ଆମେରିକାର ଟେକ୍ସାସରେ ଏକ ମଲ୍ରେ ଜଣେ ବ୍ୟକ୍ତି ଆଖିବୁଜା ଗୁଳି ଚଳାଇବାରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁଳି କରିଥିବା ବ୍ୟକ୍ତି ମଧ୍ୟ ପୁଲିସ ଗୁଳିରେ ପ୍ରାଣ ହରାଇଛନ୍ତି। ତାଙ୍କ ପରିଚୟକୁ ସାର୍ବଜନୀନ କରାଯାଇନାହିଁ।
ଶନିବାର ଅପରାହ୍ଣରେ ଏହି ଘଟଣା ଘଟିଛି। ସେତେବେଳେ ମଲ୍ରେ ଶତାଧିକ ଲୋକ ଉପସ୍ଥିତ ଥିଲେ। ମଲ୍ ବାହାରେ ଥାଇ ଉକ୍ତ ବ୍ୟକ୍ତି ଜଣଙ୍କ ଗୁଳି ଚଳାଇଥିଲେ। ଗୁଳି ହେଉଥିବା ଦେଖି ଲୋକେ ଏଣେତେଣେ ଧାଇଁଥିଲେ। ସେତେବେଳେ ମଲ୍ରେ ଜଣେ ପୁଲିସ୍ ଅଫିସର ଥିଲେ। ସେ କୌଣସି ଏକ କାମରେ ସେଠାରେ ଉପସ୍ଥିତ ଥିଲେ। ଗୁଳିମାଡ଼ ହେଉଥିବା ଦେଖି ସେ ସତର୍କ ହୋଇଯାଇଥିଲେ ଓ ଯେଉଁ ସ୍ଥାନରେ ଛିଡ଼ା ହୋଇ ଉକ୍ତ ବ୍ୟକ୍ତି ଜଣଙ୍କ ଗୁଳିମାଡ଼ କରୁଥିଲେ ସେହି ଦିଗକୁ ଯାଇଥିଲେ। ସେ ତାଙ୍କ ବନ୍ଧୁକରୁ ଗୁଳି କରି ଉକ୍ତ ବ୍ୟକ୍ତିଙ୍କୁ ମାରି ଦେଇଥିଲେ। ତା’ପରେ ସେ ଜରୁରୀକାଳୀନ ସ୍ଥିତି ପାଇଁ ନିଯୁକ୍ତ ପୁଲିସ୍ କର୍ମଚାରୀମାନଙ୍କୁ ଖବର ଦେଇଥିଲେ।
ପୁଲିସ ଓ ଅଗ୍ନିଶମ ବାହିନୀ ଟିମ୍ ଆସିବା ପରେ ଆହତମାନଙ୍କୁ ହସ୍ପିଟାଲ ନିଆଯାଇଥିଲା ଏବଂ ମୃତଦେହଗୁଡ଼ିକୁ ଜବତ କରାଯାଇଥିଲା। ଟେକ୍ସାସ ଗଭର୍ଣ୍ଣର ଗ୍ରେଗ ଆବୋଟ କହିଛନ୍ତି ଏହା ଏକ ଦୁଃଖଦ ଘଟଣା, ଯାହାକୁ ବର୍ଣ୍ଣନା କରି ହେବ ନାହିଁ।
ଆମେରିକାରେ ସର୍ବସାଧାରଣରେ ତଥା ଶିକ୍ଷାନୁଷ୍ଠାନରେ ଏମିତି ଗୁଳିମାଡ଼ ଘଟଣା ବାରମ୍ବାର ଘଟୁଛି। କେବଳ ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାରେ ଏହିଭଳି ୧୯୮ଟି ଘଟଣା ଘଟିସାରିଛି। ଏଥିରୁ ୩ଟି ଘଟଣା ଶିକ୍ଷାନୁଷ୍ଠାନରେ ଘଟିଛି। ଏହି ୧୯୮ଟି ଗୁଳିମାଡ଼ ଘଟଣାରେ ୨୯୦ ଜଣଙ୍କ (ଗୁଳି କରିଥିବା ଲୋକଙ୍କୁ ମିଶାଇ) ମୃତ୍ୟୁ ଘଟିଥିବା ବେଳେ ୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/F2nOCxG
No comments:
Post a Comment