ରୁଷର ମିଲିଟାରୀ ଶାସନ ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ଘରୋଇ ମିଲିଟାରୀ ସଂସ୍ଥା ୱାଗନର ଏବେ ୟୁ-ଟର୍ଣ୍ଣ ନେଇଛି। ଏକଦା ରୁଷ ପାଇଁ ଲଢ଼େଇ କରୁଥିବା ୱାଗନର ଗ୍ରୁପର ଯୋଦ୍ଧାମାନେ ମସ୍କୋ ଦଖଲ ପାଇଁ ଶନିବାର ଠାରୁ ଅଭିଯାନ ଆରମ୍ଭ କରିଥିଲେ।
ତେବେ ଏହି ଅଭିଯାନକୁ ଏବେ ବନ୍ଦ କରାଯାଇଛି। ଏଥିସହ ୱାଗନର ବସ୍ ୟେଭ୍ଗେନି ପ୍ରିଗୋଝିନ ନିଜର ଯୋଦ୍ଧାମାନଙ୍କୁ ବେସ୍ କ୍ୟାମ୍ପକୁ ଫେରି ଯିବାକୁ କହିଛନ୍ତି। ରକ୍ତପାତର ଆଶଙ୍କା ଥିବାରୁ ପ୍ରିଗୋଝିନ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି।
କିନ୍ତୁ ରୁଷ ସେନା ଓ ୱାଗନର ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ବେଲାରୁଷର ରାଷ୍ଟ୍ରପତି ଲେକ୍ସଜାଣ୍ଡର ଲୁକାଶେଙ୍କୋ ମଧ୍ୟସ୍ଥିତି ସାଜିଥିଲେ। ସେ ୱାଗନର ମୁଖ୍ୟ ପ୍ରିଗୋଝିନଙ୍କୁ ବୁଝାଇବା ପରେ ରୁଷରେ ବିଦ୍ରୋହ ଥମିଛି।
ପ୍ରିଗୋଝିନ କହିଛନ୍ତି, ସେ ନିଜର ଯୋଦ୍ଧାମାନଙ୍କୁ କନଭୟରେ ମସ୍କୋ ଅଭିମୁଖେ ଯିବାକୁ କହିଥିଲେ। କିନ୍ତୁ ଏବେ ରକ୍ତପାତ ଆଶଙ୍କା ଥିବାରୁ ସମସ୍ତଙ୍କୁ ନିଜ ନିଜର ବେସ୍କୁ ଫେରିଯିବାକୁ କୁହାଯାଇଛି। ସେମାନେ(ରୁଷ ସରକାର) ୱାଗନର ମିଲିଟାରୀ କମ୍ପାନୀକୁ ଭଙ୍ଗ କରିବାକୁ ଚାହୁଁଥିଲେ। କିନ୍ତୁ ଆମେ ୨୪ ଘଣ୍ଟା ମଧ୍ୟରେ ମସ୍କୋର ୨୦୦ କିମି ଭିତରକୁ ପଶି ସାରିଥିଲୁ।
ଏହି ସମୟରେ ଆମ ଯୋଦ୍ଧାମାନେ ଟୋପାଏ ରକ୍ତ ମଧ୍ୟ ବୁହାଇ ନଥିଲେ। ଏବେ ରକ୍ତପାତ ହେବାର ସ୍ଥିତି ଉପୁଜିଛି। ତେଣୁ ନିଜର ଦାୟିତ୍ୱକୁ ବୁଝିବା ସହ ରକ୍ତପାତକୁ ବନ୍ଦ କରିବା ପାଇଁ ଆମେ ଆମର ଯବାନମାନଙ୍କୁ ଫେରି ଆସିବାକୁ କହିଛୁ। ଯୋଜନା ଅନୁସାରେ ସେମାନେ ଫିଲ୍ଡ କ୍ୟାମ୍ପଗୁଡ଼ିକୁ ଯିବେ ବୋଲି ପ୍ରିଗୋଝିନ କହିଛନ୍ତି।
ପ୍ରିଗୋଝିନ ବିଦ୍ରୋହ ବନ୍ଦ କରିଥିବାରୁ ପୂରା ରୁଷରେ ସ୍ୱାଭାବିକ ସ୍ଥିତି ଫେରିବା ଆରମ୍ଭ ହୋଇଛି। ସେହିପରି ବିଦ୍ରୋହ ଘୋଷଣା କରିଥିବା ପ୍ରିଗୋଝିନ କିମ୍ବା ତାଙ୍କ ଯୋଦ୍ଧାମାନଙ୍କ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି କ୍ରେମଲିନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।
ପୂରା ରୁଷରେ ବିଦ୍ରୋହୀଙ୍କ ସୁରକ୍ଷା ଗ୍ୟାରେଣ୍ଟୀ ଡିଲ୍ ବେଲାରୁଷ ରାଷ୍ଟ୍ରପତି ଲୁକାଶେଙ୍କୋ ନେଇଛନ୍ତି। ଦିନ ତମାମ ସେ ୱାଗନର ମୁଖ୍ୟ ପ୍ରିଗୋଝିନଙ୍କ ସହ ଆଲୋଚନା କରି ଡିଲ୍ ଫାଇନାଲ କରିଛନ୍ତି। ଦୀର୍ଘ ସମୟରେ ଆଲୋଚନା ପରେ ବିଦ୍ରୋହ ବନ୍ଦ କରିବାକୁ ପ୍ରିଗୋଝିନ ରାଜି ହୋଇଛନ୍ତି।
କ୍ରେମଲିନ ମଧ୍ୟ ଡିଲ୍ ଫାଇନାଲ ହୋଇଛି ଓ ପ୍ରିଗୋଝିନଙ୍କ ବିରୋଧରେ ଲାଗିଥିବା ସମସ୍ତ ଦଫାକୁ ହଟାଇ ଦିଆଯାଇଥିବା ନିଶ୍ଚିତ କରିଛି। ଏଥିସହ ସେ ଏବେ ବେଲାରୁଷ ଯିବେ ବୋଲି ମଧ୍ୟ କ୍ରେମଲିନ କହିଛି।
ବେଲାରୁଷ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ନିଜର କ୍ଷମତା ବଳରେ ବେଲାରୁଷ ରାଷ୍ଟ୍ରପତି ୱାଗନର ପ୍ରାଇଭେଟ ମିଲିଟାରୀ କମ୍ପାନୀର ମୁଖ୍ୟଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ରୁଷ ରାଷ୍ଟ୍ରପତିଙ୍କ ଅନୁମତି କ୍ରମେ ସେ ସ୍ଥିତିକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରିଥିଲେ। ୱାଗନର ମୁଖ୍ୟ ଓ ବେଲରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ଦିନ ତମାମ କଥାବାର୍ତ୍ତା ଚାଲିଥିଲା। ଶେଷରେ ରୁଷରେ ରକ୍ତପାତ ବନ୍ଦ କରିବାକୁ ବୁଝାମଣା ଫାଇନାଲ ହୋଇଛି। ଲୁକାଶେଙ୍କୋଙ୍କ ପ୍ରସ୍ତାବକୁ ପ୍ରିଗୋଝିନ ଗ୍ରହଣ କରିବା ସହ ଉତ୍ତେଜନା ହ୍ରାସ କରିବାକୁ ରାଜି ହୋଇଛନ୍ତି।”
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/PAzynOE
No comments:
Post a Comment