କେନ୍ଦୁଝର ପୁରୁଣା ସହରର ଷଠିଘରସାହି ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ରୋଷଣି ବେଳେ ବରଯାତ୍ରୀଙ୍କ ଉପରେ ଟ୍ରକ୍ ମାଡ଼ି ଯିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୬ ଜଣ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ୩ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଗତକାଲି ଷଠିଘରସାହିର କାର୍ତ୍ତିକ ପାତ୍ରଙ୍କ ଝିଅଙ୍କ ବାହାଘର ଥିଲା। ହରିଚନ୍ଦନପୁର ବ୍ଲକ ମାନପୁର ଗାଁରୁ ଆସିଥିଲେ ବରଯାତ୍ରୀ। ରାତି ପ୍ରାୟ ଗୋଟାଏ ବେଳେ ବରଯାତ୍ରୀ ଦଳ ଜାତୀୟ ରାଜପଥ ଉପରେ ରୋଷଣି କରି ଆସୁଥିବା ବେଳେ ଝିଅ ଘର ଠାରୁ ମାତ୍ର କିଛି ଦୂରରେ ସେମାନଙ୍କ ଉପରେ ଏକ ଟ୍ରକ୍ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା।
ମୃତକଙ୍କ ମଧ୍ୟରେ ବରର ପୁତୁରା ଥିବା ବେଳେ ବରଯାତ୍ରୀ ଦଳର ଜଣେ ବ୍ୟକ୍ତି ରହିଛନ୍ତି। ଏହି ଦୁର୍ଘଟଣାରେ ଷଠିଘର ସାହିର ୩ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି।
ଅଗ୍ନିଶମ ବାହିନୀ ପହଞ୍ଚି ୯ ଗୁରୁତରଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଏହି ଘଟଣା ପରେ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ସେହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଜୀବନ ଯାଉଥିବାରୁ ଓଭରବ୍ରିଜ ନିର୍ମାଣ ଦାବିରେ ସାହି ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ ଓ ମୃତଦେହକୁ ନେବାକୁ ଦେଇ ନଥିଲେ। ପୁଲିସ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ପରେ ମୃତଦେହ ଗୁଡିକୁ ଘଟଣା ସ୍ଥଳରୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଯାଇଛି। ହେଲେ ଖବର ଲେଖାଯିବା ବେଳକୁ ରାସ୍ତା ଅବରୋଧ ଜାରି ରହିଛି।
ଅନ୍ୟପକ୍ଷରେ ଏହି ଦୁର୍ଘଟଣା ଘଟିବା ପରେ ବର ଫେରାର ହୋଇଯାଇଛନ୍ତି। ଫଳରେ ବାହାଘର ହୋଇପାରିନାହିଁ। ଉଭୟ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଗତ ରବିବାର ରାତିରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରେ ଏକ ଘରୋଇ ବସ୍କୁ ଏକ ସରକାରୀ ବସ୍ ଧକ୍କା ଦେବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା। ସମସ୍ତ ମୃତକ କନ୍ୟା ପକ୍ଷର ଥିଲେ। ସେମାନେ ବାହାଘର ସାରି ଘରକୁ ଫେରୁଥିବା ବେଳେ ଘଟିଥିଲା ଏହି ଦୁର୍ଘଟଣା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/kD1uZGF
No comments:
Post a Comment