ଆଜି ଶ୍ରୀଜିଉଙ୍କ ସୁନାବେଶ। ପବିତ୍ର ଏକାଦଶୀ ତିଥିରେ ତିନି ରଥ ଉପରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି। ମହଣ ମହଣ ସୁନାରେ ସଜ୍ଜିତ ହେବେ ତିନିଠାକୁର। ରଥ ଉପରେ ମହାପ୍ରଭୁଙ୍କ ଅତି ସୁନ୍ଦର, କମନୀୟ ଓ ସୁଶୋଭିତ ସୁନା ବେଶ ଦେଖିବା ଲାଗି ଅପେକ୍ଷା କରି ରହିଛନ୍ତି ଅଗଣତି ଭକ୍ତ।
ବଡ଼ଭାଇ ଶ୍ରୀବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କାନ କୁଣ୍ଡଳ, କମରପଟି, ଆଡକାନି, ଚନ୍ଦ୍ରିକା, ସେବତୀ ମାଳି, ବାଘନଖ ମାଳି, ବାହାଡାମାଳି, ଅସ୍ତ୍ରହଳ ଓ ମୁଷଳ, ତିଳକ, ତ୍ରୀଖଣ୍ଡିକା, ଝୋବାକଣ୍ଠି ଆଦି ପରିଧାନ କରିବେ। ଭଉଣୀ ସୁଭଦ୍ରା କିରିଟି, ଓଡ଼ିଆଣି, କାନ, ଚନ୍ଦ୍ରସୂର୍ଯ୍ୟ, ଦୁଇଟି ତଗଡି, ସେବତୀ ମାଳି, ଘାଗଡାମାଳି, କଦମ୍ବମାଳି ଆଦି ପରିଧାନ କରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀପୟର, ଶ୍ରୀଭୁଜ, କିରିଟି, ଆଦି ଅନେକ ସୁନା ଅଳଙ୍କାର ସହ ସ୍ୱର୍ଣ୍ଣଚକ୍ର, ରୌପ୍ୟ ଶଙ୍ଖ, କମରପଟି, କର୍ଣ୍ଣକୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡାମାଳି, କଦମ୍ବମାଳି, ତିଳକତ୍ରୀଖଣ୍ଡିକା, ସେବତୀ ମାଳି, ଝୋବା କଣ୍ଠି, ତାବିଜ ମାଳି ଓ ବାହାଡା ମାଳି ପରିଧାନ କରି ଭକ୍ତଙ୍କୁ ରଥ ଉପରେ ସୁନା ବେଶରେ ଦର୍ଶନ ଦେବେ।
ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଭଳି ସୁନାବେଶ ଦର୍ଶନ ପାଇଁ ମଧ୍ୟ ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ବ୍ୟବସ୍ଥା ପରିଚାଳନା ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ଆଜି ସୁନାବେଶ ପରେ ଆସନ୍ତାକାଲି ଶ୍ରୀଜିଉଙ୍କ ଅଧରପଣା ନୀତି ଏବଂ ଶନିବାର ହେବ ନୀଳାଦ୍ରିବିଜେ ନୀତି। ନବଦିନାତ୍ମକ ଯାତ୍ରାରେ ସମସ୍ତ ଲୀଳାଖେଳା ସାରି ବାହୁଡ଼ି ନୀଳକନ୍ଦରକୁ ବାହୁଡ଼ିବେ ତିନି ଠାକୁର। ଗତକାଲି ସଅଳ ନୀତିକାନ୍ତି ସହ ସଅଳ ପହଣ୍ଡି ସରିବା ପରେ ନିର୍ଦ୍ଧାରିତ ସମୟର ୪ ଘଣ୍ଟା ଆଗରୁ ରଥରେ ବିଜେ ହୋଇଥିଲେ ଚତୁର୍ଦ୍ଧା ମୂର୍ତ୍ତି। ଗତକାଲି ସଂଧ୍ୟାସୁଦ୍ଧା ତିନି ରଥ ସିଂହଦ୍ୱାର ନିକଟରେ ପହଞ୍ଚି ଯାଇଥିଲେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/1LxIfiS
No comments:
Post a Comment