ଦୁର୍ନୀତି ତଥା ଲାଞ୍ଚ ନେବା ମାମଲାରେ ବନ୍ଧା ହେଲେ ଜଣେ ଆଇଏଏସ୍ ଅଫିସର। ଏହି ଅଧିକାରୀଜଣକ ହେଉଛନ୍ତି ଧର୍ମେନ୍ଦ୍ର ସିଂ । ସେ ଏବେ ଦିଲ୍ଲୀର ହରିୟାଣା ଭବନରେ ରେସିଡେଣ୍ଟ କମିଶନର ଭାବେ କାର୍ଯ୍ୟରତ ଅଛନ୍ତି। ଏକ କୋଟି ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ତାଙ୍କୁ ଫରିଦାବାଦ ପୁଲିସ୍ ଗତକାଲି ଗିରଫ କରିଥିବା ବେଳେ ଆଜି କୋର୍ଟରେ ହାଜର କରାଯିବ। ଏସଆଇଟି ଓ ଫରିଦାବାଦ ପୁଲିସ୍ ତାଙ୍କୁ ମିଳିତ ଭାବେ ଗିରଫ କରିଛି।
ପୁଲିସ୍ ସୂଚନା ଅନୁଯାୟୀ, ଅଭିଯୁକ୍ତ ଆଇଏଏସ୍ ଅଫିସର ଧର୍ମେନ୍ଦ୍ର ସିଂ ସୋନିପଥ ମ୍ୟୁନିସିପାଲ କମିଶନର ଥିବା ବେଳେ ଏହି ଲାଞ୍ଚ କାରବାର ହୋଇଥିଲା। ଏପରିକି ଏକ ବିଲ୍ ପାସ୍ କରିଦେବା ନିମନ୍ତେ ଜଣେ କଣ୍ଟ୍ରାକ୍ଟରଙ୍କଠାରୁ ସେ ଏକ କୋଟି ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା।
ଗତବର୍ଷ ଲଳିତ ମିତ୍ତଲ ନାମକ ବ୍ୟକ୍ତି ଏନେଇ କୋଟୱାଲି ପୁଲିସ୍ ଷ୍ଟେଶନରେ ମାମଲା ରୁଜୁ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ପଙ୍କଜ ଗର୍ଗ, ଆରବି ଶର୍ମା ଓ ଜେକେ ଭାଟ୍ଟିଆ ନାମକ ୩ ବ୍ୟକ୍ତି ସୋନିପଥ ମ୍ୟୁନିସିପାଲିଟିରେ ଏକ ଟେଣ୍ଡର ଦେବା ପାଇଁ ତାଙ୍କଠାରୁ କୋଟିଏ ୧୦ ଲକ୍ଷ ଟଙ୍କା ନେଇଥିଲେ । ଉକ୍ତ ଟଙ୍କାକୁ ବରିଷ୍ଠ ଅଧିକାରୀଙ୍କୁ ଦିଆଗଲେ ତାଙ୍କୁ ଟେଣ୍ଡର ମିଳିବ ବୋଲି ସେମାନେ କହିଥିଲେ। ମାତ୍ର ଟଙ୍କା ଦେବା ସତ୍ତ୍ୱେ ଟେଣ୍ଡର ନ ମିଳିବାରୁ ଲଳିତ ମିତ୍ତଲ ଏନେଇ ଥାନା ଦ୍ୱାରସ୍ଥ ହୋଇଥିଲେ।
ଅନ୍ୟ ଏକ ଘଟଣାକ୍ରମରେ ଧର୍ମେନ୍ଦ୍ର ସିଂ ଏକ ଟେଣ୍ଡରର ନିର୍ଦ୍ଧାରିତ ମୂଲ୍ୟ ୫୫ କୋଟିରୁ ୮୭ କୋଟିକୁ ବୃଦ୍ଧି କରି ସେ ତାହାକୁ ପାସ୍ କରିଥିଲେ। ସୋନିପଥ ମ୍ୟୁନିସିପାଲିଟି କମିଶନର ଥିବା ବେଳେ ଧର୍ମେନ୍ଦ୍ର ସିଂ ବହୁ ନିର୍ମାଣ କାର୍ଯ୍ୟରେ ଅନିୟମିତତା କରି ବେଆଇନ ଭାବେ ଅର୍ଥ ଉପାର୍ଜନ କରିଥିବା ଅଭିଯୋଗ ହୋଇଥିଲା। ପୁଲିସ୍ ଏହି ଅଭିଯୋଗର ତଦନ୍ତ ଆରମ୍ଭ କରିଥିବା ବେଳେ ଗତକାଲି ତାଙ୍କୁ ବାନ୍ଧିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/7BxFJfV
No comments:
Post a Comment