ସିବିଏସ୍ଇ ପିଲାମାନେ ପଢ଼ୁଥିବା ଇତିହାସ ବହିରୁ କିଛି ନିର୍ଦ୍ଦିଷ୍ଟ ବିଷୟବସ୍ତୁ ହଟାଇବା ପାଇଁ NCERT ଆରମ୍ଭ କରିଥିବା ଯୋଜନାକୁ ନେଇ ଅନେକ ବରିଷ୍ଠ ଐତିହାସିକ ଚିନ୍ତା ଓ ଉଦବେଗ ପ୍ରକାଶ କରିଛନ୍ତି। ସେମାନେ ଜାରି କରିଥିବା ଗୋଟିଏ ବିବୃତିରେ କହିଛନ୍ତି ଯେ NCERT ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଠ୍ୟପୁସ୍ତକରୁ ବିଭିନ୍ନ ବିଷୟ ହଟାଇବାକୁ ନିଷ୍ପତ୍ତି ଆଶ୍ଚର୍ଯ୍ୟ ଲାଗୁଛି। NCERT ଏପରି ପଦକ୍ଷେପ ଅତ୍ୟନ୍ତ ଚିନ୍ତାର ବିଷୟ। ଏଥିସହ ଆଜିକାଲି ଛଦ୍ମ ଇତିହାସ ହ୍ୱାଟସଆପ୍ରେ ବୁଲୁଛି ବୋଲି ସେମାନେ କହିଛନ୍ତି।
ବିବୃତିରେ ରୋମିଲା ଥାପର, ଜୟନ୍ତୀ ଘୋଷ, ମ୍ରିଦୁଲା ମୁଖାର୍ଜୀ, ଅପୂର୍ବାନନ୍ଦା, ଇରଫାନ ହବିବ ଓ ଉମେନ୍ଦ୍ର ସିଂହଙ୍କ ସମେତ ଆହୁରି ଅନେକ ଐତିହାସିକଙ୍କ ଦସ୍ତଖତ ରହିଛି। ସମସ୍ତେ ମିଳିତ ବିବୃତିରେ କହିଛନ୍ତି ଯେ କରୋନା ମହାମାରୀର ଆଳରେ ସିଲାବସ୍ କମ କରିବା ବାହାନାରେ NCERT ଇତିହାସର କିଛି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟକୁ ହଟାଇ ଦେବାକୁ ନିଷ୍ପତ୍ତି ନେଇଛି।
ମୋଗଲମାନେ ବହୁ ଶତାବ୍ଦୀ ଧରି ଭାରତରେ ଶାସନ କରିଥିଲେ। ତେଣୁ ସେଗୁଡ଼ିକ ଅଧ୍ୟୟନ ନକରି ଇତିହାସକୁ କେବେ ହେଲେ ବୁଝି ହେବନି। ମହାମାରୀ ସମୟରେ ପ୍ରତ୍ୟାହାର କରାଯାଇଥିବା ଅଧ୍ୟାୟଗୁଡ଼ିକ ମଧ୍ୟ NCERT ବହିର ନୂତନ ସଂସ୍କରଣରେ ନାହିଁ। ଏବେ ସ୍କୁଲ ଶିକ୍ଷା ସ୍ୱଭାବିକ ହୋଇଥିବା ବେଳେ ଅନଲାଇନରେ ମଧ୍ୟ ପାଠପଢ଼ା ହେଉନି। ତଥାପି ପାଠ୍ୟ ପୁସ୍ତକରୁ ହଟାଇ ଦିଆଯାଇଥିବା ବିଷୟକୁ କାହିଁକି ପୁଣି ଲାଗୁ କରାଯାଉନି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
ଶିକ୍ଷା କ୍ଷେତ୍ରରେ ରାଜନୀତିକୁ ସାମିଲ କରିବା ପାଇଁ ହେଉଥିବା ପ୍ରୟାସର ସଙ୍କେତ ଦେଇ ଐତିହାସିକମାନେ କହିଛନ୍ତି, “ସାମ୍ପ୍ରଦାୟିକ ଓ ଜାତିବାଦୀ ବିବିଧତା ସୃଷ୍ଟି ପାଇଁ ଇତିହାସର ବିଷୟବସ୍ତକୁ ହ୍ରାସ କରି ଛଦ୍ମ ଇତିହାସ ପାଇଁ ମୂଳଦୂଆ ପଡ଼ୁଛି। ସେ ଯାହା ବି ହେଉ ଏହି ପ୍ରକାରର ଇତିହାସ ଆଜିକାଲି ହ୍ୱାଟସ୍ ଆପ୍ ଓ ଅନ୍ୟାନ୍ୟ ସୋଶାଲ ମିଡିଆ ମାଧ୍ୟମରେ ବ୍ୟାପକ ଭାବେ ପ୍ରସାରିତ ହେଉଛି।
ଗୁଜରାଟ ଦଙ୍ଗା, ମୋଗଲଙ୍କ ଇତିହାସ, ମହାତ୍ମା ଗାନ୍ଧିଙ୍କ ହତ୍ୟା, ଏମର୍ଜେନ୍ସି ସହ ଜଡ଼ିତ ଅଧ୍ୟାୟକୁ ପାଠ୍ୟପୁସ୍ତକ ହଟାଇ ଦିଆଯାଇଛି। ୬ଷ୍ଠରୁ ଦ୍ୱାଦଶ ଶ୍ରେଣୀର ସାମାଜିକ ବିଜ୍ଞାନ,ଇତିହାସ ଓ ରାଜନୀତିକ ବିଜ୍ଞାନ ପୁସ୍ତକରୁ ଅଧ୍ୟାୟଗୁଡ଼ିକୁ ଅପସାରିତ କାହିଁକି କରାଯାଉଛି?”
ଐତିହାସିକ ଇରଫାନ୍ ହବିବ କହିଛନ୍ତି ଯେ “ଆମେ ଭଲ ଭାବେ ଜାଣିଛୁ ଯେ ଚିଠି ଦ୍ୱାରା କିଛି ବି ହୁଏ ନାହିଁ। କିନ୍ତୁ ଆମକୁ କହିବାକୁ ପଡ଼ିବ। କାରଣ ଏହା ଆମର ଭବିଷ୍ୟତ ସହ ଜଡ଼ିତ। ପ୍ରଭାବ ପଡ଼ୁ କି ନପଡ଼ୁ, ଐତିହାସିକ ହୁଅନ୍ତୁ କିମ୍ବା ବୌଦ୍ଧିକ ବର୍ଗ ସମସ୍ତଙ୍କୁ କହିବାକୁ ହେବ।”
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/mGVqt1Z
No comments:
Post a Comment