ବିଶ୍ୱର ପ୍ରମୁଖ କମ୍ପାନି ମେଟା ୧୦ ହଜାର କର୍ମଚାରୀଙ୍କୁ ବାହାରର ବାଟ ଦେଖାଇଛି। ଏ ସମ୍ପର୍କରେ କମ୍ପାନୀ ତରଫରୁ ମାର୍ଚ୍ଚରେ ଘୋଷଣା କରାଯାଇଥିବା ବେଳେ ଏବେ ନିଆଯାଉଛି ଆକ୍ସନ । କମ୍ପାନୀ ପକ୍ଷରୁ ତୃତୀୟ ଥର ପାଇଁ ଗତ ବୁଧବାର ଏପରି ବଡ଼ ଧରଣର ଛଟେଇ କରାଯାଇଛି । ଫଳରେ ବହୁ କର୍ମଚାରୀଙ୍କୁ ଚାକିରି ହରାଇବାକୁ ପଡ଼ିଛି।
ଫେସ୍ବୁକ୍, ହ୍ୱାଟସ୍ ଆପ୍ ଓ ଇନଷ୍ଟାଗ୍ରାମ୍ ପରି ସୋଶାଲ ମିଡିଆ ପ୍ଲାଟଫର୍ମର ପ୍ୟାରେଣ୍ଟ କମ୍ପାନୀ ମେଟା ପକ୍ଷରୁ ନିଆଯାଇଥିବା ଏହି ଛଟେଇ ପାଇଁ ହଜାର ହଜାର କର୍ମଚାରୀ ଚାକିରି ହରାଇଛନ୍ତି। ଭାରତ ସମେତ ବିଶ୍ୱର ବହୁ ପ୍ରମୁଖ ସହରରେ ଥିବା ମେଟା କାର୍ଯ୍ୟାଳୟର ବହୁ ବଡ଼ ବଡ଼ ଅଧିକାରୀ ନିଜ ଚାକିରି ହରାଇଛନ୍ତି । ଚଳିତ ମାସ ବହୁ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ମେଟା ସିଇଓ ମାର୍କ ଜୁକରବର୍ଗ କିଛି ଦିନ ତଳେ ଘୋଷଣା କରିଥିଲେ।
ଭାରତରେ ଥିବା ମେଟାର ମାର୍କେଟିଂ ନିର୍ଦ୍ଦେଶକ ଅବିନାଶ ପନ୍ତ ଓ ପାର୍ଟନରଶିପ୍ ନିର୍ଦ୍ଦେଶକ ସାକେତ ଝା ବି ଚାକିରି ହରାଇ ସାରିଥିବା ଜଣାଯାଇଛି। ହେଲେ ସେମାନେ ଏନେଇ ମୁହଁ ଖୋଲି ନାହାନ୍ତି।
ବିଶେଷ ସୂତ୍ରରୁ ଜଣାପଡିଛି ଯେ, ମେଟା ପକ୍ଷରୁ ତାଲିକାଭୁକ୍ତ କର୍ମଚାରୀଙ୍କୁ ପୂର୍ବରୁ ଇମେଲ୍ ପଠାଯାଇ ସେମାନଙ୍କ ଛଟେଇ ସମ୍ପର୍କରେ ସୂଚିତ କରି ଦିଅଯାଇଥିଲା । ଏହାପରେ ଛଟେଇ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ଚଳିତ ରାଉଣ୍ଡରେ ହେବାକୁ ଥିବା ଛଟେଇରେ କମ୍ପାନୀ ମାର୍କେଟିଂ, ସାଇଟ ସିକ୍ୟୁରିଟି, ଇଣ୍ଟରପ୍ରାଇଜେସ୍, ଇଞ୍ଜିନିୟରିଂ, ପ୍ରୋଗ୍ରାମ ମ୍ୟାନେଜମେଣ୍ଟ, କଣ୍ଟେଣ୍ଟ ଷ୍ଟ୍ରାଟାଜି ଓ କର୍ପୋରେଟ କମ୍ୟୁନିକେସନରେ କାମ କରୁଥିବା କର୍ମଚାରୀଙ୍କୁ ସବୁଠୁ ଅଧିକ ସଂଖ୍ୟାରେ ବାହାରର ରାସ୍ତା ଦେଖାଇଛି। ଛଟେଇର ଶିକାର ହୋଇଥିବା ବହୁ କର୍ମଚାରୀ ଲିଙ୍କଡିନ୍ (LinkedIn) ସାଇଟ୍ରେ ଚାକିରି ଆଶାରେ ନିଜ ନାମ ପଞ୍ଜିକରଣ କରିଥିବା ଜଣାଯାଇଛି।
ଏହା ପୂର୍ବରୁ କମ୍ପାନୀ ନଭେମ୍ବର ୨୦୨୨ରେ ସମୁଦାୟ ୧୧ ହଜାର ଲୋକଙ୍କୁ ଚାକିରିରୁ ବାହାର କରିଥିଲା। ୧୦ ହଜାର କର୍ମଚାରୀଙ୍କୁ ଗତ ମାର୍ଚ୍ଚରେ ବାହାର କରିଦେଇଥିଲା। ଚଳିତ ଥର ଛଟେଇ ପରେ କମ୍ପାନୀର ମୋଟ କର୍ମଚାରୀଙ୍କ ସଂଖ୍ୟା ୨୦୨୧ ଜୁଲାଇରେ କମ୍ପାନୀରେ ଥିବା କର୍ମଚାରୀଙ୍କ ସଂଖ୍ୟା ସହ ସମାନ ହୋଇ ଯାଇଛି । କରୋନା ସମୟରେ ୨୦୨୦ ମସିହାରେ କମ୍ପାନୀ ବହୁ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିବା ବେଳେ ଏବେ ଛଟେଇକୁ ଜୋରଦାର କରୁଛି।
ଗତ କିଛି ମାସରେ ମେଟାର ଶେଆର ମୂଲ୍ୟ ବହୁତ୍ କମି ଯାଇଥିବା ଜଣାଯାଇଛ। ଏହାବାଦ ଡିଜିଟାଲ ବିଜ୍ଞାପନ କମୁଥିବାରୁ କମ୍ପାନୀ ଏପରି ଏକ ଠୋସ୍ ପଦକ୍ଷେପ ଉଠାଉ ଥିବା ଜଣାଯାଇଛି। ଏଥିସହ କମ୍ପାନୀ ନିଜ ଖର୍ଚ୍ଚ କମ୍ କରି ଆର୍ଟିଫିସିଆଲ ଇଣ୍ଟେଲଜେନ୍ସ ଉପରେବି ଗୁରୁତ୍ୱାରୋପ କରିବ ବୋଲି ଜଣାଯାଇଛି।
ବିଶ୍ୱରେ ଏବେ ମାନ୍ଦାବସ୍ଥା ଚାଲିଥିବାରୁ ବହୁ ବଡ଼ ବଡ଼ କମ୍ପାନୀ ଯେପରି ଗୁଗୁଲଳ ମାଇକ୍ରୋସଫ୍ଟ, ଆମାଜନ ଆଦି ଗତ କିଛି ମାସ ଧରି ବହୁ ବଡ଼ ଧରଣର ଛଟେଇ କରିବାରେ ଲାଗିଛନ୍ତି। ଆର୍ଥିକ ମାନ୍ଦାବସ୍ଥା କାରଣରୁ ମେଟାର ବ୍ୟବସାୟରେ ଅଗ୍ରଗତି କମିଥିବାରୁ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହେଉଛୁ ବୋଲି କମ୍ପାନିର ସିଇଓ ଜୁକରବର୍ଗ କହିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/4eKkRuL
No comments:
Post a Comment