ସୂର୍ଯ୍ୟମୁଖୀ ଫୁଲର ସର୍ବନିମ୍ନ ମୂଲ୍ୟ ମିଳୁ ନ ଥିବାରୁ ରାସ୍ତାକୁ ଓହ୍ଲାଇଲେ ହରିୟାଣାର ହଜାର ହଜାର ଚାଷୀ। ଆଉ ତା’ ପରେ କୁରୁକ୍ଷେତ୍ରରେ ମୁହାଁମୁହିଁ ହେଲେ ପୁଲିସ୍ ଓ ଚାଷୀ । ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୁଲିସ୍ ଚାଷୀଙ୍କ ଉପରକୁ ଲାଠି ଚାର୍ଜ କରିବା ସହ ପାଣି ସ୍ପ୍ରେ କରିବାକୁ ପଛାଇ ନାହିଁ। ହେଲେ ଯେତେ ପ୍ରତିକୂଳ ପରିସ୍ଥିତି ହେଲେ ବି ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନରୁ ପଛକୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛି ଚାଷୀ ସଂଘ ।
ହରିୟାଣାରେ ବହୁ ସଂଖ୍ୟାରେ ଚାଷୀ ସୂର୍ଯ୍ୟମୁଖୀ ଫୁଲ ଚାଷ କରିଥିବା ବେଳେ ଏହାକୁ କିଣିବାକୁ ମନା କରି ଦେଇଛନ୍ତି ରାଜ୍ୟ ସରକାର। ଏହାର ସର୍ବନିମ୍ନ ମୂଲ୍ୟ ୬,୪୦୦ ଟଙ୍କା ବୋଲି କହିଛନ୍ତି ଚାଷୀ । ମାତ୍ର ସରକାର ଏବେ ଏଥିରୁ ମୁହଁ ମୋଡ଼ୁଥିବାରୁ ଚାଷୀମାନେ ବାଧ୍ୟ ହୋଇ ମାତ୍ର ୪ ହଜାର ଟଙ୍କାରେ ବେପାରୀଙ୍କୁ ଏହାକୁ ବିକିବାକୁ ବାଧ୍ୟ ହେଉଛନ୍ତି। ଏଥିଯୋଗୁ ଖୁବ୍ ଆର୍ଥିକ କ୍ଷତି ହେଉଥିବାରୁ ସରକାର ନିଜ ନିଷ୍ପତ୍ତିରେ ପୁନଃବିଚାର କରି ସୂର୍ଯ୍ୟମୁଖୀ ଫୁଲ କିଣନ୍ତୁ ବୋଲି ଚାଷୀ ସଂଘ ନିବେଦନ କରିଛି।
ମାତ୍ର ହରିୟାଣା ସରକାର ଏଥିନିମନ୍ତେ ଆଗ୍ରହ ପ୍ରକାଶ କରୁ ନ ଥିବାରୁ ବାଧ୍ୟ ହୋଇ ଗତକାଲି ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଚାଷୀ। ସେମାନେ କୁରୁକ୍ଷେତ୍ର ନିକଟରେ ଦିଲ୍ଲୀ-ଅମୃତସର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ଦୀର୍ଘ ସମୟ ଧରି ରାସ୍ତାର ଉଭୟ ପଟେ ଶହ ଶହ ଗାଡ଼ି ଛିଡ଼ା ହୋଇଥିଲା।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଜାତୀୟ ରାଜପଥକୁ ଖାଲି କରିବାକୁ ଚାଷୀଙ୍କ ଉପରକୁ ଲାଠି ଚାର୍ଜ କରିବା ସହ ପାଣି ସ୍ପ୍ରେ କରିଥିଲା। ଏହାପରେ ଚାଷୀମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ଜାତୀୟ ରାଜପଥ ପୁଣି ଥରେ ଚଳଚଞ୍ଚଳ ହୋଇଥିଲା। ଏହାପରେ ଚାଷୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଥିଲେ ବି ପୁଲିସ୍ ସେମାନଙ୍କୁ ଘଉଡ଼ାଇ ଦେଇଥିଲା ।
ଏନେଇ ଚାଷୀ ନେତା ବୀରେନ୍ଦ୍ର ପାହାଲ କହିଛନ୍ତି, ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆମେ ଆନ୍ଦୋଳନ ଜାରି ରଖିବୁ । ଏଥିସହ ଚାଷୀଙ୍କ ପ୍ରତି ପୁଲିସ୍ର ଲାଠି ଚାଳନାକୁ ମଧ୍ୟ ସେମାନେ ତୀବ୍ର ବିରୋଧ କରିଛନ୍ତି।
ଭାତୀରୟ କିଷାନ ସଂଘ ମଧ୍ୟ ହରିୟାଣାରେ ଚାଷୀଙ୍କ ପ୍ରତି ଘଟିଥିବା ଏପରି ଅମାନବୀୟ କାଣ୍ଡକୁ ତୀବ୍ର ନିନ୍ଦା କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଚାଷୀ ବିରୋଧୀ କହି ଟାର୍ଗେଟ କରିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Fi9bKlj
No comments:
Post a Comment