ପଳାତକ ଘୋଷିତ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ଆଜି ସକାଳେ ଆତ୍ମସମର୍ପଣ କଲା ପରେ ତାକୁ ଗିରଫ କରାଯାଇଥିବା କୁହାଯାଉଥିବା ବେଳେ ଏହାକୁ ଖଣ୍ଡନ କରିଛି ପଞ୍ଜାବ ପୁଲିସ୍। ଏକ ସ୍ୱତନ୍ତ୍ର ଅପରେସନ୍ ପରେ ତାକୁ ଗିରଫ କରାଯାଇଥିବା ପଞ୍ଜାବ ପୁଲିସ ପକ୍ଷରୁ କୁହାଯାଇଛି।
ପଞ୍ଜାବ ପୁଲିସ୍ ମୁଖ୍ୟାଳୟର ଆଇଜିପି ସୁଖଚୈନ ସିଂହ ଗିଲ କହିଛନ୍ତି, ଅମ୍ରିତପାଲ ସିଂହ ବିଷୟରେ କିଏ କ’ଣ କହିଲେ ମୁଁ ଜାଣିନି। ତେବେ ଏକ ଯୋଜନାବଦ୍ଧ ଅପରେସନ ପରେ ତାକୁ ପଞ୍ଜାବ ପୁଲିସ ଗିରଫ କରିଛି। ଆମ ପାଖରେ ଅମ୍ରିତପାଲ ସିଂହ ବିଷୟରେ ଠୋସ୍ ସୂଚନା ଥିଲା। ସେ ରୋଡେ ଗାଁରେ ଗୁରୁଦ୍ୱାରାରେ ଥିବା ନେଇ ଆମେ ଖବର ପାଇଥିଲୁ। ଏହା ପରେ ଆଜି ସକାଳେ ରୋଡେ ଗାଁକୁ ଚାରିପଟୁ ପୁଲିସ୍ ଘେରି ଯାଇଥିଲା। ଏ ଖବର ଅମ୍ରିତପାଲ ପାଖରେ ପହଞ୍ଚିଥିଲା। ଖସି ଯିବା ପାଇଁ ତା’ପାଖରେ ଆଉ କୌଣସି ବାଟ ନଥିଲା। ତା’ପରେ ତାକୁ ଗିରଫ କରାଯାଇଥିଲା।
ଆଇଜିପି କହିଛନ୍ତି, ଅମ୍ରିତପାଲ ସିଂହ ଗୁରୁଦ୍ୱାରା ଭିତରେ ଥିଲା। ଗୁରୁଦ୍ୱାରା ଏକ ପବିତ୍ରସ୍ଥଳ। ଗୁରୁଦ୍ୱାରାର ମର୍ଯ୍ୟାଦା ରକ୍ଷା କରିବାକୁ ତା’ଭିତରକୁ ପୁଲିସ୍ ପୋଷାକରେ ଆମେ ପ୍ରବେଶ କରିବାକୁ ଉଚିତ୍ ମଣି ନଥିଲୁ। ପରେ ଅମ୍ରିତସର ଗ୍ରାମାଞ୍ଚଳ ପୁଲିସ୍ ଓ ଇଣ୍ଟେଲିଜେନ୍ସର ଏକ ଟିମ୍ ଗୁରୁଦ୍ୱାରାକୁ ଯାଇଥିଲେ ଏବଂ ସକାଳ ୬ଟା ୪୫ ମିନିଟରେ ତାକୁ ଗିରଫ କରାଯାଇଥିଲା। ଜାତୀୟ ସୁରକ୍ଷା ଆଇନ (ଏନ୍ଏସଏ) ୱାରେଣ୍ଟରେ ତାକୁ ଗିରଫ କରାଯାଇଛି। ତାକୁ ଗିରଫ କରିବା ପରେ ଆସାମର ଦିବ୍ରୁଗଡ଼ ଜେଲ୍କୁ ପଠାଇ ଦିଆଯାଇଛି।
ସେ ଆହୁରି କହିଛନ୍ତି, ଲଗାତାର ୩୫ ଦିନ ହେଲାଣି ଅମ୍ରିତପାଲ ସିଂହ ଉପରେ ପୁଲିସର ଚାପ ପକାଇ ଆସୁଥିଲା। ପଞ୍ଜାବ ପୁଲିସ୍ର ଗୁଇନ୍ଦା ବିଭାଗ ସମେତ ଅନ୍ୟ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି ଅମ୍ରିତପାଲ ସିଂହକୁ ଧରିବାକୁ ଅପରେସନ ଜାରି ରଖିଥିଲେ। ଏହି ସମୟରେ ପଞ୍ଜାବବାସୀ ମଧ୍ୟ ସଂଯମତା ରକ୍ଷା କରି ଶାନ୍ତି ବଜାୟର ରଖିଥିଲେ। ତେଣୁ ପଞ୍ଜାବବାସୀଙ୍କୁ ଆମ ତରଫରୁ ଓ ସରକାରଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ।
ଆଜି ସକାଳେ ଅମ୍ରିତପାଲ ଧରାପଡ଼ିବା ପରେ ସୂଚନା ଆସିଥିଲା ଯେ ସେ ଗତକାଲି ସନ୍ଧ୍ୟାରୁ ରୋଡେ ସ୍ଥିତ ଗୁରୁଦ୍ୱାରାକୁ ଆସିଥିଲା। ସେ ଆତ୍ମସମର୍ପଣ କରିବାକୁ ଚାହୁଁଥିଲା। ତେଣୁ ଗୁରୁଦ୍ୱାରାରେ ତା’ର ଉପସ୍ଥିତି ନେଇ ସେ ନିଜେ ପୁଲିସକୁ ସୂଚନା ଦେଇଥିଲା। ଆଉ ଆଜି ସକାଳେ ପୁଲିସ୍ ଅଧିକାରୀମାନେ ଗୁରୁଦ୍ୱାରାରେ ପହଞ୍ଚିବା ପରେ ଅମ୍ରିତପାଲ ଆତ୍ମସମର୍ପଣ କରିଥିଲା। ଏହା ପରେ ତାକୁ ପୁଲିସ ଗିରଫ କରିଥିଲା। ଉକ୍ତ ଗୁରୁଦ୍ୱାରର ମୁଖ୍ୟଙ୍କ ସମେତ ଅମ୍ରିତପାଲଙ୍କ କିଛି ସମର୍ଥକ ଏଭଳି ଦାବି କରୁଛନ୍ତି।
ମାସେରୁ ଅଧିକ ଦିନ ହେଲାଣି ଅମ୍ରିତପାଲ ପୁଲିସ୍ ଆଖିରେ ଧୂଳି ଦେଇ ବିଭିନ୍ନ ସ୍ଥାନରେ ଲୁଚି ରହିଥିଲା। ପଞ୍ଜାବ ସମେତ ହରିଆଣା ଓ ଉତ୍ତର ପ୍ରଦେଶ ପୁଲିସ ତାକୁ ଖୋଜୁଥିଲେ ହେଁ ତାକୁ ଗତକାଲି ପର୍ଯ୍ୟନ୍ତ କେହି ଧରିପାରି ନଥିଲେ।
ଖଲିସ୍ତାନ ସପକ୍ଷରେ ଯୁକ୍ତି ବାଢ଼ି ବେଶ୍ କିଛି ସମୟ ଧରି ଦେଶରେ ଘୃଣାର ମଞ୍ଜି ପୋତି ଚାଲିଥିବା ଅମ୍ରିତପାଲ ସିଂହ ଗତ ଫେବ୍ରୁଆରୀ ମାସରେ ଚର୍ଚ୍ଚାର ପରିସରକୁ ଆସିଥିଲା। ଫେବ୍ରୁଆରୀ ୨୩ ତାରିଖରେ ସେ ଓ ତା’ର ଶତାଧିକ ସହଯୋଗୀ ଖଣ୍ଡା, ଠେଙ୍ଗା ଓ ବନ୍ଧୁକ ଧରି ପଞ୍ଜାବର ଅଜନାଲା ଥାନାକୁ ଜବରଦସ୍ତି ପଶିଥିଲେ। ସେମାନେ ପୁଲିସ ବ୍ୟାରିକେଡ ଭାଙ୍ଗି ଥାନା ଭିତରେ ପଶିଥିଲେ ଓ ଗିରଫ ହୋଇ ସେଠାରେ ଥିବା ସେମାନଙ୍କର ଜଣେ ସାଥୀ ଲବପ୍ରୀତ ସିଂହ ଓରଫ ତୋଫାନକୁ ଛାଡ଼ି ଦେବାକୁ ଦାବି କରିଥିଲେ। ଥାନାକୁ ଜବରଦସ୍ତି ପଶିବା ବେଳେ ସେମାନଙ୍କ ସହିତ ହୋଇଥିବା ସଂଘର୍ଷରେ ୬ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣା ସାରା ଦେଶରେ ଚହଳ ପକାଇ ଦେଇଥିଲା।
ଏହା ପରେ ମାର୍ଚ୍ଚ ୧୮ ତାରିଖରେ ପଞ୍ଜାବ ପୁଲିସ ଅମ୍ରିତପାଲକୁ ଧରିବା ପାଇଁ ଜଳନ୍ଧରର ନଙ୍ଗାଲ ଅମ୍ବିଆନ ଗାଁ ପାଖରେ ନାକାବନ୍ଦୀ କରିଥିଲା। ତେବେ ଅମ୍ରିତପାଲ ସିଂହ ଖସି ପଳାଇବାରେ ସକ୍ଷମ ହୋଇଥିଲା। ଆଉ ଶେଷରେ ମାସେ ପରେ ତାକୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି।
ଅମ୍ରିତପାଲ ଗିରଫ ହେବା ପରେ ପଞ୍ଜାବର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ସ୍ୱର୍ଣ୍ଣ ମନ୍ଦିର ସହିତ ଅମ୍ରିତପାଲର ଗାଁ ଜାଲ୍ଲୁପୁର ଖେଡ଼ାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅମ୍ରିତପାଲର ସମର୍ଥକମାନେ ଯେପରି କୌଣସି ସ୍ଥାନରେ ଧାରଣା ନ ଦିଅନ୍ତି ସେଥିପ୍ରତି ବିଶେଷ ଦୃଷ୍ଟି ରଖିଛି ପଞ୍ଜାବ ପୁଲିସ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/DtGIseH
No comments:
Post a Comment