିଲେ ଉମେଶ ପାଲ। ଗତ ଫେବ୍ରୁଆରୀ ୨୪ ତାରିଖରେ ପ୍ରୟାଗରାଜରେ ଉମେଶ ପାଲଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ରାଜୁ ପାଲ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦ। ଉମେଶ ପାଲଙ୍କ ହତ୍ୟା ପଛରେ ମଧ୍ୟ ଅତିକ ଅହମଦଙ୍କ ହାତ ଥିବା ଅଭିଯୋଗ ହୋଇଛି।
ଅନ୍ୟପକ୍ଷରେ ୨୦୦୬ ଉମେଶ ପାଲ ଅପହରଣ ମାମଲାରେ ଅତିକ ଅହମଦ ଓ ଅନ୍ୟ ଦୁଇ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ତେବେ ଏହି ମାମଲାରେ ଅତିକ ଅହମଦଙ୍କ ଭାଇ ଖାଲିଦ ଅଜିମ ଓରଫ ଅଶ୍ରଫ ଓ ଅନ୍ୟ ୬ ଜଣଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ଅତିକ ଅହମଦ ନାଁରେ ୧୦୦ରୁ ଅଧିକ ଅପରାଧିକ ମାମଲା ରହିଥିବା ବେଳେ ଏହା ହେଉଛି ପ୍ରଥମ ମାମଲା ଯେଉଁଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅତିକ ଅହମଦଙ୍କୁ ଏବେ ଗୁଜରାଟର ଅହମଦାବାଦ ସ୍ଥିତ ସାବରମତୀ ଜେଲରେ ରଖାଯାଇଛି।
୨୦୦୫ ଜାନୁଆରୀ ୨୫ ତାରିଖରେ ତତ୍କାଳୀନ ବିଏସ୍ପି ବିଧାୟକ ରାଜୁ ପାଲଙ୍କୁ ହତ୍ୟା କରାଯିବା ପରେ ଉମେଶ ପାଲ ପୁଲିସ୍ ପାଖରେ କହିଥିଲେ ଯେ ସେ ହେଉଛନ୍ତି ଏହି ମାମଲାର ଜଣେ ସାକ୍ଷୀ। ସେତେବେଳେ ଉମେଶ ପାଲ ଜିଲ୍ଲା ପରିଷଦ ସଭ୍ୟ ଥିଲେ। ରାଜୁ ପାଲ ହତ୍ୟା ମାମଲାରେ ସାକ୍ଷୀ ନହେବାକୁ ଉମେଶଙ୍କ ଉପରେ ପ୍ରବଳ ଚାପ ପକାଇଥିଲେ ଅତିକ ଅହମଦ। ତେବେ ଉମେଶ ଡରି ଯାଇନଥିଲେ। ତେଣୁ ୨୦୦୬ ଫେବ୍ରୁଆରୀ ୨୮ରେ ତାଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଥିଲା। ଏହି ମାମଲାରେ ପୁଲିସ୍ ୧୧ ଜଣଙ୍କ ନାଁରେ ଚାର୍ଜଶିଟ୍ ଦାଖଲ କରିଥିଲା। ତେବେ ପରବର୍ତ୍ତୀ ସମୟରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିଲା। ବାକି ୧୦ ଜଣରୁ ଅତିକଙ୍କୁ ମିଶାଇ ୩ ଜଣ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ପାଇଛନ୍ତି।
ସୂଚନାଯୋଗ୍ୟ, ଅତିକ ଅହମଦ ଉତ୍ତର ପ୍ରଦେଶର ଆହ୍ଲାବାଦ ୱେଷ୍ଟ ଆସନରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତିନିଥର ସ୍ୱାଧୀନ ଭାବେ ଏବଂ ଥରେ ଲେଖାଏଁ ସମାଜବାଦୀ ପାର୍ଟି ଓ ଅପନା ଦଳ ଟିକେଟରେ ଜିତିଥିଲେ। ସେହିପରି ୨୦୦୪ରେ ସେ ସମାଜବାଦୀ ପାର୍ଟି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Ucq8VkL
No comments:
Post a Comment