ମାଲକାନଗିରି ସତୀଗୁଡ଼ା ଡ୍ୟାମରେ ଡଙ୍ଗା ବୁଡ଼ିଯିବାରୁ ନିଖୋଜ ଥିବା ଜଣେ ମହିଳା ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ତୁଳସା ମାଢ଼ି। ଏବେବି ଜଣେ ପୁରୁଷ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି। ତାଙ୍କୁ ଉଦ୍ଧାର ଲାଗି ପ୍ରୟାସ ଜାରି ରହିଛି। ଓଡ୍ରାଫ ଟିମ୍ ପକ୍ଷରୁ ରେସକ୍ୟୁ ଅପରେସନ୍ ଚାଲିଛି। ଏହାସହ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି।
ଗତକାଲି ତୁଳସାଙ୍କ ସହ ୨ ପୁରୁଷ ମତ୍ସ୍ୟଜୀବୀ ସତୀଗୁଡ଼ା ଡ୍ୟାମକୁ ମାଛ ଧରିବାକୁ ଯାଇଥିଲେ।ହଠାତ୍ କଳାହାଣ୍ଡିଆ ବର୍ଷା ସାଙ୍ଗକୁ ସୁସୁ ହୋଇ ପବନ ବୋହିଥିଲା। ଡଙ୍ଗାଟି ଭାରସାମ୍ୟ ହରାଇ ଡ୍ୟାମ ଭିତରକୁ ଓଲଟି ପଡ଼ିଥିଲା। ୩ଜଣ ମତ୍ସ୍ୟଜୀବୀ ଅକାତ ପାଣିରେ ବୁଡ଼ିଯାଇଥିଲେ। ହେଲେ ଜଣେ ମତ୍ସ୍ୟଜୀବୀ ଜୀବନ ବଞ୍ଚାଇ କୂଳକୁ ପହଁରି ପହଁରି ପଳାଇ ଆସିଥିଲେ। ଆଉ ଦୁଇ ନିଖୋଜ ଥିଲେ। ଆଜି ସକାଳେ ମହିଳା ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଅନ୍ୟପକ୍ଷରେ ମାଲକାନଗିରିରେ କାଳବୈଶାଖୀର ତାଣ୍ଡବରେ ୨ ଜଣଙ୍କ ଜୀବନ ଯାଇଛି। ନିର୍ମାଣାଧୀନ ଏୟାରଷ୍ଟ୍ରିପ୍ କାନ୍ଥ ଭାଙ୍ଗି ଗୁରୁତର ହୋଇପଡ଼ିଥିବା ୨ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି। ଶ୍ରମିକମାନେ କାମ କରିବାବେଳେ ପବନ ମାଡ଼ରେ ପାଚେରି ଭାଙ୍ଗି ଶ୍ରମିକଙ୍କ ଉପରେ ପଡ଼ି ଯାଇଥିଲା।
କାଳବୈଶାଖୀ ତାଣ୍ଡବ ପରେ ଓଡ୍ରାଫ୍ ଟିମ୍ ପହଞ୍ଚି ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକ କାଟି ରାସ୍ତା ସଫା କରିଛନ୍ତି। ପ୍ରବଳ ପବନ ଯୋଗୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଥିବାରୁ ଟାଟା ପାୱାର କର୍ତ୍ତୃପକ୍ଷଙ୍କୁ ତୁରନ୍ତ ବିଜୁଳି ସଂଯୋଗ ଦେବା ପାଇଁ ବ୍ୟବସ୍ଥା କରିବାକୁ SRC ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କାଳବୈଶାଖୀରେ କ୍ଷୟକ୍ଷତି ଓ ଘରଭଙ୍ଗା ନେଇ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/KN5s7hG
No comments:
Post a Comment