ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ବାରିପଦା ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଅଭିଭାଷଣ ଦେଉଥିବା ବେଳେ ଲାଇଟ୍ କଟିଯିବାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏବେ ଆଉ ଏକ ଚିନ୍ତାଜନକ କଥା ସାମ୍ନାକୁ ଆସିଛି। ରାଷ୍ଟ୍ରପତି ଙ୍କ ଏହି ତିନି ଦିନିଆ ମୟୂରଭଞ୍ଜ ଗସ୍ତ ବେଳେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ହୋଇଥିବା ଜଣାପଡ଼ିଛି। ଜଣେ ଫାର୍ମାସିଷ୍ଟ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ ନିୟୋଜିତ ଏକ ହେଲିକପ୍ଟର ପାଖକୁ ଯାଇ ସେଲ୍ଫି ନେବା ସହିତ ସେଥିରେ ବସି ଫଟୋ ଉଠାଇଥିବା ଦେଖିବାକୁ ମିଳିଛି। ସେ ଏହି ଫଟୋଗୁଡ଼ିକୁ ତାଙ୍କ ଫେସ୍ବୁକ୍ ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରିଥିଲେ। ତେବେ ବିବାଦୀୟ ସ୍ଥିତି ଉପୁଜିବା ଦେଖି ସେ ଫେସବୁକରୁ ଫଟୋଗୁଡ଼ିକୁ ଡିଲିଟ୍ କରି ଦେଇଛନ୍ତି। ଏହି ଫାର୍ମାସିଷ୍ଟଙ୍କ ନାଁ ଯଶବନ୍ତ ବେହେରା।
ରାଷ୍ଟ୍ରପତିଙ୍କ ଗସ୍ତର ଦ୍ୱିତୀୟ ଦିନରେ ଅର୍ଥାତ୍ ୫ ତାରିଖ ଦିନ ସେ ଏହି ସେଲ୍ଫି ଓ ଫଟୋଗୁଡ଼ିକ ଉଠାଇଥିଲେ। ସେହିଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଲିକପ୍ଟର ଯୋଗେ ଦିନ ୧୦ଟା ୫୦ରେ ଶିମିଳିପାଳ ପାଦ ଦେଶରେ ଥିବା ଛେଳିଗୁଦୁଲିରେ ପହଞ୍ଚିଥିଲେ। ସେଠାରୁ ସେ ସଡ଼କପଥରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରିଥିଲେ। ଛେଳିଗୁଦୁଲି ହେଲିପ୍ୟାଡରେ ଡ୍ୟୁଟିରେ ଥିଲେ ଫାର୍ମାସିଷ୍ଟ ଯଶବନ୍ତ ବେହେରା। ତେବେ ସେ ସୁରକ୍ଷାବଳୟ ଭାଙ୍ଗି ରାଷ୍ଟ୍ରପତିଙ୍କୁ ନେଇ ଆସିଥିବା ୩ଟି ହେଲିକପଟର ମଧ୍ୟରୁ ଗୋଟିକରେ ସେଲ୍ଫି ନେବା ସହିତ ଫଟୋ ମଧ୍ୟ ଉଠାଇଥିଲେ। ସେ ହେଲିକପ୍ଟର ସହିତ ଗୋଟିଏ ସେଲ୍ଫି ନେଇଥିବା ଚିତ୍ର ସାମ୍ନାକୁ ଆସିଥିବା ବେଳେ ଆଉ ଦୁଇଟି ଫଟୋ ଉଠାଛନ୍ତି। ଦୁଇଟି ଫଟୋ ମଧ୍ୟରୁ ଗୋଟିକରେ ସେ ହେଲିକପ୍ଟର ଏକ ଅଂଶରେ ବସିଛନ୍ତି ଓ ଅନ୍ୟଟିରେ ହେଲିକପ୍ଟରର ସମ୍ମୁଖ ଭାଗରେ ହାତରେ ଭରା ଦେଇ ଛିଡ଼ା ହୋଇଛନ୍ତି। ତାଙ୍କର ଏହି ଦୁଇଟି ଫଟୋ କିଏ ଉଠାଇଲେ, ତାହା ଜଣାପଡ଼ିନାହିଁ।
ଫାର୍ମାସିଷ୍ଟ ଯଶବନ୍ତ ବେହେରା କହିଛନ୍ତି ଯେ, ରାଷ୍ଟ୍ରପତି ଆସିଥିବାରୁ ସ୍ମୃତି ସାଇତି ରଖିବା ପାଇଁ ସେ ଏହି ସେଲଫି ନେଇଥିଲେ। ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା। ସେ ହେଲିକପ୍ଟର ନିକଟକୁ ଯିବା ବେଳେ ସେଠାରେ ସୁରକ୍ଷାକର୍ମଚାରୀମାନେ ଥିଲେ ଓ ସେମାନେ କିଛି କହି ନଥିଲେ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ସ୍ଥାନୀୟ ତହସିଲଦାର କହିଛନ୍ତି ଯେ ସେମାନେ ସମସ୍ତେ ଖାଇବାକୁ ଯାଇଥିବା ବେଳେ ଫାର୍ମାସିଷ୍ଟ ଯଶବନ୍ତ ବେହେରା ହେଲିକପ୍ଟର ସହିତ ସେଲ୍ଫି ନେଇଛନ୍ତି।
ଘଟଣାଟି ସାମ୍ନାକୁ ଆସିବା ପରେ ମୟୂରଭଞ୍ଜ ଏସ୍ପି କହିଛନ୍ତି ଯେ ଏହାର ତଦନ୍ତ କରାଯିବ।
ବାରିପଦାରୁ ମାଣିକଲାଲ ପାଣିଙ୍କ ରିପୋର୍ଟ
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Pk3gY4h
No comments:
Post a Comment