“ତୁ ଚାକିରି କରିବୁ, ମୋତେ କିଛି ଦେବୁନି କି? ମୁଁ କ’ଣ ସମସ୍ତଙ୍କୁ ଖାଲି ନିଯୁକ୍ତି ଦେବି କି? ତୋର ଯଦି ଅଙ୍ଗନବାଡିରେ ଚାକିରି କରିବାକୁ ଇଚ୍ଛା, ମୋ କଥା ବୁଝ। ତୁ ଟଙ୍କା ନେଇ ଧାମନଗର ଆସ।” ଜଣେ ଅଙ୍ଗନୱାଡ଼ି କର୍ମୀ ଆଶାୟୀ ପ୍ରାର୍ଥୀ ସୁଷମା ପ୍ରଧାନଙ୍କୁ ନିଯୁକ୍ତିର ପ୍ରଲୋଭନ ଦେଖାଇ ଲାଞ୍ଚ ମାଗୁଛନ୍ତି ଧାମନଗରର ସିଡିପିଓ ନମିତା ଦାସ। ଫୋନ୍ କରି ଟଙ୍କା ମାଗୁଥିବାର ଅଡିଓ କ୍ଲିପ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଅଡିଓରେ ମୂଲଚାଲ କରୁଛନ୍ତି ସିଡିପିଓ, ଟଙ୍କା ନଦେଲେ ନିଯୁକ୍ତି ମିଳିବନି ବୋଲି ବି କହୁଛନ୍ତି। ଯାହାକୁ ନେଇ ଅଡୁଆରେ ପଡ଼ି ଯାଇଛନ୍ତି ଘଟଣା ପରେ ପରେ ଅବସର ନେଇସାରିଥିବା ସିଡିପିଓ। ଏନେଇ ସୁଷମା ଭଦ୍ରକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ନିରପେକ୍ଷ ତଦନ୍ତ ପାଇଁ ଲିଖିତ ଅଭିଯୋଗ କରିବା ପରେ ଜିଲ୍ଳାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୂଷୁରୀ ପଛାଲୋ ପ୍ରଧାନସାହିର ଅଙ୍ଗନବାଡ଼ି କର୍ମୀ ପାଇଁ ଗତ ୨୦୧୯ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ଗାଁର ସୁଷମା ପ୍ରଧାନ ସହ ଅନ୍ୟ ୨ ଜଣ ମହିଳା ଏଥିପାଇଁ ଆବେଦନ କରିଥିଲେ।
ନମିତା ଦାସ ଧାମନଗର ସିଡିପିଓ ଥିବାବେଳେ ଅଧିକ ଶିକ୍ଷାଗତ ଯୋଗ୍ୟତା ପାଇଁ ସୁଷମାଙ୍କୁ ଚୟନ କରିଥିଲେ। ତାଙ୍କୁ ଫୋନ୍ କରି ଏ ବିଷୟରେ ଜଣାଇଥିଲେ ଓ ଅଙ୍ଗନବାଡ଼ିରେ ଚାକିରି କରିବା ପାଇଁ ଟଙ୍କା ଦେବାକୁ କହିଥିଲେ। ଏହା ସହ ସରକାରୀ କ୍ୱାର୍ଟର୍ସକୁ ମଧ୍ୟ ଡାକିଥିଲେ। ଟଙ୍କା ନଦେଲେ ନିଯୁକ୍ତି ମିଳିବନି ବୋଲି ମଧ୍ୟ ଚେତାବନୀ ଦେଇଥିଲେ।
ତେବେ ଏହି ଅଡ଼ିଓଟି ନିର୍ଦ୍ଦିଷ୍ଟ ଭାବେ କେବେକାର? କେଉଁ ପରିସ୍ଥିତିରେ ରେକର୍ଡିଂ ହୋଇଥିଲା? ବାସ୍ତବରେ ଅଡ଼ିଓରେ କଥା ହେଉଥିବା ମହିଳା ଜଣକ କିଏ? ସିଡିପିଓ ନମିତା ଦାସ ନା ନୁହଁ? ସେ ସଂପର୍କରେ ସିଡିପିଓ ନମିତା ଦାସଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଅଭିଯୋଗ କାରିଣୀ ସୁଷମା ପ୍ରଧାନ କହିଛନ୍ତି, ମୋ ପାଖକୁ ସିଡିପିଓ ମାଡାମ୍ ଫୋନ୍ କରିଥିଲେ। ତୁମର ସିଲେକସନ ହୋଇଛି, ତୁମେ ମୋତେ ଦେଖା କର। ସିଡିପିଓ ଆହୁରି କହିଥିଲେ, ତୁମେ ସାରା ଜୀବନ ଚାକିରି କରିବ, ମୋତେ କିଛି ଦେବନି? ମୁଁ ତ ଗରିବ ପିଲା, ମୁଁ କେଉଁଠି ଆଣିକି ଦେବି ବୋଲି ମୁଁ କହିଥିଲି। ମାଡାମ୍ କହିଥିଲେ, ତୁମକୁ ଯାହା ହେଲେବି ଦେବାକୁ ପଡ଼ିବ। ବେଶି ନ ହେଲେ ତୁମେ ୩୦ରୁ ୪୦ ହଜାର ଭିତରେ ଦେବ। ମୁଁ ଦେଇପାରିବିନି ବୋଲି ମାଡାମଙ୍କୁ କହିବାରୁ ତୁମର ଚାକିରି ହବନି, ତୁମେ ଆଉ ମୋତେ ପଛରେ କିଛି କହିବନି ବୋଲି କହି ମାଡାମ୍ ଫୋନ୍ କାଟି ଦେଇଥିଲେ।
ସୂଚନାଯୋଗ୍ୟ, ଏହି ଘଟଣା ପରେ ପରେ ଧାମନଗର ସିଡିପିଓ ନମିତା ଦାସ ମେ ମାସ ୩୧ ତାରିଖରେ ଚାକିରିରୁ ଅବସର ନେଇଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/LPh8dTX
No comments:
Post a Comment